ବିବାହ ବେଦୀରେ ବରକୁ ‘ଦୁଇ କେ ପଣକିଆ’ ଡାକିବାକୁ କହିଲେ କନିଆଁ, ବରଣମାଳା ଅଦଳବଦଳ ପରେ ଅଟକିଲା ବାହାଘର

Published By : Prameya-News7 Bureau | May 03, 2021 IST

ଲକ୍ଷ୍ନୌ ୩/୫: ବିବାହ ଭାଙ୍ଗିବାର ଅନେକ କାରଣ ରହିଛି। କେତେବେଳେ ​‌ଯୌତୁକ ପାଇଁ ତ କେତେବେଳେ ମଦ୍ୟପ ବର ଯୋଗୁ ବାହା ଘର ଭାଙ୍ଗିଯାଏ। ଏମିତି ଖବର ପ୍ରାୟ ଦେଖିବାକୁ ମିଳେ। କିନ୍ତୁ ସାବଧାନ ! ଗଣିତ ଜାଣିନାହାନ୍ତି ମାନେ ବିବାହ କରିବା ପୂର୍ବରୁ ଶିଖିନିଅନ୍ତୁ। ଏମିତି ଜଣେ ବର ଗଣିତ ଜାଣିନଥିବାରୁ ହଟହଟ୍ଟା ହୋଇଛନ୍ତି । ଏପରିକି କନିଆଁ ନିଜେ ବେଦୀରୁ ଉଠି ପଳାଇଛନ୍ତି। ବିବାହ ପାଇଁ କନିଆଁ ସିଧା ମନା କରିଦେବା ପରେ ଶିଶୁପାଳ ହୋଇ ଫେରିଛି ବର।

ପ୍ରକୃତରେ ବର ଦୁଇ କେ ପଣକିଆ ଡାକିବାରେ ଅସମର୍ଥ ହେବାରୁ ବିବାହ ଭାଙ୍ଗିଥିବା ଜଣାପଡ଼ିଛି। ଘଟଣାଟି ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଅନ୍ତର୍ଗତ ଧବାର ଗାଁରେ ଘଟିଛି। ଶନିବାର ସନ୍ଧ୍ୟାରେ ବିବାହ ପାଇଁ ମଣ୍ଡପରେ ପହଞ୍ଚିଥିଲେ ବର। ମଣ୍ଡପରେ ବରଙ୍କୁ ଦେଖି ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ କନିଆଁଙ୍କ ସନ୍ଦେହ ହୋଇଥିଲା। ନିଜର ସନ୍ଦେହ ଦୂର କରିବା ପାଇଁ ବରମାଳା ଅଦଳବଦଳ ହେବା ବେଳେ ବରକୁ ଦୁଇ କେ ପଣକିଆ ଡାକିବାକୁ କହିଥିଲେ କନିଆଁ ।

କିନ୍ତୁ କନିଆଁଙ୍କ ସନ୍ଦେହ ଠିକ୍‌ ଥିଲା। ଦୁଇ କେ ପଣକିଆ କହିବାରେ ଅସମର୍ଥ ହୋଇଥିଲେ ବର। ତାପରେ ୭ ଫେରା ନେବାକୁ ମନା କରିଥିଲେ ଯୁବତୀ। ଏହା ଏକ ଆରେଞ୍ଜ ମ୍ୟାରେଜ୍‌ ହୋଇଥିବା ବେଳେ ବର ମହୋବା ଜିଲ୍ଳାର  ଧବାର ଗାଁ ବସିନ୍ଦା ବୋଲି ଜଣାପଡ଼ିଛି। ଦୁଇ ପରିବାର ସଦସ୍ୟ ଏବଂ ଗାଁ ଲୋକ ମଣ୍ଡପରେ ବିବାହକୁ ନେଇ ଚର୍ଚ୍ଚା କରୁଥିବା ବେଳେ କନିଆଁ ସେଠାରୁ ବାହାରି ଚାଲିଯାଇଥିଲେ।

ଗଣିତର ମୂଳ କଥା ଜାଣିନଥିବା ଲୋକକୁ ବିବାହ କରିବାକୁ ଚାହୁଁନାହିଁ ବୋଲି କହି ପଳାଇଥିଲେ କନିଆଁ। ସେପଟେ କନିଆଁଙ୍କ ଘର ଲୋକେ ବର ଅଶିକ୍ଷିତ ବୋଲି ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ବର ଘର ଲୋକେ କନିଆଁ ପକ୍ଷକୁ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଛ କହିଥିଲେ ବୋଲି କନିଆଁଙ୍କ ଭାଇ କହିଛନ୍ତି। ଏହା ସହ ସମାଜକୁ ଖାତିର ନକରି ବାହାଦୂର ଭଉଣୀ ନିଜ ଜୀବନକୁ ବଞ୍ଚାଇ ଦେଇଛି ବୋଲି ମଧ୍ୟ ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.