ଶ୍ୱଶୁର ଏବଂ ଦିଅର ବିରୋଧରେ ଥାନାରେ ଏତଲା ଦେଲେ ପୁଲୱାମା ସହିଦଙ୍କ ପତ୍ନୀ

Published By : Prameya-News7 Bureau | March 28, 2019 IST

କାନପୁର ୨୮/୩ : ପୁଲୱାମା ହମଲାରେ ସହିଦ ହୋଇଥିବା ସିଆରପିଏଫ ଯବାନ ପ୍ରଦୀପ ଯାଦବଙ୍କ ପତ୍ନୀ ନିଜ ଶ୍ୱଶୁର ଏବଂ ଦିଅର ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | କାନପୁର ଅନ୍ତର୍ଗତ କଲ୍ୟାଣପୁର ପୋଲିସ ମଙ୍ଗଳବାର ରାତିରେ ମାରପିଟ ଏବଂ ଧମକ ଦେଉଥିବା ସହିଦଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ |


କନୌଜ ଅନ୍ତର୍ଗତ ଅଜାନ ଗାଁର ପ୍ରଦୀପ ଯାଦବ ଫେବୃଆରୀ ୧୪ ତାରିଖରେ ପୁଲୱାମା ହମଲାରେ ସହିଦ ହୋଇଯାଇଥିଲେ | ତାଙ୍କ ପରିବାର କଲ୍ୟାଣପୁର ଅନ୍ତର୍ଗତ ବାରସିରୋହିରେ ରୁହନ୍ତି | ସହିଦଙ୍କ ପତ୍ନୀ ନିରଜ ଯାଦବ ମାର୍ଚ୍ଚ ୨୪ ତାରିଖରେ କଲ୍ୟାଣପୁର ଥାନାରେ ଶ୍ୱଶୁର ଆମର ସିଂହ, ଦିଅର କୁଲଦୀପ ସିଂହ, ସାନ ଯା' ରେଖା, ଶାଶୁ ସରୋଜିନୀ ଏବଂ ଦାଦା ଶ୍ୱଶୁରଙ୍କ ବଡ ପୁଅ ରାଜେଶ ଯାଦବଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗରେ ମାମଲା ରୁଜ୍ଜୁ କରିଥିଲେ |


ଘରର ସମ୍ପତ୍ତି ବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ହୋଇଥିଲା | ଶ୍ୱଶୁର ଘରଲୋକ ତାଙ୍କୁ ମାରପିଟ ଏବଂ ସରକାରଙ୍କ ତରଫରୁ ମିଳିଥିବା ଆର୍ଥିକ ସହାୟତାରେ ହେରଫେର କରିଥିବା ଅଭିଯୋଗ କରିଥିଲେ | ମାର୍ଚ୍ଚ ୨୫ ତାରିଖରେ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଉଭୟଙ୍କ ମଧ୍ୟରେ ବୁଝାମଣା କରାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ଉଭୟ ପକ୍ଷଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇନଥିଲା | ବରଂ ସେମାନେ ଥାନାରେ ମଧ୍ୟ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ |


ପୋଲିସ ଅଧିକାରୀ ଅଶ୍ୱିନୀ ପାଣ୍ଡେ କହିଛନ୍ତି ଯେ, ଉଭୟ ପକ୍ଷଙ୍କୁ ପରସ୍ପର ମଧ୍ୟରେ ବୁଝାମଣା କରିବାକୁ କୁହାଯାଇଥିଲା କିନ୍ତୁ ଏଥିରେ କେହି ହେଲେ ରାଜି ନଥିଲେ | ପୀଡିତା ଦୁଇଥର ଏତଲା ଦେଇଥିଲେ | ପୀଡିତାଙ୍କ ଏତଲା ଆଧାରରେ ମାମଲା ରୁଜ୍ଜୁ କରାଯାଇଥିଲା | ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.