ଇଞ୍ଜିନିୟରିଂର ଚାହିଦା କମୁଛି, ଖାଲି ପଡିବ ୧୫ହଜାରରୁ ଅଧିକ ସିଟ୍

Published By : Prameya-News7 Bureau | November 02, 2020 IST

ଭୁବନେଶ୍ୱର ୦୨।୧୧ : ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଚଳିତ ବର୍ଷ ୧୫ ହଜାରରୁ ଅଧିକ ସିଟ୍‌ ଖାଲି ପଡ଼ିବ ବୋଲି ପ୍ରାଥମିକ ଆକଳନରୁ ସୂଚନା ମିଳିଛି । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ କର୍ତ୍ତୃପକ୍ଷ ଚଳିତ ବର୍ଷ ନାମଲେଖା ପରିଚାଳନା କରୁଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକର ବିଟେକ୍‌ରେ ମୋଟ ୩୩ ହଜାର ୯ଶହ ସିଟ୍‌ ରହିଛି । ଏହାସହିତ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୫ ପ୍ରତିଶତ ଟ୍ୟୁସନ୍‌ ଫି’ ୱେଭର୍‌ ବା ଟିଏଫ୍‌ଡବ୍ଲ୍ୟୁ ସିଟ୍‌ ରହିଛି । ଯାହା ମିଶାଇଲେ ବିଟେକ୍‌ରେ ୩୫ ହଜାର ୫୯୫ ସିଟ୍‌ ହେବ । ଏହା ବ୍ୟତୀତ ବିଆର୍କରେ ୨ଶହ ଓ ବିପ୍ଲାନରେ ୬୦ଟି ସିଟ୍‌ ରହିଛି । ତେବେ ରାଜ୍ୟରେ ଇଞ୍ଜିନିୟରିଂରେ ମୋଟ ୩୫ ହଜାର ୮୫୫ଟି ସିଟ୍‌ ହେବ । ଅପରପକ୍ଷେ ଗତକାଲି ଓଜେଇଇ କାଉନସେଲିଂ ପାଇଁ ପଞ୍ଜିକରଣ ସରିଥିବା ବେଳେ ମାତ୍ର ୧୧ ହଜାର ଶହେ ଛାତ୍ରଛାତ୍ରୀ ନାମ ଲେଖିବା ପାଇଁ ଫି’ ଦାଖଲ କରିଛନ୍ତି ।  ଯେଉଁମାନେ ଓଜେଇଇ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇପାରିବେ । ସମସ୍ତେ ଯଦି ନାମ  ଲେଖିବେ ତଥାପି ୨୪ ହଜାରରୁ ଅଧିକ ସିଟ୍‌  ଖାଲି ରହିବ ।

ସେହିପରି ଇଞ୍ଜିନିୟରିଂ ପଢ଼ିବା ପାଇଁ ଚଳିତ ବର୍ଷ ପାଖାପାଖି ୭ ହଜାର ଛାତ୍ରଛାତ୍ରୀ ସ୍ପେଶାଲ୍‌ ଓଜେଇଇ ଦେଇଛନ୍ତି । ଜେଇଇ ମେନ୍‌ ର‌୍ୟାଙ୍କଧାରୀ ଛାତ୍ରଛାତ୍ରୀ ନାମ ଲେଖିବା ପରେ ଖାଲି ପଡିଥିବା ସିଟ୍‌ଗୁଡିକରେ ଏହି ଛାତ୍ରଛାତ୍ରୀମାନେ ନାମ ଲେଖିପାରିବେ । ତେବେ ଓଜେଇଇ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଯଦି ର‌୍ୟାଙ୍କ ହାସଲ କରି ନାମ ଲେଖିବେ ତଥାପି ୧୬ରୁ ୧୭ ହଜାର ସିଟ୍‌ ଖାଲି ପଡ଼ିବ । ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପଞ୍ଜିକରଣ ଆସନ୍ତା ୯ରୁ ୧୨ ତାରିଖ ମଧ୍ୟରେ ହେବ । ଚଳିତବର୍ଷ ଏହି ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ନାମ ଲେଖିବେ ବୋଲି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ବା ଓପେକା ଆଶା କରିଛି । କରୋନା ମହାମାରୀ ସତ୍ତେ୍ୱ ନାମଲେଖା ବିଶେଷ ବାଧାପ୍ରାପ୍ତ ହେବନି ବୋଲି ଓପେକା ସାଧାରଣ ସମ୍ପାଦକ ଇଞ୍ଜିନିୟର୍‌ ବିନୋଦ କୁମାର ଦାଶ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜ୍ୟରେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୪୨ ହଜାରରୁ ଅଧିକ ସିଟ୍‌ ରହିଥିଲା । ମାତ୍ର ବହୁ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଲଗାତର କିଛି ବର୍ଷ ଧରି ସିଟ୍‌ଗୁଡିକ ଖାଲି ପଡ଼ିବାରୁ କିଛି ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଥିବା ବେଳେ ଅନ୍ୟ କିଛି ଇଞ୍ଜିନିୟରିଂ କଲେଜ ଚାହିଦା ନଥିବା ବିଭାଗ ବନ୍ଦ କରିଛନ୍ତି । ଅନ୍ୟ କିଛି କଲେଜ କମ୍ପ୍ୟୁଟର୍‌ ସାଇନ୍ସ ଓ ଆଇଟି ଭଳି ଚାହିଦା ଥିବା ବିଭାଗର ସିଟ୍‌ ବଢ଼ାଇଛନ୍ତି । ଏବେ ରାଜ୍ୟରେ ପୂର୍ବ ତୁନଳାରେ କମ୍ପ୍ୟୁଟର୍‌ ସାଇନ୍ସ୍‌ ସିଟ୍‌ ବଢ଼ିଛି ।

ସେହିପରି ଇଞ୍ଜିନିୟରିଂ କଲେଜଗୁଡିକ ନିଜ ଆଡୁ ସିଟ୍‌ କମାଇବା ପାଇଁ ଆବେଦନ କରିବା ପରେ ଏଆଇସିଟିଇ କର୍ତ୍ତୃପକ୍ଷ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଫଳରେ ରାଜ୍ୟରେ ଗତବର୍ଷ ଇଞ୍ଜିନିୟରିଂ କଲେଜଗୁଡିକରେ ଥିବା ୩୭ ହଜାର ସିଟ୍‌ ଏବେ ୩୫ ହଜାରକୁ ଖସିଛି । ସେପଟେ ଅଧିକାଂଶ ଛାତ୍ରଛାତ୍ରୀ ମେଡିକାଲ୍‌, ଯୁକ୍ତ ତିନି ବିଜ୍ଞାନ, ଏମ୍‌ବିଏ ସମେତ ଘରୋଇ ଡିମଡ୍‌ ବିଶ୍ୱବିଦ୍ୟାଳୟଗୁଡିକରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ଆବଶ୍ୟକ ଭିତ୍ତିଭୂମି ନଥିବା ତଥା ଅଧ୍ୟାପକ କମ ଥିବା ଛୋଟ ଛୋଟ ଇଞ୍ଜିନିୟରିଂ କଲେଜଗୁଡିକରେ ସିଟ୍‌ ଖାଲି ପଡୁଛି ବୋଲି ଓଜେଇଇର ପ୍ରାକ୍ତନ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.