ହସି ହସି ନଦୀକୁ ଡେଇଁ ପଡିଲେ ମହିଳା, ମୃତ୍ୟୁ ପୂର୍ବରୁ ସେୟାର କଲେ ଭିଡିଓ, କହିଲେ…
27/02/2021 at 10:38 PM

ଅହମ୍ମଦାବାଦ ୨୭।୦୨: ଗୁଜରାଟର ଅହମ୍ମଦାବାଦରେ ଜଣେ ବିବାହିତ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ସେ ଏଥିରେ କହିଛନ୍ତି ଯେ, ଯେତିକି ବି ଜୀବନ ମିଳିଲା ବହୁତ ଭଲରେ କଟିଲା। ଏବେ ସେ ଖୁଦାଙ୍କୁ ଭେଟିବାକୁ ଚାହାନ୍ତି। ଘଟଣାସ୍ଥଳରେ ପହଞ୍ଚି ରିଭର ଫ୍ରଣ୍ଟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ମହିଳାଙ୍କ ନାମ ଆୟଶା। ସେ ଭିଡିଓରେ କହୁଛନ୍ତି ଯେ, ହ୍ୟାଲୋ ମୋର ନାଁ ଆୟଶା ଆରିଫ ଖାନ। ମୁଁ ଯାହା କିଛି ବି କରିବାକୁ ଯାଉଛି, ମୋ ଇଚ୍ଛାରେ କରିବାକୁ ଯାଉଛି। ଏମିତି କରିବାକୁ କେହି ମୋ ଉପରେ ଚାପ ପକାଇ ନାହାନ୍ତି। ଏହା ବୁଝି ନିଅନ୍ତୁ ଯେ, ଖୁଦା ଦେଇଥିବା ଜୀବନ ବାସ୍ ଏତିକି ଥିଲା ଏବଂ ଏହି ସମୟରେ ମୋତେ ବହୁତ ଶାନ୍ତି ମିଳିଛି। ବାପା ଆଉ କେତେ ଦିନ ଲଢେଇ କରିବେ ? କେସ୍ ପ୍ରତ୍ୟାହାର କରାଇ ନିଅନ୍ତୁ।

ଆୟଶା ଏହା ମଧ୍ୟ କହିଛନ୍ତି ଯେ, ଗୋଟିଏ ଜିନିଷ ଅବଶ୍ୟ ଶିଖନ୍ତୁ, ଭଲ ପାଇବା ଉଭୟ ପାର୍ଶ୍ଵରୁ ହେବା ଉଚିତ୍, ଏକ ତରଫା ପ୍ରେମରେ କିଛି ହାସଲ ହୁଏ ନାହିଁ। ଭଲ ପାଇବା ତ ନିକାହ ପରେ ମଧ୍ୟ ଅଧୁରା ରହିଥାଏ। ଏ ନଦୀ, ମୁଁ ପ୍ରାର୍ଥନା କରୁଛି ଯେ, ମୋତେ ନିଜ କୋଳକୁ ନେଇ ଯା।
ମୁଁ ବାୟୁ ପରି ପ୍ରବାହିତ ହେବାକୁ ଚାହୁଁଛି। କାହା ପାଇଁ ଅଟକିବି ନାହିଁ, ମୁଁ ଆଜି ବହୁତ ଖୁସି। ଯେଉଁ ପ୍ରଶ୍ନର ଉତ୍ତର ଦରକାର ଥିଲା, ତାହା ମୋତେ ମିଳିଗଲା ଏବଂ ମୋତେ ଯାହାଙ୍କୁ ଯାହା କହିବାର ଥିଲା, କହି ଦେଲି। ଧନ୍ୟବାଦ ମୋତେ ମନେ ରଖିବେ। ଜଣା ନାହିଁ ମୋତେ ଜନ୍ନତ ମିଳିବ କି ନାହିଁ। ବିଦାୟ।

ଉଲ୍ଲେଖଯୋଗ୍ୟ, ଅହମ୍ମଦାବାଦରେ ରହୁଥିବା ଏବଂ ପେଶାରେ ଟେଲର ଥିବା ଆୟଶାଙ୍କ ବାପା ଲିୟାକତ ଅଲ୍ଲୀ କହିଛନ୍ତି ତାଙ୍କ ଝିଅଙ୍କ ନିକାହ ୨୦୧୮ରେ ଜାଲୋରର ବାସିନ୍ଦା ଆରିଫ ଖାନଙ୍କ ସହ ହୋଇଥିଲା। ବାପା ଅଭିଯୋଗ କରିଛନ୍ତି ଯେ, ବିବାହ ପରେ ଝିଅଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିଲା।
ଲିୟାକତ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମନ ମୁତାବକ ଟଙ୍କା ଦେବା ପରେ ଶ୍ଵଶ୍ଵର ଘର ଲୋକଙ୍କ ଲୋଭ ଆହୁରି ବଢି ଯାଇଥିଲା। କିଛି ମାସ ପୂର୍ବେ ଆରିଫ ପୁଣି ଥରେ ଆୟଶାଙ୍କୁ ଅହମ୍ମଦାବାଦରେ ଛାଡି ଚାଲି ଯାଇଥିଲା। ଏପରିକି ଆରିଫ ଆୟଶା ସହ ଫୋନରେ ବି କଥା ହେଉନଥିଲା। କିଛି ଦିନ ପୂର୍ବେ ଆୟଶା କ୍ରୋଧରେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ବୋଲି ବାପା କହିଛନ୍ତି।