କରୋନା ନୁହେଁ ଏହି କାରଣରୁ ବାତିଲ ହୋଇଛି ମ୍ୟାଚ୍, ଭାରତ ଉପରେ ପ୍ରଶ୍ନ ଉଠାଇଲା ଇଂଲଣ୍ଡ ବୋର୍ଡ

Published By : Prameya-News7 Bureau | September 10, 2021 IST

ମାଞ୍ଚେଷ୍ଟର ୧୦।୦୯: ଗତ ୩୬ ଘଣ୍ଟାରେ କ୍ରିକେଟ୍ ଜଗତରେ ଉଠିଥିବା ହଙ୍ଗାମା ଥମିବାର ନାଁ ନେଉନାହିଁ। ମାଞ୍ଚେଷ୍ଟରରେ ଶୁକ୍ରବାରଠୁ ଆରମ୍ଭ ହେଉଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଏମିତି ସ୍ଥିତି ଉପୁଜିଛି। ସିରିଜ୍‌ରେ ବର୍ତ୍ତମାନ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଯଦି ଶେଷ ମୁକାବିଲା ଖେଳାଯାଇଥାନ୍ତା ତେବେ  ଭାରତ ପାଇଁ ସିରିଜ୍‌ ଜିତିବାର ଯଥେଷ୍ଟ ସମ୍ଭାବନା ରହିଥାନ୍ତା। ଯଦି ଦଳ ହାରିଥାନ୍ତା ତେବେ ସିରିଜ୍ ୨-୨ରେ ଡ୍ର ହୋଇଥାନ୍ତା। କିନ୍ତୁ ଭାରତୀୟ ଦଳର ସହାୟକ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନ୍ତିମ ମୁକାବିଲା ବାତିଲ୍ ହୋଇଛି। ହେଲେ ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା ନେଇ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ ବୋର୍ଡ(ଇସିବି)ର ସିଇଓ ଟମ୍ ହ୍ୟାରିସନ ଭାରତୀୟ ଖେଳାଳିଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସିଇଓ ଟମ୍ ହ୍ୟାରିସନ କହିଛନ୍ତି, ଏହି ମୁକାବିଲା କରୋନା ଭାଇରସ୍‌ କାରଣରୁ ନୁହେଁ। ହୋଇପାରେ କିଛି ସୁନିୟୋଜିତ ଚିନ୍ତା ଯୋଗୁଁ ମ୍ୟାଚ୍ ବାତିଲ୍ କରାଯାଇଛି। ଭାରତୀୟ ଖେଳାଳିଙ୍କୁ ସ୍ଥିତି ସ୍ଵଭାବିକ ଥିବା ଏବଂ ମ୍ୟାଚ୍ ଖେଳା ଯାଇ ପାରିବ ବୋଲି  ବୁଝାଇବାକୁ ଉଦ୍ୟମ କରାଯାଇଥିଲା। ହେଲେ ସହାୟକ ଫିଜିଓ ଯୋଗେଶ ମରମାର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଖେଳାଳି ଆତଙ୍କିତ ହୋଇ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଥିଲେ।

ହ୍ୟାରିସନ କହିଛନ୍ତି, ବାବସ୍ତରେ ଆଜିର ଦିନଟି ଦୁଃଖଦ ଦିନ। ଦର୍ଶକଙ୍କ ପାଇଁ ମୁଁ ବି ନିରାଶ। ଅନ୍ତର୍ଜାତୀୟସ୍ତରର ଏହି ଖେଳରେ ବଡ ସଂଖ୍ୟାରେ ଦର୍ଶକ ଉପଭୋଗ କରନ୍ତି। ଗତକାଲି ଅପରାହ୍ନରେ ଏହା ସ୍ପଷ୍ଟ ହୋଇ ସାରିଥିଲା ଯେ, ଭାରତୀୟ ଦଳରେ ମାନସିକ ଚାପ ବହୁତ ଅଧିକ ଥିଲା। ଏହି  ଚାପ କୋଭିଡ୍-୧୯ କାରଣରୁ ନୁହେଁ ବରଂ ଏହା ପଛରେ ଅଲଗା କିଛି କାରଣ ରହିଛି। ବାସ୍ ଫିଜିଓଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ଏକ ସଂଯୋଗ ମାତ୍ର। ବାସ୍ତବରେ ହ୍ୟାରିସନଙ୍କ ଏହି ମନ୍ତବ୍ୟ ଆଇପିଏଲ ଆୟୋଜନ ଆଡକୁ ଇସାରା କରୁଛି। ଯଦି ହ୍ୟାରିସନଙ୍କ ବୟାନକୁ ତର୍ଜମା କରାଯାଏ, ତେବେ ସେ ଏହା କହିବାକୁ ଚାହୁଁଛନ୍ତି ଯେ, କରୋନା ପାଇଁ ନୁହେଁ ଆଇପିଏଲ ଯୋଗୁଁ ହିଁ ଅନ୍ତିମ ଟେଷ୍ଟ ମ୍ୟାଚ୍ ବାତିଲ୍ ହୋଇଛି।

ସେ କହିଛନ୍ତି, ଦିନରେ ଆମେ ଭାରତୀୟ ଖେଳାଳିଙ୍କ ଚାପକୁ କମ କରିବା ପାଇଁ ଆଶ୍ଵାସନା ଦେଇ ଅନେକ ଥର ବୁଝାଇଛୁ। ହେଲେ ଶେଷରେ ମ୍ୟାଚ୍ ରଦ୍ଦ କରିବାକୁ ପଡିଛି। ଅନ୍ୟପଟେ ବିସିସିଆଇ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଦୁଇ ବୋର୍ଡ ଅନ୍ତିମ ମୁକାବିଲା ପାଇଁ ସମୟ ଏବଂ ତାରିଖ ନିର୍ଦ୍ଧାରଣ କରିବା ଦିଗରେ କାମ କରିବେ। ବର୍ତ୍ତମାନ   ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି।

ବିସିସିଆଇ କହିଛି ଯେ, ଆମର ଏବଂ ଇସିବି ମଧ୍ୟରେ ସଂପର୍କ ମଜବୁତ ରହିଛି। ଆମେ ଇସିବିକୁ ମାଞ୍ଚେଷ୍ଟର  ଟେଷ୍ଟର ତାରିଖ ପୁନଃନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଦେଇଛୁ। ଦୁଇ ବୋର୍ଡ ଏହି ମ୍ୟାଚ୍ ଆୟୋଜନ ନେଇ ଏକ ଓ୍ଵିଣ୍ଡୋ ସନ୍ଧାନ କରିବେ। ଭାରତୀୟ ଦଳ ଆସନ୍ତା ବର୍ଷ ଜୁଲାଇ ମାସରେ ସୀମିତ ଓଭର ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଶେଷ ଟେଷ୍ଟ ଖେଳାଯାଇ ପାରେ ବୋଲି କୁହାଯାଇଛି।  ଭାରତୀୟ ଦଳ ଆଗାମୀ ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ତିନି ଟି-୨୦ ଏବଂ ତିନି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.