ଫାଷ୍ଟ କଜିନ୍‌ଙ୍କ ମଧ୍ୟରେ ବିବାହ ଆଇନ‌ଗତ ଅପରାଧ: ୧୮ ବର୍ଷ ପରେ ବି ବାହା ହୋଇପାରିବେ ନାହିଁ ଭାଇ-ଭଉଣୀ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧: ଏଣିକି ଫାଷ୍ଟ କଜିନ୍‌(ନିଜ ଦାଦା/ବଡ଼ ବାପା/ ପିଉସୀ/ ମାଉସୀ/ ମାମୁଁଙ୍କ ପୁଅ-ଝିଅ)ଙ୍କୁ ବିବାହ କରିବା ଆଇନଗତ ଅପରାଧ। ଫାଷ୍ଟ କଜିନଙ୍କ ମଧ୍ୟରେ ବିବାହ ଅବୈଧ। ଏପରି ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଲୁଧିଆନାର ଖାନ୍ନା ସିଟି-୨ ଥାନାରେ ଆଇପିସି ୩୬୩ ଓ ୩୬୬ଏ ମାମଲରେ ଅଗ୍ରୀମ ଜାମିନ୍‌ ପାଇଁ ୨୧ ବର୍ଷୀୟ ଯୁବକଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଶୁଣାଇଥିବା ଜଣାପଡ଼ିଛି।

ତେବେ ଜଷ୍ଟିସ୍‌ ଅରବିନ୍ଦ ସିଂହ ସାଙ୍ଗଓ୍ବାନ ଆବେଦନ ଉପରେ ଶୁଣାଣି କରି ଆହୁରି ମଧ୍ୟ କହିଛନ୍ତି, ଫାଷ୍ଟ କଜିନଙ୍କ ସହ ଲିଭ୍‌-ଇନ୍‌-ରିଲେସନସିପ୍‌ରେ ରହିବା ପରେ ଯଦି ଜଣେ ଯବୁକ, ଯବୁତୀଙ୍କୁ ବିବାହ କରିଛନ୍ତି ବୋଲି ଦାବି କରନ୍ତି ତେବେ ତାହା ବି ଅବୈଧ। ୧୮ ବର୍ଷରୁ ଉର୍ଦ୍ଧ୍ବ ହେଲେ ବି ଏହି ବିବାହ  ଆଇନଗତ ଅପରାଧ ବୋଲି ଖଣ୍ଡପୀଠ କହିଛନ୍ତି।

ମିଳିଥିବା ରିପୋର୍ଟ ଅନୁସାରେ ଯାଚିକାକର୍ତ୍ତାଙ୍କ ମତରେ ସେ ଯୁବତୀଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। କିନ୍ତୁ ଝିଅର ବୟସ ୧୭ ଥିଲା ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ। ସେପଟେ ଦୁଇ ଜଣ ଫାଷ୍ଟ କଜିନ୍‌ ବୋଲି ଜଣାପଡ଼ୁଥିବା ବେଳେ ଝିଅଟି ନାବାଳିକା। ଲିଭ ଇନ୍‌ରେ ରହିବା ଭୁଲ୍‌ ବୋଲି କହିବା ସହ ବିବାହ ଅସମ୍ଭବ କହିଥିଲେ କୋର୍ଟ। କିନ୍ତୁ ପରେ ଏନେଇ ଯୁକ୍ତି ଚାଲିଥିଲା। ଏହା ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ଜାନୁଆରୀରେ କରିବେ ବୋଲି ହାଇକୋର୍ଟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.