ଭିସା ପାଇଁ ପ୍ରବଳ ଭିଡ଼: ଦଳାଚକଟାରେ ୧୧ ମହିଳାଙ୍କ ସମେତ ୧୫ ମୃତ, ୧୩ ଗୁରୁତର

Published By : Prameya-News7 Bureau | October 21, 2020 IST

କାବୁଲ ୨୧/୧୦: ଆଫଗାନିସ୍ତାନରେ ଘଟିଛି ଅଭାବନୀୟ ଘଟଣା। ଭିସା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼। ଭିଡ଼ରେ ହୋଇଥିବା ଦଳାଚକଟାରେ ୧୫ ଜଣ ଆଫଗାନିସ୍ତାନ ନାଗରିକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ଅନୁସାରେ ବୁଧବାର ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରାନ୍ତରେ ପାକିସ୍ତାନ ଯିବା ପାଇଁ ଏକ ଷ୍ଟାଡିୟମ୍‌ରେ ଭିସା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହଜାର ହଜାର ଲୋକ ଭିସା ନେବାକୁ ସେଠାରେ ଭିଡ଼ ଜମାଇଥିଲେ। ତେବେ ଭିଡ଼ ଏତେ ଅଧିକ ଥିଲା ଯେ ଭିଡ଼ର ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ଏନେଇ ଗଭର୍ଣ୍ଣର ଅତାଉଲହା ଖୋଗ୍ୟାନି ସୂଚନା ଦେଇଛନ୍ତି। ତେବେ ଦଳାଚକଟାରେ ବିଶେଷ କରି ବୃଦ୍ଧ ଲୋକ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୩୪ ଆଫଗାନୀ ପୋଲିସ ପ୍ରାଣ ହରାଇଛନ୍ତି। ଏନେଇ ତାଖର ପ୍ରାନ୍ତର ଏକ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୁଖ୍ୟ ହସ୍ପିଟାଲର ନିର୍ଦେଶକ ରହୀମ ଓ୍ବାଖିଶ କହିଛନ୍ତି ଏହି ଆକ୍ରମଣରେ ଅନ୍ୟ ୮ ପୋଲିସ କର୍ମୀ ମଧ୍ୟ ଗୁରୁତର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.