ନାବାଳିକା ଝିଅକୁ ବାହାଦେଲା, ଯାଞ୍ଚ ବେଳେ ଶଙ୍ଖା ଓହ୍ଲାଇ ସିନ୍ଦୁର ପୋଛିଦେଲା : ଆଇନ ସହ ଲୁଚକାଳି ଖେଳି ଅଡୁଆରେ ବାପା

Published By : Prameya-News7 Bureau | August 22, 2020 IST

ପୁରୀ ୨୨।୦୮: ସବୁଥିଲା ଠିକ୍‌ ଠାକ୍‌ । ହଠାତ୍‌ ଆସିଲା ଏକ ଫୋନ୍‌ କଲ୍‌ । କଲ୍‌ ରିସିଭ୍‌ କରିବା ପରେ ବଦଳିଗଲା ସବୁଚିତ୍ର । ମୁଣ୍ଡରେ ଓଢ଼ଣି ଦେଇ ବସିଥିବା କନ୍ୟାଟି ହାତରୁ ବାଡ଼େଇ ଭାଙ୍ଗିଲା ଶଙ୍ଖା । ମଥାରୁ ପୋଛିଦେଲା ସିନ୍ଦୂର। ଶାଢ଼ି ଖୋଲି ପିନ୍ଧିଦେଲା ଜିନ୍‌ସ ପ୍ୟାଣ୍ଟ ଓ ଟି ସାର୍ଟ । ଆଉ ଘର କାମରେ ରହିଲା ବ୍ୟସ୍ତ । ବାସ୍‌ ଏହାପରେ ପହଞ୍ଚିଗଲା ଜିଲ୍ଲା ପ୍ରଶାସନର ଏକ ତଦନ୍ତକାରୀ ଟିମ୍‌ । ଦୀର୍ଘ ଏକ ଘଣ୍ଟା କାଳ ହେଲା ଜେରା । ଟିମ୍‌ର ଜେରାକୁ କନ୍ୟା ଜଣକ ସମ୍ମୁଖୀନ ହେଲେ । ପରେ ଟିମ୍‌ ଫେରିଗଲା । ଟିମ୍‌ ଫେରିବା ପରେ ପୁଣି ବଦଳିଲା ଚିତ୍ର । ପୂର୍ବ ଅବସ୍ଥାକୁ ଫେରି ଆସିଲେ ଜିନ୍‌‌ସ ପିନ୍ଧା କନ୍ୟା । ପୁଣି ସାଜିଲେ ସଧବା । ଏଭଳି ଏକ ଘଟଣା ସଦର ଥାନା ଅଧୀନ ଆମ୍ବପଡ଼ା ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, କନ୍ୟା ଜଣକ ନାବାଳିକା ବୋଲି ଜଣାପଡିଛି । ନାବାଳିକା ଜଣକ ଦୀର୍ଘ ଦିନ ତଳୁ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ମଧ୍ୟ ନାବାଳିକାଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପ୍ରେମ ନେଇ କଥା ପଦାକୁ ଆସିଥିଲା। ଜାଣିପାରିଥିଲେ ନାବାଳିକାଙ୍କ ବାପା । ପରେ ନାବାଳିକାଙ୍କୁ ବିବାହ କରାଇଦେବାକୁ ଯୋଜନା କରିଥିଲେ ତାଙ୍କ ପରିବାର। ଖୋଜା ପଡ଼ିଥିଲା ବରପାତ୍ର । ଏହି ସମୟରେ କପିଳେଶ୍ୱରପୁର ଅଞ୍ଚଳର ଜଣେ ଯୁବକଙ୍କୁ ନାବାଳିକାଙ୍କ ବାପା ପସନ୍ଦ କଲେ। ଦୁଇ ପରିବାର ବସି ବିବାହ ତାରିଖ ସ୍ଥିର କଲେ । ଠିକ୍‌ ସେତିକିବେଳେ ଅଧୈର୍ଯ୍ୟ ହେଲା ପ୍ରେମିକ। ବିବାହ ରୋକିବାକୁ ସିଧା ଛୁଟିଲା ପୁଲିସ ଷ୍ଟେସନ୍‌ । ଘଟଣା ନେଇ ପୁଲିସକୁ ସବୁ କହିଥିଲା ପ୍ରେମିକ ।

ପୁଲିସ ପହଞ୍ଚି ଏହି ବିବାହ ନକରିବାକୁ ତାଗିଦ୍‌ କରି ଫେରିଥିଲା । କିଏ ପୁଲିସକୁ ଏ ଖବର ଦେଲା ବୋଲି ତଥ୍ୟ ପାଇଗଲେ ନାବାଳିକାଙ୍କ ପରିବାର । ଫଳରେ ବିଚରା ପ୍ରେମିକ ଜଣକ ନାବାଳିକାଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ହେଲେ ପୁଲିସ କଥାକୁ ଖାତିର୍‌ କରିନଥିଲେ ଦୁଇ ପରିବାର । କିଛି ଦିନ ତଳେ ନରସିଂହପାଟଣାସ୍ଥିତ ଏକ ଶିବ ମନ୍ଦିରରେ ବରକନ୍ୟାଙ୍କୁ ଧରି ପହଞ୍ଚିଥିଲେ ସେମାନେ । ମନ୍ଦିରରେ ହେଲା ବିବାହ । ମାଳ ବଦଳ କରି ଦୁହେଁ ଦୁହିଁଙ୍କୁ ନିଜର କରିବା ପରେ ସେହିଠାରୁ ନାବାଳିକା ଚାଲିଗଲେ ଶାଶୂଘର । ବାସ୍‌ ଏହାପରେ ଆରମ୍ଭ ହୋଇଗଲା ବିବାଦ । କାରଣ ନାବାଳିକା ଜଣକ ୧୩ ବର୍ଷ ହୋଇଥିବାବେଳେ ଯୁବକଙ୍କ ବୟସ ୩୨ ବର୍ଷ । ବାଲ୍ୟ ବିବାହ ପ୍ରଥା ଉପରେ ଅଙ୍କୁଶ ଲାଗିଥିଲେ ମଧ୍ୟ ଏଠାରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଆଇନ୍‌କୁ ହାତକୁ ନେଇଥିଲେ ଦୁଇ ପରିବାର । ତେଣୁ ଜିଲ୍ଲା ପ୍ରଶାସନ କାନକୁ ଗଲା କଥା । ଆରମ୍ଭ ହେଲା ଛାନ୍‌ଭିନ୍‌ । ଏକାଧିକ ଥର ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ଯାଞ୍ଚ କରିବାକୁ ଯାଇ ଫେଲ୍‌ ମାରୁଥିଲେ ।

ସବୁଥର ଭଳି ଗତ ସୋମବାର ଯାଞ୍ଚ କରିବାକୁ ନାବାଳିକାଙ୍କ ଗାଁକୁ ଯାଇଥିଲା ଟିମ୍‌ । କାରଣ ସମସ୍ୟା ବଢିବାରୁ ନାବାଳିକାଙ୍କୁ ଶାଶୂଘରୁ ଆଣି ପାଖରେ ରଖିଛନ୍ତି ତାଙ୍କ ବାପା । ଟିମ୍‌ ବାପଘରେ ପହଞ୍ଚିବା ପୂର୍ବରୁ ଆସିଥିଲା ଏକ ଫୋନ୍‌ କଲ୍‌। ଆଗୁଆ ଖବର ପାଇବା ପରେ ନାବାଳିକା ତାଙ୍କ ହାତରୁ ଶଙ୍ଖା ଭାଙ୍ଗିଦେଇ ମଥାରୁ ସିନ୍ଦୂର ଲିଭାଇ ଦେଇଥିଲେ। ଶାଢୀ ଖୋଲି ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ପୁଣି ଅବିବାହିତ ବେଶ ହୋଇଯାଇଥିଲେ। ଟିମ୍‌ ପହଞ୍ଚିବା ବେଳକୁ ବାପଘରେ ନାବାଳିକା ଥିବା ଅଧିକାରୀମାନେ ଦେଖଥିଲେ। ଏପରିକି ସେ ବିବାହ କରିନାହାନ୍ତି ବୋଲି ନାବାଳିକା ଦାବି କରିଥିଲେ।
ପୂର୍ବରୁ ଯେତେଥର ଟିମ୍‌ ଯାଇଛି ସେତେବେଳେ ନାବାଳିକା ଆଗୁଆ ଖବର ପାଇ ସତର୍କ ରହିଥିବା ଅଭିଯୋଗ ହୋଇଛି। ଶାଶୂଘରୁ ଚାଲି ଆସି ବାପଘରେ ରହି ବିବାହ ଘଟଣାକୁ ମିଛ ବୋଲି ପ୍ରମାଣିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଚରା ବାହା କରି ବାପା ହଟହଟା ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏନେଇ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍‌ କହିଛନ୍ତି ଜିଲ୍ଲା ପ୍ରଶାସନ ତଦନ୍ତ କରୁଛି, ଆମେ ତାଙ୍କୁ ସହଯୋଗ କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.