ବିସ୍ପୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

Published By : Prameya-News7 Bureau | May 22, 2022 IST

କଳାହାଣ୍ଡି, ୨୨/୦୫: ଗତ ଫେବୃୟାରୀ ପାଞ୍ଚ ତାରିଖର ଛାତି ଥରା ଦୃଶ୍ୟ ମନେ ପଡ଼ିଲେ ଆଜି ବି ଛାତି ଶିହରୀ ଉଠେ । ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟି ଯାଇଥିଲେ ଧରିତ୍ରୀର ବ୍ଲକ ସାମ୍ବାଦିକ ରୋହିତ ବିଶ୍ୱାଳ । ମାଓ ସଂଗଠନ ତରଫରୁ ଖଞ୍ଜା ଯାଇଥିବା ମାଓ ବିସ୍ଫୋରଣର ଶିକାର ହେଲେ । ତେବେ ଏହି ଘଟଣାକୁ ନେଇ ମାଓ ସଂଗଠନ ଦୀର୍ଘ ତିନିମାସ ପରେ ଅଂଚଳବାସୀ ତଥା ପରିବାରବର୍ଗଙ୍କ ପାଖରେ କ୍ଷମା ମାଗିଥିବା ଦେଖିବାକୁ ମିଳିଛି ।

ମାଓ ପୋଷ୍ଟରରୁ ସୂଚନା ମିଳିଛି ଗତକାଲି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ଅଞ୍ଚଳରେ ଲାଗିଥିବା ହାତଲେଖା ପୋଷ୍ଟରରେ ଲେଖାଅଛି ଯେ, ଗତ ଫେବୃୟାରୀ ମାସରେ ଆମ ପିଏଲଜିଏ ଦ୍ୱାରା ପୋଲିସକୁ ଟାର୍ଗେଟ କରି ବିସ୍ଫୋରଣ ଖଞ୍ଜା ଯାଇଥିଲା । କିନ୍ତୁ ପୁଲିସ ଜାଣିଶୁଣି ନ ଉଠାଇ ଲୋକଙ୍କୁ ଜାଲରେ ଫଶାଇ ସାମ୍ବାଦିକ ରୋହିତ ବିଶ୍ୱାଳ, ଆଉ ଜଣେ ଖିଆମୁଣ୍ଡା ଗାଁର ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଆହତ ହୋଇଥିଲେ ।

ଏହି ଦୁଃଖ ଦାୟକ ଘଟଣାପାଇଁ ଆମେ ଜନତାଙ୍କୁ, ମୃତ ପରିବାରଙ୍କୁ କ୍ଷମା ମାଗୁଅଛୁ । ସାମ୍ବାଦିକ ରୋହିତ ବିଶ୍ୱାଳ ଏବଂ ଖିଆମୁଣ୍ଡା ଯୁବକ ମୃତ୍ୟୁର ପାଇଁ ସରକାରୀ ଓ ପୋଲିସ ଦାୟୀ ବୋଲି ଭାକପା(ମାଓବାଦୀ) ସଂଗଠନ ଉଲ୍ଲେଖ କରିଛି । ତେବେ ଘଟଣାକୁ ତିନିମାସରୁ ଅଧିକ ସମୟପରେ ମାଓ ସଂଗଠନର କ୍ଷମା ପ୍ରାର୍ଥନା ପରେ ପୁଣି ଥରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ବିୟୋଗର ସ୍ମୃତିକୁ ତାଜା କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ରୋହିତଙ୍କ ପରିବାରେ ଏକମାତ୍ର ପୁଅ, ଝିଅ ଏବଂ ବିଧବା ପତ୍ନୀ, ବୃଦ୍ଧା ମାଆ ସମେତ ପରିବାର ବର୍ଗ, ସାଙ୍ଗସାଥୀ ଆଜି ବି ରୋହିତଙ୍କୁ ଝୁରି ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.