ଓଡ଼ିଶାର ମାଣ୍ଡା ମଇଁଷିକୁ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା : କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଦେଖାଯାଆନ୍ତି

Published By : Prameya-News7 Bureau | September 07, 2021 IST

ଭୁବନେଶ୍ୱର, ୦୭//୦୯: କୋରାପୁଟ ମାଳଭୂମି ଅଞ୍ଚଳରେ ଅଧିକ ସଂଖ୍ୟାରେ ଥିବା ମାଣ୍ଡା ମଇଁଷିଙ୍କୁ ଜାତୀୟସ୍ତରରେ ପ୍ରଜାତି ମାନ୍ୟତା ମିଳିଛି । ସେମାନଙ୍କ ଉପରେ ବିସ୍ତୃତ ଅଧ୍ୟୟନ ପରେ ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂଶାଧନ ବ୍ୟୁରୋ (ଏନ୍‌ବିଏଜିଆର୍‌) ଏହାକୁ ଦେଶର ୧୯ତମ ମଇଁଷି ପ୍ରଜାତି ମାନ୍ୟତା ଦେଇଛି ।

ଏହି ମଇଁଷିର ଜର୍ମପ୍ଲାଜମ୍‌ ବା ଜନନଦ୍ରବ୍ୟକୁ ନେଇ ପଶୁପାଳନ ବିଭାଗ ଓ ଓୟୁଏଟି ମିଳିତ ଭାବେ ଏହା ଉପରେ ଅଧ୍ୟୟନ କରିଥିଲେ । ଏହି ସ୍ୱତନ୍ତ୍ର ପ୍ରଜାତି ମଇଁଷିର ଜୀବାଣୁ ସଂକ୍ରମଣକୁ ପ୍ରତିରୋଧ କରିବାର କ୍ଷମତା ରହିଛି । ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଥିବାରୁ ଏମାନେ କ୍ୱଚିତ୍‌ କୌଣସି ରୋଗରେ ଆକ୍ରାନ୍ତ ହୁଅନ୍ତି । ସେହିଭଳି ଏହି ପ୍ରଜାତିର ମଇଁଷିର ପ୍ରଜନନ କ୍ଷମତା ବହୁତ ଭଲ ।

ମାଣ୍ଡା ମଇଁଷି କୋରାପୁଟ ସମେତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅଧିକ ଦେଖାଦିଅନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହେବ । ଏହି ପ୍ରଜାତି ଆକାରରେ ଛୋଟ ଓ ଶକ୍ତ । ଉଭୟ ଅଣ୍ଡିରା ଓ ମାଈ ମଇଁଷିମାନେ ହଳ କରିବାରେ ବ୍ୟବହୃତ ହୁଅନ୍ତି । ମଇଁଷିମାନେ ଦୁଇରୁ ଅଢ଼େଇ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଅନ୍ତି । କିଛି ମଇଁଷି ୪ଲିଟର ଯାଏଁ କ୍ଷୀର ଦେଇଥାଆନ୍ତି । ଏହି ମଇଁଷିଙ୍କୁ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ପରେ ସେମାନଙ୍କ ସଂରକ୍ଷଣ ସହ ସେମାନଙ୍କ ସଂଖ୍ୟା ବଢ଼ାଇବା ଓ ସେମାନଙ୍କ କ୍ଷୀର ବିକ୍ରି ପାଇଁ ବଜାର ସୁବିଧା ମିିଳିବା ସୁଯୋଗ ବ୍ୟାପକ ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥପାଇଁ ପଦକ୍ଷେପ ନେବେ ।

ପଶୁପାଳନ ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଏବଂ ଓୟୁଏଟି ପଶୁ ପ୍ରଜନନ ବିଜ୍ଞାନୀ ଡା. ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ମାଣ୍ଡା ପ୍ରଜାତି ଉପରେ ଏହି ଅଧ୍ୟୟନ ହୋଇଥିଲା । ପୂର୍ବରୁ ଏହି ଦୁଇ ଜଣଙ୍କ ପ୍ରୟାସ ଯୋଗୁ ବିଞ୍ଝାରପୁରୀ, ମୋଟୁ, ଘୁମୁସାରୀ ଓ ଖରିଆର ଭଳି ୪ଗାଇ ପ୍ରଜାତିକୁ ମାନ୍ୟତା ମିଳିଥିଲା । ଚିଲ୍ଲିକା ଓ କଳାହାଣ୍ଡି ଭଳି ଦୁଇ ପ୍ରଜାତିର ମଇଁଷି ଓ ସ୍ୱତନ୍ତ୍ର ପ୍ରଜାତିର ମେଣ୍ଢା ‘କେନ୍ଦ୍ରାପଡ଼ା’କୁ ମଧ୍ୟ ମାନ୍ୟତା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.