ମିଳିତ ମଞ୍ଚର ଗୁରୁଦିବସକୁ କଳାଦିବସ ଭାବେ ପାଳନକୁ ନାପସନ୍ଦ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | September 05, 2018 IST

ଭୁବନେଶ୍ବର ୫|୯: ଗୁରୁଦିବସକୁ ଅଧ୍ୟାପକ ଓ ଶିକ୍ଷକମାନେ କଳାଦିବସ ଭାବେ ପାଳନ କରୁଥିବାବେଳେ ଏହାକୁ ନାପସନ୍ଦ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଶିକ୍ଷକମାନେ ଗୁରୁ ଦିବସ ପାଳନ କରନ୍ତି ନାହିଁ , ଗୁରୁଦିବସ ପାଳନ କରନ୍ତି ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ । ମିଳିତ ମଂଚ ସହ ସରକାର ଆଲୋଚନା କରୁଛନ୍ତି । ସେମାନଙ୍କ ୧୨ ଦଫା ଦାବି ସଂପର୍କରେ ସରକାର ସଚେତନ ଅଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଶିକ୍ଷକମାନଙ୍କ ପାଇଁ ମଧ୍ୟ ତତ୍ପର ଅଛନ୍ତି । ଗୁରୁମାନେ ମଧ୍ୟ ସେମାନଙ୍କ ଗୁରୁଙ୍କୁ ପୂଜା କରନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଧ୍ୟାପକ ଓ ଶିକ୍ଷକ ମିଳିତ ମଂଚ ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳନ କରୁଥିବା ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଅଧ୍ୟାପକ ଓ ଶିକ୍ଷକମାନଙ୍କ ଆନ୍ଦୋଳନ ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ବାରମ୍ବାର ଏଭଳି ବିବାଦୀୟ ମନ୍ତବ୍ୟ ଦେବାକୁ ନେଇ ମିଳିତ ମଂଚ ଅସନ୍ତୋଷ ପ୍ରକାଶ କରିଛି । ଆଜି ପ୍ରବଳ ବର୍ଷା ସତ୍ବେ ହଜାର ହଜାର ଅଧ୍ୟାପକ ଓ ଶିକ୍ଷକ ଭୁବନେଶ୍ବର ମହାତ୍ମାଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆସନ୍ତାକାଲିଠାରୁ ସମସ୍ତ ସ୍କୁଲ ଓ କଲେଜରେ ତାଲା ପକାଇବା ପାଇଁ ମଧ୍ୟ ଚେତାବନୀ ଦେଇଛି ମିଳିତ ମଂଚ । ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କ ମନ୍ତବ୍ୟ ଆନ୍ଦୋଳନକାରୀଙ୍କୁ ଆହୁରି ଉତ୍ତେଜିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.