ପଞ୍ଚଭୂତରେ ବିଲିନହେଲେ ସହିଦ ଅଜିତ୍ କୁମାର ସାହୁ, ଚିର ବିଦାୟ ଦେଇଛି ଜନ୍ମମାଟି
20/06/2019 at 7:18 PM

କାମାକ୍ଷାନଗର ୨୦।୬: ପଞ୍ଚଭୂତରେ ବିଲ୍ଲିନହେଲେ ସହିଦ ଅଜିତ୍ କୁମାର ସାହୁ । ବୀର ଯବାନଙ୍କୁ ଚିର ବିଦାୟ ଦେଇଛି ଜନ୍ମମାଟି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଜଳିଛି ଚିତା । ଅଶ୍ରୁଳ ନୟନରେ ବୀର ପୁଅକୁ ବିଦାୟ ଦେଇଛନ୍ତି ହଜାର ହଜାର ଜନତା । ଶବାଧାରଠୁ ଶ୍ମଶାନ ଘାଟ- ଅଜିତ୍ ଅମର ରହେ ଧ୍ବନିରେ କମ୍ପିଥିଲା ଗଗନ ପବନ । ଜନସମୁଦ୍ର ପାଲଟି ଯାଇଥିଲା ବଡସୁଆଁଳ ଗାଁ । ଏମିତିକି ଗଛ ଉପରେ ଚଢି ଲୋକେ ସହିଦଙ୍କୁ ଶେଷ ଦେର୍ଶନ କରିଥିଲେ । ମନରେ ଗର୍ବ- ପୁଅ ଦେଶ ମାତୃକାର ସେବା ପାଇଁ ଜୀବନ ଦେଇଛି..ସହିଦ୍ ହୋଇଛି । ବଡ ଭାଇ ଆଲୋକ ସାହୁ ମୁଖାଗ୍ନି ଦେଇଥିଲେ।

ବୁଧବାର ବିଳମ୍ବିତ ରାତିରେ ଅଜିତଙ୍କ ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରୁ ୧୨୦ ବାଟାଲିୟନକୁ ନିଆଯାଇଥିଲା। ସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଗୁରୁବାର ସକାଳେ ଜନ୍ମମାଟିରେ ପହଞ୍ଚିଥିଲା ପାର୍ଥିବ ଶରୀର। ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ଶେଷ ଦର୍ଶନ ଲାଗି କିଛି ସମୟ ରଖାଯାଇଥିଲା। ପରେ ଅଜିତଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ଜନ୍ମମାଟି କାମାକ୍ଷାନଗରର ବଡ଼ସୁଆଁଳ ଗାଁକୁ ନିଆଯାଇଥିଲା।

ମରଶରୀର ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଗାଁ ପରିବେଶ ଯେମିତି ଫାଟି ପଡୁଥିଲା। ଗତ ୧୭ ତାରିଖରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ମୁକାବିଲା ବେଳେ ସହିଦ ହୋଇଥିଲେ ଅଜିତ କୁମାର ସାହୁ । ତାଙ୍କ ସହ ଜଣେ ମେଜର ମଧ୍ୟ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଯବାନ ଆହତ ହୋଇଛନ୍ତି।