ଅଳ୍ପକେ ବର୍ତ୍ତିଲେ ବିଜେପି ସାଂସଦ ମନୋଜ ତିଓ୍ବାରୀ, ୪୦ ମିନିଟ୍‌ ନିଖୋଜ ପରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର

Published By : Prameya-News7 Bureau | October 29, 2020 IST

ପାଟଣା ୨୯/୧୦:  ବିହାର ନିର୍ବାଚନକୁ ନଜରରେ ରଖି ବହୁ ହେଭିଓ୍ବେଟ୍‌ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ବିଜେପିର ବହୁ ନେତା ମଧ୍ୟ ପ୍ରଚାର କରୁଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ବିହାର ସହ ସମ୍ପର୍କରେ ଥିବା ନେତା ମଧ୍ୟ ପ୍ରଚାର ଦାୟିତ୍ବ ନେଇଛନ୍ତି। କିନ୍ତୁ ଗୁରୁବାର ପ୍ରଚାର ପାଇଁ ତରବରିଆ ଭାବେ ବାହାରିଥିବା ବିଜେପି ସାଂସଦ ମନୋଜ ତିଓ୍ବାରୀ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଗୁରୁବାର ପାଟଣା ଏୟାରପୋର୍ଟରୁ ମନୋଜ ତିଓ୍ବାରୀ ହେଲିକପ୍ଟର ଯୋଗେ ପ୍ରାଚାର ପାଇଁ ବାହାରିଥିଲେ। ହଠାତ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏୟାରପୋର୍ଟ ଅଧିକାରୀଙ୍କ ସହ ପ୍ରାୟ ୪୦ ମିନିଟ୍‌ ମନୋଜଙ୍କ ହେଲିକପ୍ଟରର ସମ୍ପର୍କ ବିଛିନ୍ନ ହୋଇଥିଲା। ଏୟାର ଟ୍ରାଫିକ୍‌ କଂଟ୍ରୋଲ ୟୁନିଟ୍‌ ସହ ହେଲିକପ୍ଟର ରେଡିଓ ୟୁନିଟ୍‌ର ସମ୍ପର୍କ ସ୍ଥାପନ ନହୋଇପାରିବାରୁ ଆଶଙ୍କା ବୃଦ୍ଧି ପାଇଥିଲା। ଶେଷରେ ହେଲିକପ୍ଟରକୁ  ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇବାକୁ ପଡ଼ିଲା।

ମଳିଥିବା ସୂଚନା ଅନୁସାରେ ଆଜି ସକାଳ ୧୦.୧୦ରେ ପାଟଣା ଏୟାରପୋର୍ଟରୁ  ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ ମନୋଜ ତିଓ୍ବାରୀ । ଆଜି ବୋତିୟାରେ ନିର୍ବାଚନୀ ରାଲିରେ ସାମିଲ ହୋଇଥାନ୍ତେ ମନୋଜ । କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏଟିଏସ୍‌ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ତେବେ ହେଲିକପ୍ଟରରେ ବସିଥିବା ଅନ୍ୟ ଲୋକଙ୍କ ମତରେ ଏହି ସମୟ ଅତ୍ୟନ୍ତ ଭୟାନକ ଥିଲା। ପାଇଲଟ୍‌ ଉପସ୍ଥିତ ବୁଦ୍ଧି ଖଟାଇ ମ୍ୟାନୁଆଲ୍‌ ବୁକ୍‌ର ବ୍ୟବହାର କରିଥିଲେ। ଏମର୍ଜେନ୍ସି ଲାଇଟ୍ସ ଅନ୍‌ କରି ଏଟିଏସ୍‌କୁ ସିଗ୍‌ନାଲ୍‌ ଦେଇଥିଲେ। ପରେ ସିଗ୍‌ନାଲ୍‌ ମିଳିବା ପର୍ଯନ୍ତ ଏୟାରପୋର୍ଟ ପାଖାପଖି ଅଞ୍ଚଳରେ ହେଲିକପ୍ଟର ଚକ୍କର କାଟିଥିଲା ।

ପରେ ସିଗ୍‌ନାଲ୍‌ ମିଳିଥିଲା। ହେଲିକପ୍ଟର ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା। ସେତେବେଳ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ବାତିଲ ହୋଇଥିବାରୁ ଅନ୍ୟ ନେତାଙ୍କ ଉଡ଼ାଣ ସମୟ ମଧ୍ୟ ବିଳମ୍ବ ହୋଇଥିଲା। ତାଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ସାମିଲ ଅଛନ୍ତି। ଏହା ପୂର୍ବରୁ ପାଟଣା ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲପାଣ୍ଡେଙ୍କ ହେଲିକପ୍ଟର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.