ସେନା ପୋଷ୍ଟ ଉପରେ ବରଫଝଡ, ୩ ଯବାନ ନିଖୋଜ
4/12/2019 at 9:10 AM

ଶ୍ରୀନଗର ୦୪।୧୨: ଜମ୍ମୁ ଓ କଶ୍ମୀରର କୁପଓ୍ବାଡ଼ା ଜିଲ୍ଲାସ୍ଥିତ ସେନା ପୋଷ୍ଟ୍ ଉପରେ ବରଫଝଡ ହୋଇଛି । ତୁଷାର ସ୍ଖଳନ ଘଟିବାରୁ ଭାରତୀୟ ସେନାବାହିନୀର ଅନ୍ୟୂନ ତିନି ଜଣ ଯବାନ ନିଖୋଜ ଥିବା ସୂଚନା ରହିଛି ।

ବନ୍ଦିପୋଡ଼ା ଜିଲ୍ଲାର ଗୁରେଜ୍ ସେକ୍ଟର୍ ସେନା ପୋଷ୍ଟ୍ ଉପରେ ମଧ୍ୟ ତୁଷାର ସ୍ଖଳନ ହୋଇଛି। ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିବା ପରେ ନିଖୋଜ ଯବାନମାନଙ୍କୁ ଖୋଜିବା ପାଇଁ ସେନାବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହାଛଡ଼ା ତୁଷାର ମଧ୍ୟରେ ଫସି ରହିଥିବା ଅନ୍ୟ ତିନି ଜଣ ଯବାନମାନଙ୍କୁ ଉଦ୍ଧାର କରାଯାଇଛି। ତୁଷାର ମଧ୍ୟରେ କେତେକ ଯବାନ ପୋତି ହୋଇ ରହିଯାଇଥିବା ଆଶଙ୍କା କରାଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବାକୁ ଅଭିଯାନ ଆରମ୍ଭ ହୋଇଛି। ନଭେମ୍ବର ୩୦ ତାରିଖ ସକାଳେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚୀନ୍ ଗ୍ଲେସିୟର୍ ଅଞ୍ଚଳରେ ସେନାବାହିନୀର ପାଟ୍ରୋଲିଂ ଦଳ ଉପରେ ତୁଷାର ସ୍ଖଳନ ଘଟିବାର ଦୁଇ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା।