ଅଲିମ୍ପିକ୍‌ରେ ତ୍ରିରଙ୍ଗା ଧରିଲେ ମେରିକମ୍‌-ମନପ୍ରିତ୍‌, ଦେଶରୁ ଭାଗ ନେଇଛନ୍ତି ୧୨୪ ଜଣ ଆଥ୍‌ଲେଟ୍‌

Published By : Prameya-News7 Bureau | July 23, 2021 IST

ଟୋକିଓ, ୨୩/୦୭: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସର ଓପନିଂ ସେରିମନି । ୨୧ ନମ୍ବରରରେ ଭାରତୀୟ ଦଳର ମାର୍ଚପାଷ୍ଟ । ମେରିକମ୍‌ ଏବଂ ମନପ୍ରିତ୍‌ ସିଂହ ଧରିଲେ ତ୍ରିରଙ୍ଗା  । କରୋନା ମାହାମାରୀ ପାଇଁ ୧ବର୍ଷ ବିଳମ୍ବରେ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍‌ସ ଆଜି ଉଦ୍‌ଘାଟନୀ ସମାରୋହ ଆରମ୍ଭ ହୋଇଛି । ସାଧାରଣତଃ ଓପନିଂ ସେରିମନିରେ ସମସ୍ତ ଦେଶର ଖେଳାଳୀ ମାର୍ଚ୍ଚ ପାଷ୍ଟ ଅଲିମ୍ପିକ୍‌ ଗେମ୍‌ସ ମୁଖ୍ୟ ଆକର୍ଷଣ ହୋଇଥାଏ । ହେଲେ କରୋନା ଯୋଗୁଁ ଏଥର କେବଳ ୧ ହଜାର ଖେଳାଳୀ ଏବଂ ଅଧିକାରୀ ଉଦ୍‌ଘାଟନୀ ସମାରୋହରେ ଭାଗ ନେଇଛନ୍ତି ।

ଟୋକିଓ ଅଲିମ୍ପିକ୍‌ସରେ ଭାଗ ନେଇଛନ୍ତି ୨୦୫ଦେଶର ଆଥଲେଟ୍‌  । ଏଥର ଅଲିମ୍ପିକ୍‌ରେ ପାଖାପାଖି ୧୧ ହଜାର ୨୩୮ ଖେଳାଳି ୩୩ଟି କ୍ରିଡ଼ା କ୍ଷେତ୍ରରେ ୩୩୯ଟି ଗୋଲ୍ଡ ମେଡାଲ ପାଇଁ ନିଜର ଦାବିଦାରି ପେଶ୍‌ କରୁଛନ୍ତି । ଓପନିଂ ସେରିମନିରେ ସାମିଲ ହୋଇଛନ୍ତି  ଜାପାନର  ସମ୍ରାଟ୍‌ ନାରୁହିତୋ  । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ ମଧ୍ୟ ଅଲିମ୍ପିକ୍‌ ଷ୍ଟ୍ରାଡିୟମରେ ପହଞ୍ଚିଥିଲେ । ଏହି ଅବସରରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ବାଂଲାଦେଶର ମହମ୍ମଦ ୟୁନୁସଙ୍କୁ  ସ୍ବତନ୍ତ ଅଲିମ୍ପିକ୍ସ ପୁରସ୍କାରରେ ସମ୍ମାନିତ କରାଯାଇଛି । ଟୋକିଓ ଅଲିମ୍ପିକ୍‌ ସେରିମନି ବେଳେ ପୂରା ଷ୍ଟାଡିୟମ ଖାଲି ପଡ଼ିଥିବା ବେଳେ ସମାରୋହ ଆରମ୍ଭରୁ ସାରା ବିଶ୍ବର କରୋନା ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା  ।

ଟୋକିଓ ଅଲିମ୍ପିକରେ  ୧୨୪ଜଣ ଭାରତୀୟ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଏଥିରେ ୬୯ଜଣ ପୁରୁଷ ଏବଂ ୫୫ ମହିଳା ଆଥଲେଟ୍‌ ଅଛନ୍ତି । ଭାରତୀୟ ଖେଳାଳୀ ଏଥର ୮୫ ମେଡାଲ ପାଇଁ ନିଜର ଦାବିଦାରୀ ପେଶ୍‌ କରିବେ । ଓପନିଂ ସେରିମନିରେ ଭାରତୀୟ ପୁରୁଷ ହକି ଟିମ୍‌ର କ୍ୟାପଟେନ୍‌ ମନପ୍ରିତ୍‌ ସିଂହ ଏବଂ ୬ଥରର ବକ୍ସିଂ ଓ୍ବାର୍ଡ଼ ଚାମ୍ପିଅନ ଏମସି ମେରିକମ୍‌ ତ୍ରିରଙ୍ଗା ଧରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.