ଶହିଦ ପିତାଙ୍କ ଚିତାକୁ ମୁଖାଗ୍ନି ଦେଲା ୩ ବର୍ଷର ପୁଅ, ଲୁହରେ ଭିଜିଲା ସଭିଙ୍କ ଆଖି

Published By : Prameya-News7 Bureau | August 04, 2019 IST

ଛତା: ଜମ୍ମୁ-କାଶ୍ମୀର ସୋପିୟାଂରେ ଆତଙ୍କାବାଦୀଙ୍କ ମୁକାବିଲା ବେଳେ ଶହିଦ ହୋଇଥିବା ଭାରତୀୟ ଜବାନ ରାମବୀର ବେନିୱାଲଙ୍କ ଅନ୍ତ୍ୟେଷ୍ଟି ଶେଷ ହୋଇଛି। ଶହିଦଙ୍କ ୩ ବର୍ଷର ପୁଅ ଶିବା ପିତାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ପତ୍ନୀ ସାଲ୍ୟୁଟ୍  କରି ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଅନ୍ତ୍ୟେଷ୍ଟି ବେଳର ଏହି ହୃଦୟ ବିଦାରକ ଦୃଶ୍ୟ ରାଜ୍ୟମନ୍ତ୍ରୀମଣ୍ଡଳର ମନ୍ତ୍ରୀଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ଦ୍ରବିଭୂତ କରିଛି।

{"id":140736}

ଜାତୀୟପତାକାରେ ଘୋଡା ହୋଇଥିବା ଶହିଦଙ୍କ ଶବ ଦେଖି ତାଙ୍କ ମା କୃଷ୍ଣା ଓ ପତ୍ନୀ କାନ୍ଦି କାନ୍ଦି ଅଥୟ ହୋଇପଡିଥିଲେ। ପରିବାରର ମହିଳାମାନେ ସେମାନଙ୍କ ଶାହସ ବାନ୍ଧିବାକୁ ଉଦ୍ୟମ କରିଥିଲେ। ହେଲେ ଯାହା ପରିବାରରୁ ଲୋକ ଶହିଦ ହେଉଛନ୍ତି ଯନ୍ତ୍ରଣା କେବଳ ସେହିମାନେ ହିଁ ଜାଣନ୍ତି। ଗତ ୨୦୧୨ ମସିହାରେ ଜବାନ ରାମବୀରଙ୍କ ବିବାହ  ଛତା ନିବାଶୀ ନିତୁଙ୍କ ସହ ହୋଇଥିଲା। ସେମାନଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି। ବଡ ପୁଅ ଶିବା ୩ ବର୍ଷର ହୋଇଥିବା ବେଳେ ସାନ ପୁଅ ଆଦିତ୍ୟ ଏବେ ମା କୋଳରେ। ଏଣୁ ଶିବା ତାଙ୍କ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି।

{"id":140737,"width":584,"height":394}

ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀନାରାୟଣ ସିଂହ ଶିବାକୁ କୋଳରେ ଧରି ମୁଖାଗ୍ନି ରିତି ପୁରା କରିଥିଲେ। ଶହିଦଙ୍କ ଅନ୍ତ୍ୟେଷ୍ଟିରେ ମନ୍ତ୍ରୀ ଲକ୍ଷ୍ମୀନାରାୟଣଙ୍କ ବ୍ୟତୀତ ରାଜ୍ୟ ଶକ୍ତିମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, ମାଣ୍ଟ ବିଧାୟକ ଶ୍ୟାମସୁନ୍ଦର ଶର୍ମା ଓ ପୂର୍ବତନ ମନ୍ତ୍ରୀ ତେଜପାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀନାରାୟଣ ଶହିଦଙ୍କ ପରିବାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏହା ଛଡା ଶହିଦଙ୍କ ପରିବାରର ଜଣକୁ ସରକାରୀ ଚାକିରୀ, ମୁଖ୍ୟ ସଡକର ନାମ ଶହିଦଙ୍କ ନାମାନୁସାରେ ନାମକରଣ ସହ ଗାଁରେ ଏକ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମର ଫାଟକନିର୍ମାଣ ନିମନ୍ତେ  ବିଧାୟକ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ମଧ୍ୟ ମନ୍ତ୍ରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.