ମ୍ୟାଥ୍‌-ଫିଜିକ୍ସ ପଢ଼ିନଥିଲେ ବି ହୋଇପାରିବେ ଇଞ୍ଜିନିୟର, AICTEର ବଡ଼ ଘୋଷଣା

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଳୀ ୧୨/୦୩: ଇଞ୍ଜିନିୟରିଂ ପାଇଁ +୨ରେ ମ୍ୟାଥ୍‌ ଏବଂ ଫିଜିକ୍ସ ପଢ଼ିବା ବାଧ୍ୟତାମୂଳକ ନୁହେଁ। ଏନେଇ ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ୍‌ ଏଜୁକେସନ୍‌ (ଏଆଇସିଟିଇ) ଘୋଷଣା କରିଛି। ଇଞ୍ଜିନିୟରିଂରେ ଫିଜିକ୍ସ, କେମିଷ୍ଟ୍ରି, ଗଣିତ ବ୍ୟତୀତ କମ୍ପ୍ୟୁଟର ସାଇନ୍ସ, ଇଲେକ୍‌ଟ୍ରୋନିକ୍ସ, ଇଞ୍ଜିନିୟରିଂ ଗ୍ରାଫିକ୍ସ, ବିଜ୍‌ନେସ୍‌ ଷ୍ଟଡିଜ୍, ବାୟୋଲୋଜି, ଇନଫର୍ମେଟିକ୍ସ‌ ପ୍ରାକ୍ଟିସେସ୍‌, ଟେକ୍‌ନିକାଲ୍‌ ଭୋକେସ୍‌ନାଲ ସବଜେକ୍ଟ‌ର ଛାତ୍ରଛାତ୍ରୀ ମଧ୍ୟ ଆଡମିସନ ନେଇପାରିବେ।

ଇଞ୍ଜିନିୟରିଂ ପଢ଼ିବାକୁ ହେଲେ ଛାତ୍ରଛାତ୍ରୀ ଉପରୋକ୍ତ ବିଷୟ ମଧ୍ୟରୁ ଯେକୌଣସି ୩ଟି ପଢ଼ିଥିବା ଆବଶ୍ୟକ ।ଇଞ୍ଜିନିୟରିଂର ଅଣ୍ଡର ଗ୍ରାଜୁଏସନ କୋର୍ସ ପାଇଁ ଆଡମିସନ୍‌ ମାନଦଣ୍ଡ ପରିବର୍ତ୍ତନ କରି ଗଣିତ, ଫିଜିକ୍ସ ଏବଂ କେମିଷ୍ଟ୍ରିକୁ ବିକଳ୍ପ କରିଛି ଏଆଇସିଟିଇ। ଏହି ନୂଆ ବ୍ୟବସ୍ଥା ୨୦୨୧-୨୨ରୁ ଲାଗୁ ହେବ। ଏବେ ସୁଦ୍ଧା ବିଇ ଏବଂ ବିଟେକ୍‌ କରିବାକୁ ହେଲେ +୨ରେ ଗଣିତ ଏବଂ ଫିଜିକ୍ସ ଥିବା ବାଧ୍ୟତାମୂଳକ ଥିଲା।

ତେବେ ଇଞ୍ଜିନିୟରିଂରେ ଆଡମିସନ ନେବା ପାଇଁ ସାମାନ୍ୟ ବର୍ଗ ପାଇଁ ଅତିକମରେ ୪୫ ପ୍ରତିଶତ ଏବଂ ସଂରକ୍ଷିତ ବର୍ଗ ପାଇଁ ନ୍ୟୁନତମ ୪୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଛି। ଏହାକୁ ନେଇ ଏକ ହେଡ୍‌ ବୁକ୍‌ ମଧ୍ୟ ଜାରି କରାଯାଇଛି। ସେଥିରେ ନୂଆ ନିୟମ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି।

ଭବିଷ୍ୟତକୁ ଧ୍ୟାନରେ ରଖି ନୂଆ ଶିକ୍ଷା ନୀତି ଅଧିନରେ ନୂଆ ନିୟମ ଆଣିଛୁ ବୋଲି ଏଆଇସିଟିଇ ଉପାଧ୍ୟକ୍ଷ ଏମ.ପି. ପୁନିୟା କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି, ଯଦି ଜଣେ କମର୍ସ ଛାତ୍ର ସୂଚୀବଦ୍ଧ ୧୪ ବିଷୟରୁ ୩ଟିରେ ପାସ୍‌ କରିଛନ୍ତି ତେବେ ସେ ଇଞ୍ଜିନିୟରିଂ କରିପାରିବେ। ଅନ୍ୟପଟେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭିନ୍ନ ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଗଣିତ, ଫିଜିକ୍ସ, ଇଞ୍ଜିନିୟରିଂ ଡ୍ରଇଂ ଭଳି ବ୍ରିଜ୍‌ କୋର୍ସ ଯୋଗାଇବ। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ପଢ଼ିବାରେ ଅସୁବିଧା ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.