ତୈଳ କୂପରେ ଭୀଷଣ ଅଗ୍ନିକାଣ୍ଡ : ୧୪ ଦିନ ହେଲା ନିର୍ଗତ ହେଉଥିଲା ଗ୍ୟାସ୍

Published By : Prameya-News7 Bureau | June 09, 2020 IST

ଗୁଆହାଟୀ ୦୯/୦୬ : ଆସାମର ଏକ ତୈଳ କୂପରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି | ଆସାମର ଉପରି ଅଞ୍ଚଳ ତିନସୁକିୟା ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡ଼ର ପ୍ରାକୃତିକ ଗ୍ୟାସ କୂପରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି | ଏହି କୂପରୁ ଗତ ୧୪ ଦିନ ହେଲା ଗ୍ୟାସ ନିର୍ଗତ ହେଉଥିଲା | ସୂତ୍ର ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ କୂପରେ ନିଆଁ ଲାଗିଥିଲା ଓ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା | ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥାବାର୍ତ୍ତା କରିଛନ୍ତି | ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ଆସାମର ଜଣେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି |

{"id":283658,"width":577,"height":325,"sizeSlug":"large"}

ସୂଚନାଯୋଗ୍ୟ ଯେ, କୂପର ନିଆଁ ଲିଭାଇବା ପାଇଁ ସୋମବାର ଦିନ ସିଙ୍ଗାପୁରରୁ କିଛି ବିଶେଷଜ୍ଞଙ୍କୁ ଆସାମକୁ ପଠାଯାଇଥିଲା | ମଙ୍ଗଳବାର ସକାଳୁ ଏମାନେ ଅପରେସନରେ ସାମିଲ ହୋଇଥିଲେ | ଗୁଆହାଟୀରୁ ପାଖାପାଖି ୫୦୦ କିଲୋମିଟର ଦୂର ବାଗହଜନରେ ମେ ୨୭ ତାରିଖରେ ଏହି ତୈଳ କୂପରେ ବିସ୍ଫୋରଣ ହୋଇଥିଲା | ଗତ ୧୪ ଦିନ ହେଲା ଏହି କୂପରୁ ତୈଳ ନିର୍ଗତ ହେଉଥିଲା | ଫଳରେ ସେହି ଅଞ୍ଚଳର ଭୂମି ଓ ଜୈବ ବିବିଧତାକୁ ଅନେକ କ୍ଷତି ହୋଇଛି | ଲୁପ୍ତ ପ୍ରାୟ ଗଙ୍ଗା ଡ଼ଲଫିନ ଏବଂ ଅନ୍ୟ ଜୀବଜନ୍ତୁଙ୍କ ମୃତଦେହ ମଧ୍ୟ ଡିବୃ ସାଇଖୋବା ନ୍ୟାସନାଲ ପାର୍କରେ ଭାସୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା | ତୈଳ କୂପ ଠାରୁ ଏହି ପାର୍କ ମାତ୍ର ୩ କିମି ଦୂରରେ ଅବସ୍ଥିତ | 

{"id":283656,"sizeSlug":"large"}

ତୈଳ କୂପରେ ଲାଗିଥିବା ନିଆଁ ଯୋଗୁ ଆଖପାଖ ଅଞ୍ଚଳର ଚାଷଜମି, ପୋଖରୀ ଆଦି ପ୍ରଦୂଷିତ ହୋଇଯାଇଛି | ଜୀବନ ପ୍ରତି ପ୍ରତିଦିନ ଏଠାରେ ବିପଦ ବୃଦ୍ଧି ପାଉଛି | ପ୍ରାକୃତିକ ଗ୍ୟାସ କୂପର ଦେଢ଼ କିମି ପରିଧିରେ ରହୁଥିବା ପାଖାପାଖି ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି | ପ୍ରଭାବିତ ପରିବାରଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିବାକୁ ଅଏଲ ଇଣ୍ଡିଆ ଲିମିଟେଡ଼ ଘୋଷଣା କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.