କରୋନା ସମୟରେ ଗାଁ ଲୋକଙ୍କ ପାଖରେ ବେଶି ପଇସା: ଗ୍ରାମାଞ୍ଚଳରେ ଅଧିକ ଗାଡି ବିକିଛନ୍ତି କାର କମ୍ପାନୀ
5/07/2020 at 6:04 PM

ନୂଆଦିଲ୍ଲୀ ୦୫।୦୭: କରୋନା ମହାମାରୀ କାରଣରୁ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳର ଆର୍ଥିକ ସ୍ଥିତି ଅଧିକ ପ୍ରଭାବିତ ହୋଇଛି। ଏମିତି ଆମେ ଏଥିପାଇଁ କହୁଛୁ, କାରଣ ଦେଶର ସବୁଠୁ ବଡ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଅନୁଯାୟୀ, କରୋନା ସଙ୍କଟର ଏହି ସମୟରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କାରର ଚାହିଦା ବୃଦ୍ଧି ପାଇଛି। ସହରାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି।?
ମାରୁତି ସୁଜୁକିର ପରିଚାଳକ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଜୁନ୍ ପ୍ରାରମ୍ଭରେ ଭଲ ବର୍ଷା ହୋଇଥିବାରୁ ଗ୍ରାମୀଣ ବଜାରର ସ୍ଥିତି ଭଲ ରହିଛି। ସଠିକ୍ ସମୟରେ ମୌସୁମି ପହଞ୍ଚିବା ଏବଂ ଭଲ ବର୍ଷା ହେବାରୁ ଖରିଫ ଫସଲ ବୁଣା ଭଲ ହୋଇଛି। ତେଣୁ ସହରାଞ୍ଚଳ ତୂଳନାରେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇଛି। ଜୁନ ମାସରେ ଗ୍ରାମାଞ୍ଚଳରେ ମାରୁତିର ବିକ୍ରି ବଢି ୪୦ ପ୍ରତିଶତ ହୋଇଛି। ଯାହା ଗତ ବର୍ଷ ସମାନ ଅବଧି ତୂଳନାରେ ଏକ ପ୍ରତିଶତ ଅଧିକ।
ଜୁନରେ ବଢିଛି ବିକ୍ରି
ଜୁନରେ ମାରୁତି ସୁଜୁକିର ଘରୋଇ ବିକ୍ରି ୫୩.୭ ପ୍ରତିଶତରୁ ବଢି ୫୩.୧୩୯ ପ୍ରତିଶତ ରହିଛି। ୨୦୧୯ ଜୁନରେ କମ୍ପାନୀ ଘରୋଇ ବଜାରରେ ୧, ୧୪, ୮୬୧ଟି କାର ବିକ୍ରି କରିଥିଲା। କିନ୍ତୁ ଚଳିତ ବର୍ଷ ମେ ମାସ ତୂଳନାରେ ଜୁନ୍ରେ ବିକ୍ରି ଭଲ ରହିଛି। ମେ ମାସରେ କମ୍ପାନୀ ଘରୋଇ ବଜାରରେ ୧୩,୮୮୮ କାର ବିକ୍ରି କରିଥିଲା। କଣ ଆଗାମୀ ସମୟରେ କମ୍ପାନୀର ବିକ୍ରି ଭଲ ରହିବ ? ଏହି ପ୍ରଶ୍ନର ଉତ୍ତରରେ ଶ୍ରୀବାସ୍ତବ କହିଛନ୍ତି, ଏହାର ଅନୁମାନ କରିବା ମୁସ୍କିଲ। ଏହା ନିର୍ଭର କରେ ଯେ, କୋଭିଡ୍-୧୯ର ସ୍ଥିତି କେମିତି ରହିବ।
ଟ୍ରାକ୍ଟର ବିକ୍ରିରେ ବୃଦ୍ଧି
ଅର୍ଥଶାସ୍ତ୍ରୀ ଓ କର୍ପୋରେଟ୍ ଜଗତର କହିବା କଥା ନିମ୍ନମୁଖୀ ହୋଇ ସାରିଥିବା ଅର୍ଥବ୍ୟବସ୍ଥାକୁ ଏବେ ଗ୍ରାମାଞ୍ଚଳର ନୂତନ ଉର୍ଜା ମିଳିବ। ମେ ମାସରେ ଘରୋଇ ବଜାରରେ ଟ୍ରାକ୍ଟର ବିକ୍ରି ୪ ପ୍ରତିଶତ ବୃଦ୍ଧି ପାଇଛି। ଯାହା ସଙ୍କେତ ଦେଉଛି, ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ସହରାଞ୍ଚଳଠୁ ଅପେକ୍ଷାକୃତ ଭଲ ରହିଛି।