ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରି ଦେଖିବାକୁ ମିଳିଛି ହାତୀ ଆତଙ୍କ, ମକା ଫସଲ ନଷ୍ଟ କରୁଥିବା ସୂଚନା

Published By : Prameya-News7 Bureau | September 29, 2021 IST

ନବରଙ୍ଗପୁର ୨୯/୦୯:  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲ ମଧ୍ୟରେ ହାତୀ ପଲ ପଶିଥିବା ଜଣାପଡ଼ିଛି । ପାଞ୍ଚ ଏକର ମକା ଫସଲ ନଷ୍ଟ ହୋଇଛି । ଖାଇଲେ ଆଉ ଦଳିଲେ ମଧ୍ୟ । ପ୍ରଥମ ଥର ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ପଲ । ଦୁଇଟି ଛୁଆ ସହ ୧୪ଟି ହାତୀ ପଡୋଶୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ ସଂରକ୍ଷିତ ଜଙ୍ଗଲ ପଟୁ ନବରଙ୍ଗପୁର ଜିଲ୍ଲାରେ ପଶିଥିଲେ ।

 ରାତି ପାଖାପାଖି ଦୁଇଟା ସମୟରେ ପଶି ଆସିଥିଲେ ହାତୀ । ଦୁଇ ଘଣ୍ଟା କାଳ ମକା ଫସଲ ଖାଇବା ଓ ନଷ୍ଟ କରିବା ପରେ ହାତୀ ଗୁଡିକ ପୁଣି ଛତିଶଗଡ଼ ଜଙ୍ଗଲକୁ ଫେରି ଯାଇଥିବା ରାଇଘର ବନ ବିଭାଗ କହିଥିଲା । କିନ୍ତୁ ହାତୀ ପଲ ଛତିଶଗଡ଼ ନଫେରି ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ରେଞ୍ଜ ଅଧିନସ୍ଥ ଚିଡ଼େଇପାଣି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛନ୍ତି । ପାଖାପାଖି ୫୦ ଏକରରୁ ଅଧିକା ମକା ଫସଲ ନଷ୍ଟ କରିଛନ୍ତି।

ଏହି ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ମାନେ ହାତୀ ଘଉଡ଼େଇବା ପାଇଁ ଚେଷ୍ଟା କରୁଛନ୍ତି। ମକା ଚାଷୀ ମାନେ ଫସଲ ନଷ୍ଟକୁ ନେଇ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ହାତୀ ପଲ କାହାରିକୁ ଆକ୍ରମଣ କରିନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.