ଅଯୋଧ୍ୟା ରାମଲୀଳାରେ ହିନ୍ଦୀ ବଦଳରେ ଇଂରାଜୀ କହିଲେ ମନୋଜ ତିଓ୍ବାରି, ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦: ପୂରା ଦେଶରେ ଚାଲିଛି ନବରାତ୍ରି ପୂଜା। ମାତ୍ର ଏଥର ଅଯୋଧ୍ୟାରେ ନବରାତ୍ରି ଓ ଦଶହରା ପର୍ବ ରହିଛି ପୂରା ନିଆରା। ରାମ ମନ୍ଦିର ଶିଳାନ୍ୟାସ ପରେ ପ୍ରଥମ ଥର ପାଇଁ ଏଠାରେ ଭବ୍ୟ ରାମଲୀଳା ଆୟୋଜନ ହେଉଛି। ଯେଉଁଥିରେ ରବି କିଶନ, ମନୋଜ ତିଓ୍ବାରିଳ ବିନ୍ଦୁ ଦାରା ସିଂହଙ୍କ ଭଳି ବଡ଼ ବଡ଼ ଅଭିନେତା ସାମିଲ ଅଛନ୍ତି। ଏହାରି ଭିତରେ ମଞ୍ଚରେ ମନୋଜ ତିଓ୍ବାରିଙ୍କ ଏକ ଛୋଟ ଭୁଲ ତାଙ୍କୁ ହରଡ଼ଘଣାରେ ପକାଇଛି। ଏ ପାଇଁ ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି।

ଲକ୍ଷ୍ମଣ ଦୁର୍ଗରେ ଆ​ୟୋଜିତ ଏହି ରାମଲୀଳାରେ ମନୋଜ ତିଓ୍ବାରି ଅଙ୍ଗଦ ଭୂମିକାରେ ଅଭିନୟ କରିଛନ୍ତି। ରାବଣ ଓ ଅଙ୍ଗଦ (ମନୋଜ)ଙ୍କ ମଧ୍ୟରେ କଥାବାର୍ତା ବେଳେ ମନୋଜ ଭୁଲରେ ଇଂରାଜୀ ଶବ୍ଦ କହିଛନ୍ତି। ସେ ରାବଣକୁ ତାଙ୍କ ଡାଏଲଗରେ କହିଲେ- ଗୋଟିଏ ସେକେଣ୍ଡ, ଗୋଟିଏ ସେକେଣ୍ଡ, ସେହିପରି ତା’ପରେ ଆଉ ଏକ ଡାଏଲଗରେ ‘ଟିମ୍‌’ ଶବ୍ଦ ବ୍ୟବହାର କଲେ। ରାମଲୀଳାରେ ଶୁଦ୍ଧ ହିନ୍ଦୀ ଭାଷାର ବ୍ୟବହାର ହେଉଥିବା ବେଳେ ତାଙ୍କର ଇଂରାଜି ଭାଷାକୁ ହଜମ କରିପାରି ନାହାନ୍ତି ଦର୍ଶକ।

ଯଦିଓ ତାଙ୍କ ଏ ଭୁଲ ଅତି ସାଧାରଣ, କିନ୍ତୁ ସୋସିଆଲ ମିଡ଼ିଆ ଦର୍ଶକ ଏହାକୁ ଧରି ପକାଇ ଜବରଦସ୍ତ ଟ୍ରୋଲ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଟ୍ରାଜେଡ଼ିରେ ବି କମେଡି କରୁଛନ୍ତି ତିଓ୍ବାରି। ପୁଣି ଆଉ ଜଣେ ୟୁଜରି କହିଛନ୍ତି ଏତକ ବି ତିଓ୍ବାରିଙ୍କ ଦ୍ବାରା ହୋଇପାରୁ ନାହିଁ। ସୂଚନାଯୋଗ୍ୟ ଅକ୍ଟୋବର ୧୭ରୁ ଆରମ୍ଭ ହୋଇଥିବା ଏହି ରାମଲୀଳା​ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। କରୋନାକୁ ଦୃଷ୍ଟିରେ ରଖି ଯଦିଓ ଦର୍ଶକଙ୍କୁ ସେଠାରେ ଦେଖିବାକୁ ଅନୁମତି ମିଳି ନାହିଁ ମାତ୍ର ସୋସିଆଲ ମିଡ଼ିଆ ଫ୍ଲାଟଫର୍ମରେ ଏହାର ପ୍ରସାରଣ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.