ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ଲିଫ୍‌ଲେଟ୍‌ରେ ବିବାଦୀୟ ତଥ୍ୟ ପ୍ରସଙ୍ଗ : ଜଣେ କର୍ମଚାରୀଙ୍କୁ କରାଗଲା ସେବାନିବୃତ୍ତ, ଦୁଇ ଅଧିକାରୀଙ୍କୁ କୈଫିୟତ ତଲବ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ବର ୧୬।୧୧: ଲିଫ୍ ଲେଟ୍ ରେ ଗାନ୍ଧିଜୀଙ୍କ ମୃତ୍ୟୁ ନେଇ ଭୁଲ୍ ତଥ୍ୟ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ସେବାନିବୃତ୍ତ କରାଯାଇଥିବା ବେଳେ ଦୁଇ ଜଣ ଅଧିକାରୀଙ୍କଠାରୁ କୈଫିୟତ ତଲବ କରାଯାଇଛି । ଏଭଳି ଭୁଲ୍ ଅନିଚ୍ଛାକୃତ ତୃଟି ଥିଲା । ଏଥିସହ ଭୁଲ୍ ତଥ୍ୟ ଥିବା ସମସ୍ତ ଲିଫ୍ ଲେଟ୍ କୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ମାସେ ମଧ୍ୟରେ ତଥ୍ୟ ସଂଶୋଧନ କରି ପୁଣି ପିଲାଙ୍କ ମଧ୍ୟରେ ଲିଫ୍ ଲେଟ୍ ବଣ୍ଟା।ଯିବ । ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।  

{"id":184934,"sizeSlug":"large"}

ମନ୍ତ୍ରୀ ବିବୃତ୍ତି ରଖିଛନ୍ତି ଯେ, ଏହି ଲିଫ୍ ଲେଟ୍ ମାଧ୍ୟମରେ ପିଲାଙ୍କୁ କୌଣସି ଭୁଲ ତଥ୍ୟ ଦେବା, ବିଭ୍ରାନ୍ତ କରିବା କିମ୍ବା ଘଟଣାଚକ୍ରକୁ ବଦଳାଇବାର କୌଣସି ଉଦ୍ଦେଶ୍ୟ ସରକାରଙ୍କର ନଥିଲା । ଏହା କେବଳ ଏକ ଅନିଚ୍ଛାକୃତ ତୃଟି । ସେଥିପାଇଁ ଲିଫ୍ ଲେଟ୍ କୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଜଣେ କର୍ମଚାରୀଙ୍କୁ ସେବାନିବୃତ୍ତ କରିବା ସହ ଦୁଇ ଜଣ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି । ପ୍ରତ୍ୟାହୃତ ଲିଫ୍ ଲେଟ୍ ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ପୁନଃ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାସେ ମଧ୍ୟରେ ବଣ୍ଟାଯିବ ।

{"id":184935,"sizeSlug":"large"}

୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧିଜୀଙ୍କ ଅକାଳ ବିୟୋଗ ଘଟିଥିଲା ବୋଲି ଲିଫ୍ ଲେଟ୍ ରେ ଉଲ୍ଲେଖ ରହିଥିଲା । ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଲିଫ୍ ଲେଟ୍ ସଂପର୍କରେ ଆଲୋଚନା ପାଇଁ ଗତକାଲି କଂଗ୍ରେସ ଦାବି କରିଥିଲା । ଏଭଳି ଭୁଲକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ଆକ୍ଷେପ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ନରସିଂହ ମିଶ୍ର ଗତକାଲି ପ୍ରଶ୍ନକାଳରେ ପଡା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ନେଇ ରାଜସ୍ବ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ । ନରସିଂହ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜସ୍ବ ଗ୍ରାମ ଗୁଡିକରେ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ କି । ଅବଶ୍ୟ ରାଜସ୍ବ ମନ୍ତ୍ରୀ ସୁଦାମ ମାରଣ୍ଡି ଉତ୍ତରରେ କହିଥିଲେ ଯେ, ମୂର୍ତ୍ତି ସ୍ଥାପନ କରିବା ତାଙ୍କ ବିଭାଗର ଦାୟିତ୍ବ ନୁହେଁ ।

{"id":184936,"sizeSlug":"large"}

ଗତକାଲି ଗୃହର ଶୂନ୍ୟକାଳରେ ଏ ପ୍ରସଙ୍ଗ ନେଇ ବେଶ୍ ହୋହଲ୍ଲା ହୋଇଥିଲା । ସରକାରଙ୍କୁ ବିଭିନ୍ନ ଭାବରେ ସମାଲୋଚନା କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହା ଯଦି ଅନିଚ୍ଛାକୃତ ତେବେ ସରକାର କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିବା ସହ ଯଦି ଏହା ଇଚ୍ଛାକୃତ ତାହାଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ଏଥିସହ ଏ ପ୍ରସଙ୍ଗରେ ମନ୍ତ୍ରୀ ବିବୃତ୍ତି ଦେବା ଲାଗି ବାଚସ୍ପତିଙ୍କ ରୁଲିଂ ଦାବି ମଧ୍ୟ ହୋଇଥିଲା । ଘଟଣାର ଗମ୍ଭୀରତା ଦୃଷ୍ଟିରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ବିବୃତ୍ତି ରଖିବା ଲାଗି ବିଭାଗୀୟ ମନ୍ତ୍ରୀ ସମୀର ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.