ଥାନା ଅଧିକାରୀ ଧୋକା ଦେବାରୁ ଆତ୍ମହତ୍ୟା କଲେ ବିବାହିତ ମହିଳା କନଷ୍ଟେବଲ, ପୂର୍ବରୁ କରିଥିଲେ ପ୍ରେମ ବିବାହ

Published By : Prameya-News7 Bureau | September 06, 2020 IST

ପାଟନା ୦୬।୦୯: ବିହାରର ଅରରିୟାରେ ସିମରାହା ଥାନାର ଜଣେ ମହିଳା କନଷ୍ଟେବଲ ଶ୍ରୁତି କୁମାରୀ ଆତ୍ମହତ୍ୟା କରିଛନ୍ତି। ଏହି ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ହେଉଛନ୍ତି ଥାନା ଅଧିକାରୀ। ଏସପି ହୃଦୟକାନ୍ତ ନରପତଜଙ୍ଗର ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଗିରଫ କରିବାକୁ ଆଦେଶ ଦେଇଛନ୍ତି। ଗିରଫଦାରୀର ସୁରାଗ ମିଳିବା ମାତ୍ରେ ଅଭିଯୁକ୍ତ ଥାନା ଅଧିକାରୀ ଥାନାରେ ମୋବାଇଲର ସିମ୍ କାର୍ଡ ଦେଇ ଫେରାର ହୋଇ ଯାଇଛନ୍ତି।

ଶ୍ରୁତିଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ସ୍ଵାମୀ କୁମାର ଗୌରବ ଥାନା ଅଧିକାରୀଙ୍କ ବିରୋଧରେ ସଙ୍ଗୀତ ଅଭିଯୋଗ ଆଣି ଏଫଆଇଆର ରୁଜୁ କରିଛନ୍ତି। କୁମାର ଗୌରବ ଅଭିଯୋଗ କରିଛନ୍ତି ଯେ, ଶ୍ରୁତିଙ୍କୁ ସାଥୀରେ ରଖିବାର ପ୍ରଲୋଭନ ଦେଇ ଥାନା ଅଧିକାରୀ ପ୍ରେମ ସଂପର୍କ ସ୍ଥାପନ କରିଥିଲା। ଏହା ପରେ ନିଜ କଥାରୁ ଥାନା ବାବୁ  ଓହରି ଯାଇଥିଲେ। ଏହି କାରଣରୁ ଶ୍ରୁତି ମାନସିକ ଅବସାଦରେ ରହୁଥିଲା। ଏବେ ସେ ଫାଶି ଲଗାଇ ଆତ୍ମହତ୍ୟା କରିଛି।

ମାମଲାରେ ଅରରିଆର ଡିଏସପି ଗୌତମ କୁମାର କହିଛନ୍ତି ଏହି ମାମଲାରେ ଏସପି ଦ୍ଵାରା ନରପତଜଙ୍ଗ ଥାନା ଅଧିକାରୀ କିଙ୍ଗ କୁନ୍ଦନଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଗିରଫଦାରୀ ଆଦେଶ ଦିଆଯାଇଛି। ଗିରଫ ଭୟରେ କୁନ୍ଦନ ଜିଲ୍ଲାରୁ ଫେରାର ହୋଇ ଯାଇଛି। ପୋଲିସ ଟିମ୍‌ ସନ୍ଧାନ ଜାରି ରଖିଛନ୍ତି।

କଣ ମାମଲା ?

ସୂଚନାଯୋଗ୍ୟ, ଶୁକବ୍ରାର ସିମରାହା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଭଡା ଘରେ ରହୁଥିବା ମହିଳା କନଷ୍ଟେବଳ ଶ୍ରୁତି କୁମାରୀ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ୨୦୧୮ ବ୍ୟାଚ୍‌ର ଥିଲେ। ଶ୍ରୁତି ସିମରାହା ଥାନାରେ କାର୍ଯ୍ୟରତ ଥିଲେ। ସେ ବିବାହିତ ଥିଲେ ଭଡା ଘରେ ରହୁଥିଲେ। ତାଙ୍କ ସ୍ଵାମୀ ମଧ୍ୟ ସେ ଘରକୁ ନିୟମିତ ଯା ଆସ କରୁଥିଲେ।

ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୧୦ଟା ୩୦ରେ ଶ୍ରୁତି ଭୋଜନ କରିବା ପରେ ଶୋଇବାକୁ ଯାଇଥିଲେ। ଶୁକ୍ରବାର ସକାଳେ ମୁଙ୍ଗେରରୁ ତାଙ୍କ ସ୍ଵାମୀଙ୍କ ଫୋନ ରିସିଭ ନକରିବାରୁ ସ୍ଵାମୀ ଘର ମାଲିକଙ୍କୁ ଫୋନ କରିଥିଲେ। ଅନ୍ୟପଟେ ଶୁକ୍ରବାର ସକାଳ ୧୦ଟା ୩୦ରେ ଶ୍ରୁତି ମେସ୍‌କୁ ଖାଇବାକୁ ନଆସିବାରୁ ତାଙ୍କ ସାଙ୍ଗ ମଧ୍ୟ ଫୋନ୍ କରିଥିଲେ। ଶ୍ରୁତି ଫୋନର ଜବାବ ଦେଇନଥିଲେ। ଶେଷରେ ଯେବେ ତାଙ୍କର ସାଙ୍ଗ ଶ୍ରୁତିକୁ ଦେଖିବା ପାଇଁ ତାଙ୍କ କୋଠରୀକୁ ଗଲେ ତେବେ କୋଠରୀ ଭିତର ପଟୁ ବନ୍ଦ ଥିଲା। ଝରକାରୁ ଦେଖିବାରୁ ଶ୍ରୁତି ଫାଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଶ୍ରୁତି ଓ ଥାନା ଅଧିକାରୀଙ୍କ ମଧ୍ୟରେ ସଂପର୍କ

କୁହାଯାଉଛି ଶ୍ରୁତି ପୂର୍ବେ ଅରରିଆ ଥାନାରେ ମୁତୟନ ଥିଲେ। ସେହି ସମୟରେ ଥାନା ଅଧିକାରୀ କିଙ୍ଗ କୁନ୍ଦନ ଥିଲେ। ପରେ ଶ୍ରୁତି ସିମରାହା ଥାନାକୁ ଚାଲି ଯାଇଥିଲେ ଏବଂ କିଙ୍ଗ କୁନ୍ଦର  ବଦଳି ନରପତଜଙ୍ଗ ଥାନାକୁ ହୋଇଥିଲା। ମାତ୍ର ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଅରରିଆ ଥାନାରୁ ଆରମ୍ଭ ହୋଇଥିଲା। କଥା ଏତେ ବଢି ଯାଇଥିଲା ଯେ ଶ୍ରୁନି ନିଜର ସ୍ଵାମୀ କୁମାର ଗୌରବଙ୍କୁ କହି ଦେଇଥିଲେ ଯେ, ସେ ଏବେ କିଙ୍ଗ କୁନ୍ଦନ ସହ ରହିବେ।

ହେଲେ ଥାନା ଅଧିକାରୀ କୁନ୍ଦନ ନିଜ କଥାରୁ ଓହରି ଯିବା ପରେ ଶ୍ରୁତି ମର୍ମାହତ ହୋଇ ଆତ୍ମହତ୍ୟା ପଥ ବାଛି ନେଇଥିଲେ। ସେ ନିଜର ସୁଇସାଇଡ୍ ନୋଟ୍‌ରେ ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରି ନାହାନ୍ତି। ମାତ୍ର ସ୍ଵାମୀଙ୍କ ଅଭିଯୋଗକ୍ରମେ ଏଫଆଇଆର ରୁଜୁ କରି କିଙ୍ଗ୍ କୁନ୍ଦନ  ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି।

ସୂଚନା ଅନୁଯାୟୀ ଶ୍ରୁତି ଚାରି ବର୍ଷ ପୂର୍ବେ ଘର ଲୋକଙ୍କ ଇଚ୍ଛା ବିରୋଧରେ କୁମାର ଗୌରବଙ୍କୁ  ପ୍ରେମ ବିବାହ କରିଥିଲେ। କୁମାର ଗୌରବ କୋଚିଂ ଇନଷ୍ଟିଚ୍ୟୁୟଟ୍‌ରେ ପଢାଥିଲେ। ଶ୍ରୁତି ସେହି ସମୟରେ ବିହାର ପୋଲିସରେ ଭର୍ତ୍ତି ପାଇଁ ପ୍ରସ୍ତୁତି କରୁଥିଲେ। ଉଭୟ ମୁଙ୍ଗେରର ବାସିନ୍ଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.