ମାସ୍କ କିଣାରେ କୌଣସି ଅନିୟମିତତା ହୋଇନାହିଁ: ସସ୍ମିତ ପାତ୍ର

Published By : Prameya-News7 Bureau | June 12, 2020 IST

ଭୁବନେଶ୍ୱର୧୨/୬: ମାସ୍କ କିଣାରେ କୌଣସି ଅନିୟମିତତା ହୋଇନାହିଁ । କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ଅକ୍ଷରରେ ଅକ୍ଷରରେ ପାଳନ କରାଯାଇଛି । ରାଜ୍ୟ ସରକାର ମାସ୍କ କିଣାରେ ପୂରା ସ୍ୱଚ୍ଛତା ନୀତି ଅବଲମ୍ବନ କରିଛନ୍ତି । କରୋନା ମୁକାବିଲାରେ ଓଡ଼ିଶା ସରକାରଙ୍କ ତ୍ୱରିତ୍‌ ପଦକ୍ଷେପ ଓ ପରିଚାଳନାକୁ ସାରା ଦେଶରେ ପ୍ରଶଂସା କରାଯାଉଛି । ହେଲେ କରୋନା ମହାମାରୀ ଭଳି ସଙ୍କଟ ସମୟରେ କଂଗ୍ରେସ ଦଳ ଶସ୍ତା ରାଜନୀତି କରୁଛି । ସଜ ମାଛରେ କଂଗ୍ରେସ ପୋକ ପକାଉଛି । ରାଜନୀତି ପାଇଁ ଯେଉଁଭଳି ମିଥ୍ୟା ଓ ଅପପ୍ରଚାର କରାଯାଉଛି, ଓଡ଼ିଶାବାସୀ କେବେ କ୍ଷମା ଦେବେନି ।

ମାସ୍କ କିଣା ପ୍ରସଙ୍ଗ ନେଇ ଆଜି ଏଭଳି ଜବାବ ରଖିଛି ବିଜେଡି । ବିଜେଡି ସାଂସଦ ତଥା ମୁଖପାତ୍ର ଡ. ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କରୋନା ମହାମାରୀ ଯେଉଁ ବିପର୍ଯ୍ୟୟ ସୃଷ୍ଟି କରିଛି, ତାହା ବିଶ୍ୱ କେବେ ଦେଖିନଥିଲା । କରୋନା ମୁକାବିଲା ପାଇଁ ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡ଼ିକରେ ମାସ୍କ, ପିପିଇ, ଭେଣ୍ଟିଲେଟର ଭଳି ମେଡିକାଲ ଉପକରଣର ଘୋର ଅଭାବ ସ୍ଥିତି ଦେଖିବା ପରେ ଓଡ଼ିଶା ସରକାର ସତର୍କ ହୋଇଥିଲେ । ମାର୍ଚ୍ଚ ପ୍ରାରମ୍ଭରୁ କରୋନା ବିପଦର ପୂର୍ବାନୁମାନ କରି ରାଜ୍ୟବାସୀ ଏବଂ କରୋନା ଯୋଦ୍ଧାଙ୍କ ଜୀବନ ରକ୍ଷା ପାଇଁ ଆଗୁଆ ବ୍ୟବସ୍ଥା ଗ୍ରହଣ କରିଥିଲେ ରାଜ୍ୟ ସରକାର । ତ୍ୱରିତ୍‌ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ ମେଡିକାଲ ଉପକରଣ କିଣିବା ସହ କୋଭିଡ ଡାକ୍ତରଖାନା କରି ୬ ହଜାର ବେଡ୍‌ ବ୍ୟବସ୍ଥା କରାଗଲା । ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲିଲା । ଏଥିପାଇଁ କୋଭିଡ ମୁକାବିଲାରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ।

ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠୁ କମ୍‌ ରହିଛି । ସସ୍ମିତ କହିଛନ୍ତି, ଆଗଧାଡ଼ିରେ ରହି କରୋନା ମୁକାବିଲା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଲାଗି ମାସ୍କ ଅତ୍ୟନ୍ତ ଜରୁରୀ । ଯେତେବେଳେ ମାସ୍କର ଚାହିଦା ଅଚାନକ ପ୍ରବଳ ମାତ୍ରାରେ ବଢ଼ିଗଲା, ସେତେବେଳେ ସାରା ଦେଶରେ ଏହାର ଘୋର ଅଭାବ ଦେଖାଗଲା । ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ବୈଷୟିକ କିମିଟି କରୋନା ମୁକାବିଲା ପାଇଁ ୫ କୋଟି ୩-ପ୍ଲାଇ ମାସ୍କ ଆବଶ୍ୟକ ବୋଲି ଦର୍ଶାଇଲେ । ଏପଟେ ମାସ୍କ, ପିପିଇ, ଭେଣ୍ଟିଲେଟଣର ଘୋର ଅଭାବ ଯୋଗୁ ବଜାର ଦର ଅଚାନକ ହୁ ହୁ ହୋଇ ବଢ଼ିଲା । କେନ୍ଦ୍ର ସରକାର ୩-ପ୍ଲାଇ ମାସ୍କର ଦର ୧୦ ଟଙ୍କା ସ୍ଥିର କରିବା ସହ ଏ ନେଇ ବିଜ୍ଞପ୍ତି ଜାରି କଲେ । ହେଲେ ଆବଶ୍ୟକତା ଅନୁଯାୟୀ ମାସ୍କ ଯୋଗାଣ ହୋଇପାରିନଥିଲା । ଫଳରେ ମାତ୍ର ୩ ଦିନ ଭିତରେ ଅର୍ଥାତ୍‌ ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ୩-ପ୍ଲାଇ ମାସ୍କର ଦର ୧୬ ଟଙ୍କାକୁ ବଢ଼ାଇବା ସହ ଏ ନେଇ ପୁଣି ଥରେ ବିଜ୍ଞପ୍ତି ଜାରି କଲେ । ମାର୍ଚ୍ଚ ଓ ଏପ୍ରିଲ ମାସରେ ଅଧିକାଂଶ ରାଜ୍ୟ ଅଧିକ ଦରରେ ମାସ୍କ କିଣିବାକୁ ବାଧ୍ୟ ହେଲେ ।

ମହାରାଷ୍ଟ୍ର ୧୬ ଟଙ୍କାରେ ମାସ୍କ କିଣିଥିବାବେଳେ କେରଳ ୧୬ ଟଙ୍କା, ଗୁଜରାଟ ୨୦ ଟଙ୍କା, କର୍ଣ୍ଣାଟକ ୧୮ ଟଙ୍କା ୭୪ ପଇସା, ପଶ୍ଚିମବଙ୍ଗ ୧୮ ଟଙ୍କା ୭୪ ପଇସା, ତାମିଲନାଡ଼ୁ ସରକାର ୧୫ ଟଙ୍କା ୯୬ ପଇସାରେ ମାସ୍କ କିଣିଛନ୍ତି । କେନ୍ଦ୍ର ସରକାର ମାସ୍କ ପ୍ରତି ଧାର୍ଯ୍ୟ କରିଥିବା ୧୬ ଟଙ୍କାର ଦରକୁ ଓଡ଼ିଶା ସରକାର କେଉଁଠାରେ ଅତିିକ୍ରମ କରିନାହାନ୍ତି । ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ମାସ୍କ କିଣାଯାଇନାହିଁ । ତେଣୁ କୌଣସି ଅନିୟମିତତା ହୋଇନାହିଁ । ସସ୍ମିତ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ସୁରକ୍ଷିତ କରିଥିବାରୁ ଓଡ଼ିଶାରେ ଏବେ ବି ଦେଶର ଅନ୍ୟ ରାଜ୍ୟ ତୁଳନାରେ ସ୍ଥିତି ଭଲ ଅଛି । ଯେଉଁମାନେ ମାସ୍କ କିଣାକୁ ନେଇ ଚିତ୍କାର କରୁଛନ୍ତି, ଯଦି ଆମେ ମାସ୍କ କିଣିନଥାନ୍ତୁ, ସେମାନେ ମାସ୍କର ଅଭାବ ସ୍ଥିତିକୁ ନେଇ ମଧ୍ୟ ରାଜନୀତି କରିଥାନ୍ତେ । ଆଗ ଧାଡ଼ିରେ ଲଢ଼ୁଥିବା ଯୋଦ୍ଧାଙ୍କ ସୁରକ୍ଷା ଓ ମହାମାରୀ ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ଲାଗି ସରକାର ସବୁ ଉଦ୍ୟମ କରିଛନ୍ତି । ତ୍ୱରିତ୍‌ ନିଷ୍ପତ୍ତି, ଦୃଢ଼ ନେତୃତ୍ୱ ଓ ରାଜ୍ୟବାସୀଙ୍କ ତ୍ୟାଗ ରାଜ୍ୟକୁ ବେଶ୍‌ ସହାୟକ ହୋଇଛି।

ଗତ ୩ ମାସ ମଧ୍ୟରେ ରାଜ୍ୟବାସୀ କରୋନା ମୁକାବିଲା ପାଇଁ ଅନେକ ତ୍ୟାଗ କରିଛନ୍ତି । ସାଢ଼େ ୪ କୋଟି ଲୋକଙ୍କ ସହଯୋଗ ପାଇଁ କରୋନା ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ହେଲେ ବିରୋଧୀ ହୀନ ରାଜନୀତି କରୁଛନ୍ତି । କରୋନା ଯୋଦ୍ଧାଙ୍କ ଦୃଢ଼ ମନୋବଳକୁ ବିରୋଧୀଙ୍କ ମିଥ୍ୟା, ଅପପ୍ରଚାର ଭାଙ୍ଗି ପାରିବ ନାହିଁ । ଯଦି ବିରୋଧୀଙ୍କ ପାଖରେ କିଛି ପ୍ରମାଣ ଅଛି, ତେବେ ସେମାନେ ଅଦାଲତକୁ ଯାଇପାରନ୍ତି । ସସ୍ମିତ କହିଛନ୍ତି, କରୋନା ସଙ୍କଟବେଳେ ବିରୋଧୀମାନେ ଯେଉଁଭଳି ହୀନ ରାଜନୀତି କରୁଛନ୍ତି, ତାହାକୁ ରାଜ୍ୟବାସୀ କେବେ କ୍ଷମା ଦେବେନି । ଏବେ ରାଜନୀତି କରିବାର ସମୟ ନୁହେଁ । କରୋନା ବିରୋଧରେ ମିଳିତ ଭାବେ ଲଢ଼େଇ କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.