ସାମୁଦ୍ରିକ ମାଛ ଦେହରେ ମାଇକ୍ରୋ ପ୍ଲାଷ୍ଟିକ, ବିପଦରେ ଉଭୟ ମାଛ ଓ ଖାଦକ, ଓଡିଆ ବୈଜ୍ଞାନିକଙ୍କ ସର୍ଭେରୁ ଆସିଛି ସାଙ୍ଘାତିକ ତଥ୍ୟ

Published By : Prameya-News7 Bureau | March 10, 2021 IST

ଭୁବନେଶ୍ଵର ୧୦।୦୩:  ଓଡ଼ିଶା ପଶ୍ଚିମବଙ୍ଗ ଠାରୁ କେରଳ ଏବଂ ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ପ୍ରିୟ ହେଉଛି ମାଛ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମୁଦ୍ର ମାଛଙ୍କ ଦେହରେ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ମାଇକ୍ରୋ ପ୍ଲାଷ୍ଟିକ। କେବଳ ଏହା ମାଛଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ମାଛ ଖାଉଥିବା ଲୋକଙ୍କ ପାଇଁ ମଧ୍ୟ ବିପଦଜ୍ଜନକ ହେବାରେ ଲାଗିଛି। ସାମୁଦ୍ରିକ ଜୀବମଣ୍ଡଳ ଉପରେ ଗବେଷଣା କରୁଥିବା ଓଡ଼ିଆ ବୈଜ୍ଞାନିକ ପ୍ରଭାକର ମିଶ୍ରଙ୍କର ଏକ ସର୍ଭେ ଏବେ ଉପକୂଳବାସୀଙ୍କ ପାଇଁ ଚିନ୍ତାଜନକ ହୋଇଛି।

ଆପଣ ଜାଣିଛନ୍ତି କି ମାଛ ସାଙ୍ଗରେ ଆପଣ କେତେ ପରିମାଣରେ ପ୍ଲାଷ୍ଟିକ ଖାଉଛନ୍ତି। ପ୍ଲାଷ୍ଟିକ ଖିଆ ମାଛ ଏବେ ମାଛ ଖିଆ ମଣିଷଙ୍କ ପାଇଁ ଚିନ୍ତା ବଢ଼ାଇଲେଣି।  ନ୍ୟାସନାଲ ରିସର୍ଚ୍ଚ ଫର କୋଷ୍ଟାଲ ରିସର୍ଚ୍ଚ ବା ଏନସିସିଆର କରିଥିବା ଏକ ସର୍ଭେରୁ ଜଣାଯାଇଛି ଯେ ଚେନ୍ନାଇ ମାର୍କେଟରେ ବିକ୍ରି ହେଉଥିବା ସମୁଦ୍ର ମାଛଗୁଡ଼ିକ ମଧ୍ୟରୁ ଅଧିକାଂଶଙ୍କଠାରେ ଏହି ପ୍ଲାଷ୍ଟିକ କଣିକା ଦେଖାଦେଇଛି। ଏପରିକି କିଛି ମାଛଙ୍କ ଦେହରେ ୮୦ ପ୍ରତିଶତରୁ ଅଧିକ ପ୍ଲାଷ୍ଟିକ କଣିକା ଠାବ କରାଯାଇଛି।

{"id":420867,"width":574,"height":574,"sizeSlug":"large","linkDestination":"none"}

ଏନସିସିଆରର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ  ପ୍ରଭାକର ମିଶ୍ର  କରିଥିବା ଏକ ସର୍ଭେରେ ଅନୁସାରେ ପଶ୍ଚିମବଙ୍ଗର ପୁଲିକାଟ ହ୍ରଦ ଠାରୁ ଓଡ଼ିଶା ଉପକୂଳ ଯାଏଁ ସମୁଦ୍ରରେ ଉପଲବ୍ଧ ମାଛଙ୍କଠାରେ ମଧ୍ୟ ଏହି ମାଇକ୍ରୋ ପ୍ଲାଷ୍ଟିକ ଦେଖାଦେଉଛି। କହିବା ବାହୁଲ୍ୟ ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହେଲାଣି। ସାମୁଦ୍ରିକ ଜୀବମାନେ ଏହି ପ୍ଲାଷ୍ଟିକ ଖାଇବା ଦ୍ବାରା ସେମାନଙ୍କ ଜୀବନଚକ୍ରରେ ପରିବର୍ତ୍ତ ଦେଖାଦେଉଛି। ସେହିପରି ମାଛଙ୍କ ମାଧ୍ୟମରେ ଏହି ପ୍ଲାଷ୍ଟିକ ପ୍ରଦୂଷଣ ପୁଣି ମଣିଷ ପାଖକୁ ଫେରୁଛି।

ମାଛମାନେ ବିଶେଷ କରି ନାଲି ରଙ୍ଗ ପ୍ରତି ଆକର୍ଷିତ ହେଉଥିବାରୁ ସେମାନେ ନାଲି ରଙ୍ଗର ପ୍ଲାଷ୍ଟିକକୁ ଖାଇ ଦେଇଥାନ୍ତି।  ତେବେ ଏହି ପ୍ଲାଷ୍ଟିକ ସେମାନଙ୍କ ଗାଲି କିମ୍ବା ଅନ୍ତିକୁ ଚାଲିଯାଇଥାଏ। ଏହି ପ୍ଲାଷ୍ଟିକ ମାଛ ଦେହରେ ମିଳାଇଗଲେ ବି ଏହା ତାର ରକ୍ତ ଏବଂ ଶରୀରରେ ଛୋଟଛୋଟ କଣା ହୋଇ ରହିଥାଏ।  ଅବଶ୍ୟ କିଛି ବଡ଼ ବଡ଼ ମାଛଙ୍କ ଅନ୍ତି ଆମେ ଖାଇବା ପୂର୍ବରୁ କାଢ଼ି ଦେଉଥିବାରୁ ସେଥିରେ କିଛି ପରିମାଣରେ ପ୍ଲାଷ୍ଟିକ ବାହାରି ଯାଇଥାଏ। ତଥାପି ବି ମାଛ ଦେହକୁ ଯାଉଥିବା ପ୍ଲାଷ୍ଟିକ ମାଛକୁ ରୋଗୀଣା କରିବା ସହିତ ଏହା ମଣିଷକୁ ମଧ୍ୟ ପ୍ରଭାବିତ କରିବ। ସମୁଦ୍ରରୁ ପ୍ଲାଷ୍ଟିକ ପ୍ରଦୂଷଣ ହଟାଇବା ଏବେ ମଣିଷ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.