ମାଓ ଦମ୍ପତି ଗିରଫ, ଥିଲା ୨୦ଲକ୍ଷର ପୁରସ୍କାର : ଭିନିଲକ୍ରିଷ୍ଣାଙ୍କ ଅପହରଣର ଥିଲେ ମୁଖ୍ୟ ଅଭିଯୁକ୍ତ

Published By : Prameya-News7 Bureau | January 09, 2020 IST

ମାଲକାନଗିରି ୯।୧:  ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ମାଓ ଦମ୍ପତି ଗିରଫ । ହାଡକୋର ମାଓବାଦୀ ଦାମୋଦର ଏବଂ ତାଙ୍କ ପତ୍ନୀ ଫୁଲବତୀଙ୍କୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଉଭୟଙ୍କୁ ଧରାଇ ଦେବା ପାଇଁ ପୋଲିସ ୨୦ ଲକ୍ଷର ପୁରସ୍କାର ଘୋଷଣା କରିଥିଲା । ଉଭୟ ମାଲକାନାଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭିନିଲକ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ।

ପ୍ରାୟ ୨୦ ବର୍ଷ ଧରି ଦାମୋଦର ମାଲକାନଗିରି ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଥିବାବେଳେ ମାଲକାନଗିରି ଜିଲ୍ଲାର ମାଓବାଦୀ ଡିଭିଜନ କମିଟି ସମ୍ପାଦକ ଦାୟିତ୍ବ ତୁଲାଉଥିଲେ । ୨୦୦୮ ଚିତ୍ରକୋଣ୍ଡା ଜଳଭଣ୍ଡାର ସ୍ଥିତ ଆଲମପାକା ଲଞ୍ଚ୍ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ୨୦୧୨ ବିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ଆକ୍ରମଣ କରି ହତ୍ୟା, ୨୦୦୮ କାଲିମେଳା ତେଲରାଇ ଆକ୍ରମଣରେ ୧୬ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ଭଳି ବହୁ ଜଘନ୍ୟ ଅପରାଧରେ ଜଡ଼ିତ ଥିଲେ ଦାମୋଦର । ତାଙ୍କ ନାମରେ ୧୦୦ରୁ ଅଧିକ ମାମଲା ରହିଛି।

ଦାମୋଦର ମାଲେରିଆ ଜ୍ବରରେ ପୀଡ଼ିତ ଥିବାବେଳେ ଆନ୍ଧ୍ର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁରେ ଚିକିତ୍ସିତ ହେଉଥିଲେ । ତେବେ ଗୁଇନ୍ଦା ତଥ୍ୟକୁ ଆଧାର କରି ଦାମୋଦର ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଆନ୍ଧ୍ର ପୋଲିସ । ଏହି ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଗିରଫ ପରେ ମାଲକାନଗିରି ପୋଲିସ ଉଭୟଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି । ଓଡ଼ିଶା ପୋଲିସ ଦାମୋଦରଙ୍କୁ ୨୦୧୧ରୁ ଖୋଜୁଥିଲା ବୋଲି ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.