କାର୍ ଉପରେ ଓଲଟି ପଡିଲା ମାର୍ବଲ୍ ବୋଝେଇ ଟ୍ରକ, ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ : ମୃତଦେହ ବାହାର କରିବାକୁ ଡକାଗଲା ଜେସିବି

Published By : Prameya-News7 Bureau | July 23, 2020 IST

ଫତେହାବାଦ ୨୩/୦୭ : ରାଜସ୍ଥାନ ନାଗୋରରେ ମାର୍ବଲ ଭର୍ତ୍ତି ଏକ ଟ୍ରକ କାର ଉପରେ ଓଲଟି ପଡିଲା | ଦୁର୍ଘଟଣାରେ କାରରେ ଥିବା ୬ଜଣଙ୍କ ମୃତ୍ୟୁ ହୋଇଛି | କାରରେ ଥିବା ସମସ୍ତେ ହରିୟାଣାର ବୋଲି ଜଣାପଡିଛି | ୫ ଜଣ ଫତେହାବାଦ ଜିଲ୍ଲାର ଏବଂ ଆଉ ଜଣେ ହିସାରର ଥିଲେ | ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇଛି | ପୋଲିସ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ଦୁଇଜଣ ଭାଇ ଥିଲେ | ଗାଈଗୋଠକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି | ଗାଈଗୋଠକୁ ବଞ୍ଚାଇବାକୁ ଯାଇ ଟ୍ରକ କାର ଆଡକୁ ମାଡି ଆସିଥିଲା ଓ କାରକୁ ଧକ୍କା ଦେଇଥିଲା | ଧକ୍କା ହେବାରୁ କାର ଚାଳକ କାରକୁ ରାସ୍ତାରୁ ଓହ୍ଲାଇଥିଲେ ଯେଉଁଠାରେ ମାଟି ଓଦା ଥିଲା | ମାଟି ଓଦା ଥିବାରୁ କାର ମାଟିରେ ଧସି ଯାଇଥିଲା | ଏତିକି ଟ୍ରକ ବାଲାନ୍ସ ହରାଇ କାର ଉପରେ ଓଲଟି ପଡିଥିଲା |

ମୃତକମାନେ ହେଲେ ରାମସ୍ୱରୂପ, ବିନୋଦ, ରାଜବିର, ରାଧେଶ୍ୟାମ ଓ ଅନ୍ୟ ଦୁଇଜଣ | ସମସ୍ତ ମୃତକଙ୍କ ବୟସ ୩୫ ରୁ ୪୦ ବର୍ଷ ଥିଲା | ପୋଲିସ କହିବାନୁଯାୟୀ କାରରେ ଥିବା ସମସ୍ତେ ନିଜ ଗାଁକୁ ଯାଉଥିଲେ | ସମସ୍ତେ ବୁଧବାର ୧୨ଟା ସମୟରେ ହରିୟାଣାରୁ ଯୋଧପୁର ବୁଲିବାକୁ ଯାଉଛନ୍ତି ବୋଲି କହି ଘରୁ ବାହାରିଥିଲେ | କିନ୍ତୁ ପ୍ରକୃତି ବୋଧେ ଆଉ କିଛି ମଂଜୁର ଥିଲା | ବୁଲିବାକୁ ବାହାରି ଏମାନେ ଆଉ ଘରକୁ ଫେରିଲେନି |

୧୮ ଚକିଆ ଟ୍ରକରେ ପାଖାପାଖି ୩୫ ଟନରୁ ଅଧିକ ମାର୍ବଲ ଓ ଟାଇଲ୍ସ ବୋଝେଇଥିଲା | ଓଜନ ଏତେ ଅଧିକ ଥିଲା ଯେ କାର ଉପରେ ଓଲଟି ପଡିବାରୁ କାର ସମ୍ପୂର୍ଣ ଚେପା ହୋଇଯାଇଛି | କାରରୁ ମୃତଦେହ ବାହାର କରିବାକୁ ବହୁତ ଅସୁବିଧା ହୋଇଥିଲା | ମୃତକଙ୍କ ଶବ ବାହାର କରିବାକୁ ଜେସିବି ଡାକିବାକୁ ପଡିଥିଲା | ଘଟଣାସ୍ଥଳରେ ହିଁ ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ପୋଲିସ ମୃତଦେହ ଜବତ କରି ସେମାନଙ୍କ ପରିବାର ଲୋକଙ୍କୁ ସୂଚିତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.