Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେବି ପାଣି ଘେରରେ କଣାସର ଅନେକ ଗାଁ, ଚାଷ ଜମିରେ ଲହଡି ମାରୁଛି ଅଣ୍ଟାଏ ଉଚ୍ଚର ପାଣି

13/09/2019 at 1:27 PM

ନିମାପଡା ୧୩।୯: କଣାସ ଅଂଚଳର ପିଛା ଛାଡ଼ୁନି ବନ୍ୟା ବାତ୍ୟା । ଗତ ଫୋନିରେ ପୁରୀ ଜିଲ୍ଲା କଣାସ ବ୍ଲକ୍ ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ବିଧ୍ବସ୍ତ ହୋଇଥିଲା । ଆଜି ପର୍ଯ୍ୟନ୍ତ ସଠିକ୍ ଭାବରେ ଲୋକମାନେ ଅଣ୍ଟା ସଳଖି ନଥିବା ବେଳେ ଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ଗାଁ ମାନଙ୍କରେ ବନ୍ୟା ପାଣି ପସିଛି । ଚାଷ ଜମିରେ ଅଣ୍ଟାଏ ଉଚ୍ଚର ପାଣି ଲହଡି ମାରୁଛି । ଏବେ କିପରି ପରିବାର ପ୍ରତିପୋଷଣ ହେବ ସେ ଚିନ୍ତାରେ ଚାଷୀ ।

ଗାଁ ଦାଣ୍ଡ ମାନଙ୍କରେ ଅଣ୍ଟାଏ ଉଚ୍ଚର ପାଣି । କଣାସ ବ୍ଲକର ଦୟା, ରାଜୁଆ, ମକରା, ମଲାଗୁଣି, ଲୁଣା, ନଦୀ ପ୍ରଭାହିତ ହୋଇଛି ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଗେଟ୍ ଖୋଲିବା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ଦୟା ନଦୀର ବିପଦ ସଂକେତ ୩.୯୯ମିଟର ଥିବାବେଳେ ବର୍ତ୍ତମାନ୫.୩୫ ମିଟରକୁ ଛୁଇଁଛି । ଦୁଇଦିନ ମଧ୍ୟରେ ଏହିସବୁ ନଦୀ କୂଳିଆ ଗ୍ରାମଗୁଡିକରେ ଘର ଭିତରେ ପାଣି ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଇତି ମଧ୍ୟରେ ଦୋକନ୍ଦ।, ବଡାସ, ତରପଡା, ବୈଦ୍ୟନାଥପାଟଣା, କଖାରୁବସ୍ତ, ହଳଦିଆପଡା, ଲୋକାପାଳ, ବଡ଼ପୁଟ, ସାନପୁଟ, ବଳଭଦ୍ରପୁର, ପଣ୍ଡିଆକେରା, ବାଙ୍କତଳ, ମାଟିଆପଡା, ବଗିପଡା, ସିମିଳିପାଟଣା, ଘରଛିଆ, ନନକେରା ଆଦି ପ୍ରମୁଖ ଗାଁମାନଙ୍କରେ ବନ୍ୟାଜଳ ପ୍ରବେଶ କରିବାରୁ ଲୋକମାନେ ଭୋକ ଉପାସରେ ଚୁଡା ଜଳଖିଆ ଖାଇ ଦିନ କାଟୁଛନ୍ତି । ଗୃହପାଳିତ ପଶୁ ମଧ୍ୟ ଭୋକରେ ପଡିରହିଛନ୍ତି । ୩ରୁ୪ଟି ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ବଜାର ଘାଟକୁ ଯିବା କି ସ୍କୁଲ କଲେଜ ଯିବା ଛାତ୍ରଛାତ୍ରୀମାନଙ୍କ ଏକ ପ୍ରକାର ବନ୍ଦ ହୋଇଛି ।

ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ନା ଯାତାୟତ କରିବା ପାଇଁ ଡଙ୍ଗାର ବ୍ୟବସ୍ଥା କରାଯାଇନାହିଁ । କଣାସ ବ୍ଲକରେ ୮୦ପ୍ରତିଶତ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି । ଧାନ ଚାଷଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପନି ପରିବା ଫସଲ କରିଥାନ୍ତି । ବ୍ୟାଙ୍କ ଋଣ ହେଉକି ଗାଁ ଗହଳିର ହାତ ଉଦ୍ଧାରି କରି ଚାଷୀମାନେ ସେମାନଙ୍କର ଚାଷ କାମ କରିଥାନ୍ତି । ହେଲେ ଠିକ୍ ଅମଳ ସମୟ ପୂର୍ବରୁ ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ଫସଲ ନଷ୍ଟହେଉଛି । ଯେଉଁଥି ପାଇଁ ଋଣ ସୁଝିବା ହେଉ କି ପରିବାର ପ୍ରତିପୋଷଣ ଏବଂ ପିଲାମାନଙ୍କ ପାଠ ପଢିବା ସବୁଥିରେ ବ୍ୟାଘାତ ସୃଷ୍ଟି କରୁଛି ।

   Related Posts