Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରିବର୍ତନଶୀଳ ସମାଜରେ ଉଦ୍ୟୋଗୀମାନଙ୍କ ପାଇଁ ଅନେକ ସୁଯୋଗ ରହିଛି

8/02/2019 at 5:10 PM

ଭୁବନେଶ୍ୱର ୮/୨ : ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଚ୍ଚକାଂକ୍ଷୀ ଉଦ୍ୟୋଗୀମାନଙ୍କର ଅନେକ ସୁଯୋଗ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ଠାରେ ଆୟୋଜିତ ପ୍ରଥମ “ମେଗା ଏଂଟ୍ରିପ୍ରିନ୍ୟୁଅରସିପ୍ ସମିଟ୍”ରେ ବିଶେଷଜ୍ଞମାନେ ମତ ରଖିଛନ୍ତି ।


ଖାଦ୍ୟ ଶିଳ୍ପ ଏବଂ କୃଷି ଭଳି ଅନେକ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ସତ୍ୱେ ଅନେକ ସୁଯୋଗ ରହିଛି ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ଆଇଓସି, ଭୁବନେଶ୍ୱର କ୍ୟାମ୍ପସ୍ର ନିର୍ଦ୍ଦେଶକ ପ୍ରଫେସର ବି.ଏନ୍ ଥୋରାଟ୍ କହିଛନ୍ତି । ସୋଆ ପରିଚାଳିତ ଇନୋଭେସନ୍ ଆଣ୍ଡ ଏଂଟ୍ରିପ୍ରିନ୍ୟୁଅର୍ସିପ୍ ସେଲ୍ ଏବଂ ଟେକ୍ନୋଲୋଜି ବିଜିନେସ୍ ଇନ୍କ୍ୟୁବେଟର (ଟିବିଆଇ) ଦ୍ୱାରା ଆୟୋଜିତ ତିନି ଦିନିଆ “ଇ-ସମିଟ୍ ୧୯” ର ଉଦଘାଟନୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ ନିବେଶକମାନଙ୍କ ଉଦ୍ଦେଶ୍ୟରେ ଏଭଳି ବକ୍ତବ୍ୟ ରଖିଛନ୍ତି ପ୍ରଫେସର ଥୋରାଟ୍ ।


ଚାରୋଟି କ୍ଷେତ୍ରରେ ଉଦ୍ୟୋଗ ନିମନ୍ତେ ସୁଯୋଗ ରହିଥିବା ପ୍ରଫେସର ଥୋରାଟ କହିବା ସହ ଖାଦ୍ୟ ଶିଳ୍ପ ଓ କୃଷି, ଧର୍ମ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିପୁଳ ପରିମାଣରେ ସୁଯୋଗ ରହିଥିବା ସେ କହିଥିଲେ । ଯଦିଓ ଧର୍ମ କ୍ଷେତ୍ରରେ କିଭଳି ସୁଯୋଗ ରହିଛି ସେନେଇ ସେ ବିଷଦ ଭାବେ ଆଲୋକପାତ କରି ନଥିଲେ ।


ତେବେ ଭାରତରେ ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଡାଇବେଟିସ୍ ରୋଗୀ ଅଛନ୍ତି । ଭାତ ଭାରତୀୟଙ୍କର ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଖାଦ୍ୟ ଶିଳ୍ପ କ୍ଷେତ୍ରରେ ସମ୍ପୂର୍ଣ୍ଣ ବୈପ୍ଳବିକ ପରବର୍ତନ ଆସିପାରିବ ବୋଲି ସେ କହିଥିଲେ ।

ଜେନେଟିକାଲ୍ ମୋଡିଫାଇଡ୍ ଧାନ ରକ୍ତରେ ସର୍କରା ଅଂଶ ବୃଦ୍ଧି ନ କରାଇ ଶରୀରର ସନ୍ତୁଳନ ରକ୍ଷା କରିବାକୁ ସାହାଯ୍ୟ କରିବାକୁ ସମର୍ଥ ହେବ । ତେଣୁ ଉଦ୍ୟୋଗୀମାନେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଆଖିରେ ରଖି ତାର ସମାଧାନ କରିବାକୁ ଆଗଭର ହେଲେ ବିଭିନ୍ନ ଉଦ୍ୟୋଗ ଜନ୍ମ ନେଇପାରିବ ବୋଲି ସେ କହିଥିଲେ ।


ନିଜ ପାଖରେ ଉପଲବ୍ଧ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତ କୈନ୍ଦ୍ରିକ ସମାଧାନର ବାଟ ବାହାର କରିବା ଦରକାର ବୋଲି ପ୍ରଫେସର ଥୋରାଟ୍ କହିଥିଲେ ।


ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିମେନ୍ସର ଉପସଭାପତି (ମାନବ ସମ୍ବଳ)ଶ୍ରୀ ସତୀଶ ମହାପାତ୍ର, ଆଇଟିସି ଇନ୍ଫୋଟେକ୍ର ଉପସଭାପତି (କ୍ୟାପାସିଟି ବିଲ୍ଡିଂ ଆଣ୍ଡ ନଲେଜ୍ ମ୍ୟାନେଜମେଂଟ) ଶ୍ରୀ ସଞ୍ଜୟ କୁମାର, ଇ-ସମିଟ୍ ୧୯ର କନ୍ଭେନର୍ ଡ. ଡି.ପି କର ଏବଂ ଟିବିଆଇର କୋଅର୍ଡିନେଟର୍ ପ୍ରଫେସର ଅନୁରାଗ ଶତପଥୀ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।


ପ୍ରଫେସର ଥୋରାଟ କହିଥିଲେ ଯେ ଭାରତ ଏଭଳି ଛାତ୍ରଙ୍କୁ ଆବଶ୍ୟକ କରେ ନାହିଁ ଯେଉଁମାନେ କିଛି ଚିନ୍ତା କରନ୍ତି ନାହିଁ । ଚାକିରି ଖୋଜିବା ଅପେକ୍ଷା ନିଜେ ନିଯୁକ୍ତିକାରୀ ହେବା ଉଚିତ୍ ବୋଲି ସେ କହିଥିଲେ । ଶ୍ରୀ ମହାପାତ୍ର ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଆମେ ନିଜ ନିଜର କାର୍ଯ୍ୟପନ୍ଥା ବାହାର କରିବା ଉଚିତ୍ । ନିଯୁକ୍ତିର ସୁଯୋଗ ନିଜେ ଖୋଜିବା ଉଚିତ୍ ବୋଲି ସେ କହିଥିଲେ ।

   Related Posts