୧୧ ବର୍ଷ ସାନ ନାବାଳକକୁ ପ୍ରେମ କରୁଥି​‌ଲେ ବିବାହିତା ମହିଳା, ପଳାଇବାକୁ ସାହସ କଲାନି ପ୍ରେମିକ କିନ୍ତୁ କଲା ଦୁଃସାହସ…

Published By : Prameya-News7 Bureau | October 21, 2021 IST

ବେଙ୍ଗାଲୁରୁ ୨୧/୧୦: ବିବାହିତା ମହିଳାଙ୍କ ବୟସ ୨୮ । ପ୍ରେମିକକୁ ୧୬ ପୂରି ୧୭ । ବନ୍ଧ ବାଡ଼ ମାନୁନଥିବା ପ୍ରେମ କଣ ବୟସ ମାନିବ ? ସ୍ବାମୀକୁ ମିଛ ସତ କହି ମହିଳା ଜଣଙ୍କ ପ୍ରେମିକକୁ ସବୁ କିଛି ମାନିସାରିଥିଲେ। ରୀତିନୀତି ଅନୁସାରେ ସ୍ବାମୀ ରୂପେ ଯାହାକୁ ଗ୍ରହଣ କରିଥିଲେ ପ୍ରେମିକର ଗୋଟିଏ ‘ହଁ’ରେ ତାକୁ ସାତ ପର କରିବାକୁ ବି ପ୍ରସ୍ତୁତ ଥିଲେ । କିନ୍ତୁ ପ୍ରେମିକାକୁ ନିଜର କରିନେବାକୁ ସାହସ ନଥିବା ପ୍ରେମିକ ଦୁଃସାହସ କରିବାକୁ ପଛାଇଲା ନାହିଁ।  ପ୍ରେମ ପାଇଁ କାହାର ହୋଇପାରିଲେ ନାହିଁ ମହିଳା। ନାବାଳକ ପ୍ରେମିକର ବର୍ବର କାଣ୍ଡର ପୋଲିସ ପର୍ଦ୍ଦାଫାସ କରିଥିବା ବେଳେ ତାକୁ ଗିରଫ କରିଛି।

କର୍ଣ୍ଣାଟକ ପୋଲିସ ବେଙ୍ଗାଲୁରୁର ୟାରବନଗର ଅଞ୍ଚଳର ଜଣେ ୨୮ ବର୍ଷୀୟା ମହିଳା ଆଫରୀନଙ୍କ ନିର୍ମମ ହତ୍ୟା ମାମଲାର ଖୁଲାସା କରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ  ଜଣେ ୧୭ ବର୍ଷର ନାବାଳକକୁ ଗିରଫ କରିଛି ପୋଳିସ । ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ସହ ନାବାଳକର ପ୍ରେମ ସମ୍ପର୍କ ଥିଲା। ମହିଳା ନାବାଳକ ଜଣକ ସହ ପଳାଇଯିବାକୁ କହୁଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ବୁଧବାର ଅଭିଯୁକ୍ତ ମହିଳାଙ୍କ ଘରେ ପହଞ୍ଚିଥିଲା। ସେଠାରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ ମାଡ଼ପିଟ୍‌ ବି ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ଜଣକ ମହିଳାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅନେକ ଥର ପ୍ରେମିକାର ଦେହକୁ ଛୁରୀରେ ଆଘାତ କରିଥିଲା ପ୍ରେମିକ। ମହିଳାଙ୍କ ମୃତ୍ୟୁ ହୋଇଯିବା ପରେ ଶବକୁ ବିଛଣାରେ ରଖି ପୋଡ଼ିଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ। ଏହା ପରେ ବାହାର ପଟୁ କବାଟ ଦେଇ ଚାଲିଯାଇଥିଲା। ଘରର ଭିତର ପଟୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେ।

ଏହି ଘଟଣାରେ ପୋଲିସ ପ୍ରଥମେ ମହିଳାଙ୍କ ସ୍ବାମୀ  ଲାଲୁଙ୍କୁ ଗିରଫ କରିଥିଲା। ପଚରା ଉଚରା ପରେ ଘଟଣାରେ  ଲାଲୁଙ୍କ ସମ୍ପୃକ୍ତି ନଥିବା ଜାଣିବାକୁ ପାଇଥିଲା ପୋଲିସ।  ଆଫରୀନଙ୍କ ଭଉଣୀ ଅଭିଯୁକ୍ତ ସମ୍ପର୍କରେ ପୋଲିସକୁ କହିଥିଲେ । ସେପଟେ ଆଫରୀନଙ୍କ ହତ୍ୟା ସମୟରେ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ପୋଲିସ ତଦନ୍ତରୁ ଜଣାପାରିଥିଲା। ଏହା ପରେ ପୋଲିସ କୋନାନକୁଣ୍ଟେ ଅଞ୍ଚଳରୁ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.