ବିବାହିତା ମହିଳା ନିଜ ଇଛାରେ ଲିଭ-ଇନରେ ରହିଲେ ମିଳିବନି ସୁରକ୍ଷା, ଯାଚିକା ଆବେଦକଙ୍କୁ ୫ ହଜାର ଜରିମାନା କଲେ କୋର୍ଟ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ, ୧୮/୦୬ : ଲିଭ୍-ଇନ୍ ରିଲେସନସିପରେ ରହୁଥିବା ବିବାହିତା ମହିଳାଙ୍କୁ ନେଇ ଆଲ୍ହାବାଦ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ଲିଭ୍-ଇନ୍ ରିଲେସନସିପରେ ରହୁଥିବା ମହିଳାଙ୍କୁ ସୁରକ୍ଷା ଦେବାକୁ ମନା କରିଛନ୍ତି ହାଇକୋର୍ଟ। ଏହା ସହ ଏନେଇ ଯାଚିକା ଆବେଦକଙ୍କୁ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ।

ଏହି ମାମଲାରେ ଶୁଣାଣି କରିବା ବେଳେ କୋର୍ଟ କହିଛନ୍ତି ଯେ, ପୂର୍ବରୁ ବିବାହିତା ମହିଳା ଲିଭ୍-ଇନ୍ ରିଲେସନସିପରେ ରହୁଥିଲେ ସେମାନେ ହିନ୍ଦୁ ବିବାହ ଅଧିନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି। ଏଭଳି ଲୋକଙ୍କୁ କଣ ସୁରକ୍ଷା ଦେବା ଉଚିତ୍ ? କୋର୍ଟ ପୁଣି କହିଛନ୍ତି ଯେ, ଅନୁଚ୍ଛେଦ ୨୧ରେ ସମସ୍ତ ନାଗରିକଙ୍କୁ ଜୀବନ ବଞ୍ଚିବାର ସ୍ଵାଧିନତା ଅଛି, ହେଲେ ଏହା ସ୍ଵାଧିନତା ଆଇନ ଭିତରେ ରହିବା ଉଚିତ୍। ତାହେଲେ ଯାଇ ସୁରକ୍ଷା ମିଳିବ।

ସୂଚନାନୁଯାୟୀ, ଅଲିଗଢର ଗୀତା ନାମକ ଜଣେ ମହିଳା ଏହି ଯାଚିକା ଦାଖଲ କରିଥିଲେ। ସେ ତାଙ୍କ ପତି ଏବଂ ଶ୍ଵଶୁର ଘର ଠାରୁ ବର୍ତ୍ତିବା ପାଇଁ ସୁରକ୍ଷା ଦାବି କରିଥିଲେ। ତେବେ ଗୀତା ତାଙ୍କ ନିଜ ଇଚ୍ଛାରେ ତାଙ୍କ ସ୍ଵାମୀଙ୍କୁ ଛାଡି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହୁଥିଲେ। ଗୀତାଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ତାଙ୍କର ସ୍ଵାମୀ ଓ ତାଙ୍କ ଶାଶୁଘର ଲୋକ ହସ୍ତକ୍ଷେପ କରୁଥିଲେ ବୋଲି ଗୀତା ଅଭିଯୋଗ ଆଣିଥିଲେ। ତେବେ ଗୀତାଙ୍କ ଏହି ଯାଚିକାରେ ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ପୂର୍ବରୁ ପଞ୍ଜାବ-ହରିୟାଣା ହାଇକୋର୍ଟ ଲିଭ୍-ଇନ୍ ରିଲେସନସିପରେ ରହୁଥିବା ଏକ ଦମ୍ପତିଙ୍କୁ ସୁରକ୍ଷା ଦେବାକୁ ମନା କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.