ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ: କେମିତି ଟଣା ହେବ କାଳିଆ ସାଆନ୍ତଙ୍କ ରଥ...

Published By : Prameya-News7 Bureau | April 15, 2020 IST

ପୁରୀ୧୫/୪: ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ବଢ଼ିଛି। ତେବେ ଏହା ପରେ ଯେ ସ୍ଥିତି ସଂପୂର୍ଣ୍ଣ ରୂପେ ସୁଧୁରିଯାଇଥିବ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଯଦି ଚୀନର କଥାକୁ ବିଚାର କରାଯାଏ ତେବେ ଏବେସୁଦ୍ଧା ସେଠାରେ ସ୍ଥିତି ସ୍ବାଭାବିକ ହୋଇନାହିଁ। ଏସବୁକୁ ବିଚାର କଲେ ଏବର୍ଷ ରଥଯାତ୍ରା କେମିତି ହେବ ସେନେଇ ଚିନ୍ତା ହେବା ସ୍ବାଭାବିକ।

କରୋନା ଭାଇରସ ଯୋଗୁଁ ଭକ୍ତ ପାଇଁ ସିଂହଦ୍ବାର ହୋଇଗଲା ବନ୍ଦ। ଶ୍ରୀକ୍ଷେତ୍ରରୁ ଦୂରେଇ ରହିଛନ୍ତି ଭକ୍ତ । ହେଲେ ଏବେ ଚିନ୍ତାରେ ଭକ୍ତ, କେମିତି ହେବ ରଥୟାତ୍ରା । କେମିତି କାଳିଆ ସାଆନ୍ତଙ୍କ ହେବ ରଥ ଟଣା । ଜୁନ୍‌ ୨୩ ତାରିଖରେ ରଥଯାତ୍ରା ତିଥୀ ରହିଛି । ଏହା ପୂର୍ବରୁ ଜୁନ୍‌ ୫ ତାରିଖରେ ରହିଛି ସ୍ନାନ ଯାତ୍ରା । ବର୍ତ୍ତମାନର ସ୍ଥିତି ସୁଧୁରିଥିଲେ ବି ସଂକ୍ରମଣର ଭୟ ଯେ ସଂପୂର୍ଣ୍ଣ ଚାଲିଯାଇଥିବ ତାହା ଏବେଠାରୁ କହିବା ସହଜ ସାଧ୍ୟ ନୁହେଁ । ଯେହେତୁ ରଥଯାତ୍ରାରେ ୫ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ, ତେଣୁ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ଅନୁମତି ଦିଆଯାଇପାରିବ କି ? ଅବଶ୍ୟ ରାଜ୍ୟ ସରକାର ଏନେଇ ଚିନ୍ତା କରିବା ଆରମ୍ଭ କରିଛନ୍ତି କିନ୍ତୁ କୌଣସି ବିଧିବଦ୍ଧ ଆଲୋଚନା ଆରମ୍ଭ ହୋଇନାହିଁ।

ରଥଯାତ୍ରାକୁ ନେଇ ଭକ୍ତମନରେ ଅନେକ ପ୍ରଶ୍ନ । ଆଶା ତ ଏୟା କରୁଛନ୍ତି ସବୁ ସ୍ଥିତି ସୁଧୁରିଯାଇଥିବ ଏବଂ କାଳିଆ ସାଆନ୍ତ ହସି ହସି ବଡ଼ଦାଣ୍ଡକୁ ଓହ୍ଲାଇବେ, ଭକ୍ତ ସମୁଦ୍ର ଭିତରେ ରଥାରୁଢ଼ ହୋଇ ନବ ଦିନାତ୍ମକ ଲୀଳାଖେଳା କରିବେ । ହେଲେ ଭକ୍ତ ମନରେ ଏ ଆଶଙ୍କା ବି ରହିଛି , ଯଦି ସ୍ଥିତି ନିୟନ୍ତ୍ରଣ ବାହାରେ ଥାଏ ତେବେ ରଥଯାତ୍ରା ବନ୍ଦ ହୋଇଯିବନି ତ?  ନା ଲୀଳାମୟ ଠାକୁର କିଛି ଅଲଗା ଲୀଳା କରିବେ।

ବର୍ତ୍ତମାନର ସ୍ଥିତିକୁ  ଦେଖି ଗବେଷକମାନେ କହିଛନ୍ତି ପୂର୍ବରୁ ଯେମିତି ହେଉ ବି ରଥଯାତ୍ରା ଅନୁଷ୍ଠିତ ହୋଇଛି, କେବେବି ବନ୍ଦ ହୋଇନାହିଁ । ତେଣୁ ଏଥର ମଧ୍ୟ ବନ୍ଦ ହେବନି । ତାହେଲେ ଏଭଳି କିଛି ବିକଳ୍ପ ଉପରେ ବିଚାର କରାଯାଇପାରେ। ରଥଯାତ୍ରା ହେବ କିନ୍ତୁ ଭକ୍ତମାନଙ୍କୁ ବାରଣ କରାଯିବ ।  କେବଳ ସୀମିତ ସଂଖ୍ୟକ ସେବାୟତ ଓ ସୁରକ୍ଷା କର୍ମୀ ସୋସିଆଲ ଡିଷ୍ଟାନ୍‌ସ ରଖି ରଥଟଣା କରିବେ ।

ପ୍ରତୀକାତ୍ମକ ଭାବେ କେବଳ ନୀତିରେ ସୀମିତ ରହିବ ରଥଯାତ୍ରା । ସ୍ନାନଯାତ୍ରା ହେବ ଏବଂ ଏହାପରେ ଶ୍ରୀମନ୍ଦିର ପରିସର ଭିତରେ ରଥଯାତ୍ରାନୀତି ଅନୁଷ୍ଠିତ ହେବ । ଚତୁର୍ଦ୍ଧା ମୂରତି ଅଣସର ମଣ୍ଡପରୁ ଭୋଗମଣ୍ଡପରେ ବିଜେ ହେବେ ଏବଂ ନିଳାଦ୍ରୀବିଜେ ଦିନ ମହାପ୍ରଭୂ ରତ୍ନସିଂହାସନକୁ ଫେରିବେ।   ପୂର୍ବରୁ କୁଆଡ଼େ ଏମିତି ହୋଇଥିବା ଗବେଷକମାନ କୁହନ୍ତି। ବଡ଼ ଦାଣ୍ଡରେ ରଥକାଠ ପହଞ୍ଚିସାରିଲାଣି । ଏପ୍ରିଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ଏହା ମଧ୍ୟରେ ସମସ୍ତ ସ୍ଥିତିକୁ ଦେଖି ରାଜ୍ୟ ସରକାର ଗୁରୁତ୍ବୂପୂର୍ଣ୍ଣ ନିଷ୍ପତ୍ତି ନେବେ ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.