୫୦ବର୍ଷ ପୁର୍ତ୍ତି ଅବସରରରେ ମନେପଡିଲେ ୧୯୭୧ ମସିହା ଯୋଦ୍ଧା, ଢେଙ୍କାନାଳ ରାଜପ୍ରାସାଦରେ ପହଞ୍ଚିଲା ଭାରତୀୟ ସୈନ୍ୟ ବାହିନୀର ମଶାଲ

Published By : Prameya-News7 Bureau | November 04, 2021 IST

ଢେଙ୍କାନାଳ,୦୪। ୧୧: ୧୯୭୧ ମସିହା ପାକିସ୍ତାନ ସହ ଯୁଦ୍ଧରେ ସଫଳତାର ସହ ବିଜୟ ଲାଭ କରି ବାଂଲାଦେଶକୁ ସ୍ୱାଧୀନତା ଦେଇଥିବା ଭାରତୀୟ ସୈନ୍ୟ ବାହିନୀର ବିଜୟର ୫୦ ବର୍ଷ ପୁର୍ତ୍ତି ପାଳନ କରୁଛି ଭାରତ । ତେବେ ଏହି ଯୁଦ୍ଧରେ ସାମିଲ ହୋଇଥିବା ବୀର ସୈନିକମାନଙ୍କୁ ମନେ ପକାଇ ସ୍ୱତନ୍ତ୍ର ବିଜୟ ମଶାଲ ସେମାନଙ୍କ ପାଖରେ ପହଂଚି ଭାରତର ଏହି ବୀର ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୧୯୭୧ ମସିହା ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ସୈନ୍ୟବାହିନୀର ପୂର୍ବତନ ବ୍ରିଗେଡିୟର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ଓ ତାଙ୍କ ସାନଭାଇ ଭାରତୀୟ ଆକାଶ ବାହିନୀର ଉଇଙ୍ଗ କମାଣ୍ଡର ବିରଜା ଶଙ୍କର ସିଂହଦେଓଙ୍କୁ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ମର୍ମରେ ଭାରତୀୟ ସୈନ୍ୟ ବାହିନୀ ପକ୍ଷରୁ ଏକ ସ୍ୱତନ୍ତ୍ର ବିଜୟ ମଶାଲ ଆସି ବ୍ରିଗେଡିୟର କେପି ସିଂହଦେଓଙ୍କ ବାସଭବନ ଢେଙ୍କାନାଳ ରାଜପ୍ରାସାଦରେ ପହଞ୍ଚିଥିଲା । ୧୨୦ ବଟାଲିୟନର ଷ୍ଟେସନ ହେଡ କ୍ୱାର୍ଟର କମାଣ୍ଡାଣ୍ଟ ରିଷି ୟାହିଙ୍କ ନେତୃତ୍ୱରେ ୧୨୦ ବାଟାଲିୟନ, ପଞ୍ଜାବ ରେଜିମେଣ୍ଟ ଓ ବିହାର ରେଜିମେଣ୍ଟର ସାମରିକ ଅଧିକାରୀମାନେ ବ୍ରିଗେଡିୟର କେପି ସିଂହଦେଓଙ୍କୁ ଏହି ବିଜୟ ମଶାଲ ପ୍ରଦାନ କରିବା ସହ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ ।

ପରେ ପରେ ପୂର୍ବତନ ଉଇଙ୍ଗ କମାଣ୍ଡର ବିରଜା ଶଙ୍କର ସିଂଦେଓଙ୍କ ବାସଭବନକୁ ଯାଇ ମଶାଲ ପ୍ରଦାନ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଢେଙ୍କାନାଳ ରାଜପ୍ରାସାଦରେ ରାଜପରିବାରର ସଦସ୍ୟ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିବାବେଳେ ଭାରତ ସରକାର ପୂର୍ବତନ ସୈନିକମାନଙ୍କୁ ମନେ ପକାଇଥିବାରୁ ବେଶ ଗର୍ବିତ ଅନୁଭବ କରି  ଯୁବକମାନଙ୍କୁ ସୈନ୍ୟବାହିନୀରେ ସାମିଲ ହୋଇ ଭାରତ ମାତାର ସୁରକ୍ଷା ଦିଗରେ ଚିନ୍ତା କରିବାକୁ ଆହ୍ୱାନ ଦେଇଛନ୍ତି ବ୍ରିଗେଡିୟର କେପି ସିଂହଦେଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.