ବିବାହିତାଙ୍କୁ ନେଇ ପ୍ରେମିକ ଫେରାର, ଭକୁଆ ହେଲା ସ୍ୱାମୀ...

Published By : Prameya-News7 Bureau | August 10, 2020 IST

ଚନ୍ଦ୍ରଶେଖରପୁର ୧୦।୦୮: ଝିଅକୁ ଜଣେ ଯୁବକ ଭଲ ପାଉଥିଲେ । ଏହି ସୁଯୋଗରେ ଉକ୍ତ ଯୁବକଙ୍କୁ ଝିଅର ମା’ ମିଳାମିଶାର ସୁଯୋଗ ଦେବା ପାଇଁ ଟଙ୍କା ମାଗିଲେ । କିସ୍ତି କିସ୍ତି କରି ଯୁବକ ୫୦ ହଜାର ଟଙ୍କା ଦେଇ ଝିଅ ସହିତ ଅବାଧ ମିଳାମିଶା କଲେ । ହେଲେ ମଝିରେ କଣ୍ଟା ସାଜିଲା କରୋନା ଜନିତ ଲକ୍‌ ଡାଉନ୍‌ । ତେଣୁ ଉକ୍ତ ଯୁବକ ଆଉ ଝିଅ ସହିତ ଦେଖା କରିପାରିଲେନି । ଏପରି ସୁଯୋଗରେ ଝିଅକୁ ଅନ୍ୟ ଜଣେ ପୁଅ ସହ ବାହା କରାଇଦେଲେ ମା’ । ହେଲେ ଟଙ୍କା ଦେଇ ଝିଅକୁ ପାଇବା ଆଶା ରଖିଥିବା ପ୍ରେମିକ ଯେତେବେଳେ ଏହା ଜାଣିଲେ ପୂରା ନିଆଁବାଣ ହେଲେ । ଝିଅକୁ ବାହା ନଦେଲେ ଟଙ୍କା ଫେରାଇ ଦେବାପାଇଁ ଧମକ ଦେଲେ । ଏପରି ଦୁବିଧା ମଧ୍ୟରେ ବାଧ୍ୟ ହୋଇ ଝିଅକୁ ଶାଶୂଘରୁ ଡାକିଆଣି ଟଙ୍କା ଦେଇଥିବା ଯୁବକ ହାତରେ ଟେକିଦେଇଛନ୍ତି ମା’ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଈଶାଣେଶ୍ୱର ବସ୍ତିରେ । ଘଟଣାଟି ଏହିପରି, ଉକ୍ତ ବସ୍ତିରେ ରହୁଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା । ତାଙ୍କର ୨୦ ବର୍ଷିୟ ଝିଅ ସୋନାଲି(ଛଦ୍ମନାମ) ସହ ୬ ମାସ ପୂର୍ବେ କନ୍ଧମାଳର ଜଣେ ଯୁବକଙ୍କର ଦେଖା ହୋଇଥିଲା । ଦେଖାସାକ୍ଷାତରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ମଝିରେ ମଝିରେ ଉକ୍ତ ଯୁବକ ମହିଳାଙ୍କ ଘରକୁ ଯିବା ଆସିବା କରନ୍ତି । ସମ୍ପର୍କ ବଢ଼ିବା ସହିତ ଉଭୟ ବିବାହ ପାଇଁ ସ୍ଥିର କଲେ । ହେଲେ ସୋନାଲିଙ୍କ ମା’ ଏହି ସୁଯୋଗରେ ଯୁବକଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କୁ କହିଥିଲେ ଯଦି ମୋ ଝିଅକୁ ଭଲ ପାଉଛ ମୋତେ ୫୦ ହଜାର ଟଙ୍କା ଦିଅ ଏବଂ ମୋ ଝିଅକୁ ନେଇଯାଅ । ଯୁବକ ଜଣକ ଏହି ପ୍ରସ୍ତାବରେ ରାଜି ହୋଇ ମଝିରେ ମଝିରେ ମହିଳାଙ୍କୁ ଟଙ୍କା ଦେଇ ଚାଲିଥିଲେ । ଏମିତି ଥରଥର କରି ସେ ମହିଳାଙ୍କୁ ୫୦ ହଜାର ଟଙ୍କା ଦେଇସାରିଥିଲେ । ହେଲେ ଲକଡାଉନ୍‌ ହେବା ପରେ ଆଉ ସୋନାଲି ସହ ଯୁବକଙ୍କର ଭେଟ ହୋଇ ପାରିଲାନି ।

ଯୁବକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମା’ ସୋନାଲିଙ୍କୁ ଉକ୍ତ ବସ୍ତିର ଅନ୍ୟ ଜଣେ ଯୁବକଙ୍କ ସହ ବିବାହ ଦେଇଦେଲେ । ଏପଟେ ଟଙ୍କା ଦେଇଥିବା ପ୍ରେମିକ ଜଣକ ଖବର ପାଇ ଯୁବତୀଙ୍କର ମା’ଙ୍କୁ ଫୋନ୍‌ କରି ଧମକ ଦେଲେ । କହିଲେ ତୋ ଝିଅକୁ ମୋତେ ଆଣିକି ଦେ ନହେଲେ ମୋ ୫୦ ହଜାର ଟଙ୍କା ଫେରା । ମହିଳା ଜଣଙ୍କ ଏହି କଥା ଶୁଣିବା ପରେ ହରଡ଼ ଘଣାରେ ପଡିଗଲେ । କଣ କରିବେ କିଛି ଜାଣିପାରିଲେ ନାହିଁ । ଟଙ୍କା ଦେଇଥିବା ଉକ୍ତ ଯୁବକ ଭୁବନେଶ୍ୱର ଆସିଥିବା ଜାଣି ଝିଅକୁ ତାଙ୍କ ସହ ଫେରାର କରିବା ପାଇଁ ସବୁ ବନ୍ଦୋବସ୍ତ କଲେ । ଆଜି ସକାଳେ ଝିଅକୁ କାମ ଥିବା ବାହାନା କରି ଶାଶୂ ଘରୁ ଡକାଇ ନେଲେ । ବସ୍ତି ପାଖରେ ଅଟୋରେ ଅପେକ୍ଷା କରିଥିବା ଉକ୍ତ ଯୁବକଙ୍କ ସହିତ ଫେରାର କରାଇଦେଲେ ।

ଅନ୍ୟପକ୍ଷରେ ବୋହୂ ସନ୍ଧ୍ୟା ଯାଏଁ ନଫେରିବାରୁ ସୋନାଲିଙ୍କ ଶାଶୂଘର ଲୋକେ ତାଙ୍କ ମା’ଙ୍କୁ ଫୋନ୍‌ କରି ପଚାରିଲେ । ହେଲେ ସୋନାଲିଙ୍କ ମା’ କହିଥିଲେ ଝିଅତ ଖରାବେଳୁ ଗଲାଣି । ମୁଁ ଏବିଷୟରେ କିଛି ଜାଣିନି । ଏମିତି ଖୋଜା ଖୋଜି ପରେ ଝିଅକୁ ସେ ପ୍ରେମିକ ସହିତ ପଠାଇ ଦେଇଥିବା କଥା ଜଣା ପଡିଥିଲା । ସୋନାଲିଙ୍କୁ ନେଇ ପଳାଇଥିବା ଯୁବକଙ୍କୁ ବସ୍ତି ଲୋକ ଫୋନ୍‌ କରିଥିଲେ । କିନ୍ତୁ ସେ କହିଥିଲେ ୫୦ ହଜାର ଟଙ୍କାରେ ତାଙ୍କ ମା’ ମୋତେ ବିକ୍ରି କରି ଦେଇଛନ୍ତି । ଅନ୍ୟପଟେ ଶାଶୂଘର ଲୋକ ଅଭିଯୋଗ କରିଛନ୍ତି ଝିଅ ଟଙ୍କା,ସୁନା ଗହଣା ନେଇ ପଳାଇ ଯାଇଛି । ପରେ ବସ୍ତି ଲୋକେ ମହିଳାଙ୍କୁ ଘରେ ବାନ୍ଧି ଥାନାକୁ ଜଣାଇଛନ୍ତି । ବିଳମ୍ବିତ ରାତି ଯାଏ ଏନେଇ କିଛି ସମାଧାନ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.