ଚାରି ପିଢି ହେଲାଣି ରହୁଛନ୍ତି, କିନ୍ତୁ ନାହିଁ ଭୂମିରେ ଅଧିକାର : ବସ୍ତି ଭାଙ୍ଗି ଚାଲିଯିବାକୁ ଧମକ ଦେଉଛି ନୂଆ ମାଲିକ , କାଟିଦେଇଛି ବିଜୁଳି

Published By : Prameya-News7 Bureau | August 08, 2020 IST

ଭଦ୍ରକ  ୦୮।୦୮: ଆଖ ପାଖରେ କାମଧନ୍ଦା କରୁଥିଲେ । ରାତିରେ ମୁଣ୍ଡ ଗୁଞ୍ଜିବା ପାଇଁ ବସ୍ତିରେ ଘର କରି ରହୁଥିଲେ । ଆଜି ନୁହେଁ ଚାରି ପିଢି ଧରି ଏଠାରେ ରହୁଆସୁଥିଲେ ଏହି ବସ୍ତିରେ । ଏବେ ଏହି ବସ୍ତିର ଜାଗାର ମାଲିକାନା ବଦଳିଛି । ନୂଆ ମାଲିକ ଏବେ ଏହି ଆଦିବାସୀ ବସ୍ତି ବାସିନ୍ଦାଙ୍କୁ ଉଠେଇବା ପାଇଁ ଧମକଦେଇଥିଲେ ,  କିନ୍ତୁ ଏମାନେ ବସ୍ତି ଛାଡିବା ପାଇଁ ମନା କରିବାରୁ ବିଜୁଳି କାଟ କରାଯାଇଥିବା ଅଭିଯୋଗ ଆସିଛି  । ଛୋଟ ପିଲା , ଗର୍ଭବତୀ ମହିଳା , ବୃଦ୍ଧ ଓ ବୃଦ୍ଧା ଏବେ ଅନ୍ଧାରରେ ଦିନ କାଟୁଛନ୍ତି । କିନ୍ତୁ ନିଜର ଦାବି ହାସଲ ପାଇଁ ବସ୍ତି ବାସିନ୍ଦା ମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରିଛନ୍ତି । ଭଦ୍ରକ ଜିଲ୍ଲାର ଦେଖିବାକୁ ମିଳିଛି ଆଦିବାସୀ ବସ୍ତି ବାସିନ୍ଦାଙ୍କ ଦୁଖ କାହାଣୀ ।

{"id":311560,"sizeSlug":"large"}

ବସ୍ତିଟି ଭଦ୍ରକ ସହରର ଚରମ୍ପା ଅଞ୍ଚଳରେ ଥିବା ଏକ ଆଦିବାସୀ ବସ୍ତିର ।  ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୫ କିମି ଦୂରରେ ରହିଛି ଏହି ବସ୍ତି । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ବସ୍ତି ମଧ୍ୟ ଅନ୍ଧାର । କାରଣ ବସ୍ତି ରହିଥିବା ଜାଗାର ନୂଆ ମାଲିକ ଏମାନଙ୍କ ବସ୍ତିର ବିଜୁଳି କାଟ କରିଛନ୍ତି । ସବୁ କିଛି ଅନ୍ଧାର । ଲୋକମାନେ ଏଠାରେ ଚାରି ପିଢି ହେଲା ରହୁଛନ୍ତି । ନିକଟରେ ଥିବା ଚାଉଳ ମିଲ୍‌ ଓ ଅନ୍ୟ ସ୍ଥାନ ମାନଙ୍କରେ କାମଧନ୍ଦା କରି ପେଟ ପୋଷୁଥିଲେ । ରାତିରେ ମୁଣ୍ଡ ଗୁଞ୍ଜୁଥିଲେ ବସ୍ତିରେ , କିନ୍ତୁ ଏବେ ପରିସ୍ଥିତି ଅଲଗା । ବସ୍ତିର ନୂଆ ମାଲିକ ଏବେ ଏମାନଙ୍କୁ ସେହି ସ୍ଥାନ ଛାଡିବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଏମିତି କି ବସ୍ତିର ବିଜୁଳି କାଟ ମଧ୍ୟ କରାଯାଇଛି । ସେଥିପାଇଁ ଅନ୍ଧାରରେ ଦିନ କାଟୁଛନ୍ତି ଏହି ବସ୍ତିବାସିନ୍ଦା । ସେଥି ପାଇଁ ପ୍ରତିବାଦ ମଧ୍ୟ ଆରମ୍ଭ ହେଲାଣି ।

{"id":311561,"sizeSlug":"large"}

ରାତିର ଅନ୍ଧାରରେ କେବଳ ଡିବିରି ଆଲୁଅ ଦିଶୁଚି । ଘର ସାମ୍ନାରେ ଥିବା ରୋଷେଇ ପାଇଁ ଚୁଲି ମଧ୍ୟ ଜଳୁଛି । ଆଉ ଗର୍ଭବତୀ ସ୍ତ୍ରୀ ଲୋକଟି ପିଣ୍ଢାରେ ବସି ବିଞ୍ଛଣାରେ ବିଞ୍ଚି ହେଉଛନ୍ତି । ଆଉ କୁନି କୁନି ଛୁଆ ଗରମରେ କାନ୍ଦି କାନ୍ଦି ବେହାଲ ହେଲେଣି । ନୂଆଁଣିଆ ଘର । ସେଇଠି ରୋଷେଇ ଆଉ ସେଇଠି ଘରର ସବୁ ଆସବା ପତ୍ର । ଘର ଭିତରେ ଶାଶୁ , ବୋହୁ , ପୁଅ , ଝିଅ ଆଉ ନାତି ନତୁଣୀ । କିନ୍ତୁ ସବୁ ଯେମିତି ଅନ୍ଧାର ଅନ୍ଧାର ଦିଶୁଚି । କାରଣ ଏମାନଙ୍କ ଉପରେ ଏବେ ବସ୍ତି ନୂଆ ମାଲିକ ଦାଉ ସାଜିଛି ।

{"id":311563,"sizeSlug":"large"}

ଆଦିବାସୀ ଝିଅଟି ପାଠ ପଢୁଛି । କରୋନା ପାଇଁ ଅନଲାଇନ ରେ ପାଠପଢା ହେଉଛି । କିନ୍ତୁ ଲାଇନ ନାହିଂ । ମୋବାଇଲ ଚାର୍ଜ ହେଉନି କି ଅନଲାଇନ ରେ ପାଠ ପଢି ହେଉନି । ଏବେ ସହିଦ ବିର୍ସା ମୁଣ୍ଡା ଆଦିବାସୀ ମହାସଂଘ ତରଫରୁ ପ୍ରତିବାଦ କରାଯାଇଛି । ପ୍ରତିବାଦ ଏମିତି ଶାନ୍ତିପୂର୍ଣ ଭାବେ କରିଛନ୍ତି ଯେ, ପ୍ରତିବାଦକାରୀ ମାନେ ରାସ୍ତା ଉପରେ ଶୋଇ ନିଜ ଦାବି ଜଣାଇଛନ୍ତି । ରାସ୍ତାରେ ଶୋଇବା ପରେ ରାସ୍ତା ଜାମ ହୋଇଛି ପୋଲିସ ଆସି ପରିସ୍ଥିତିକୁ ସ୍ଵାଭାବିକ କରିଛି  । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଆସି ତାଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି ।

{"id":311564,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.