ନାଗରିକଙ୍କ ଉପରେ କରୋନା ବୋଝ ଲଦିଲେ ହରିୟାଣାର ଖଟ୍ଟର ସରକାର

Published By : Prameya-News7 Bureau | May 03, 2020 IST

ଚଣ୍ଡିଗଡ ୩।୫: ମହାମାରୀ ବୋଝ ହରିୟାଣା ସରକାର ଲୋକଙ୍କ ଉପରେ ଲଦି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତୃତୀୟ ଲକଡାଉନ୍ ଘୋଷଣାରୁ ହରିୟାଣା ସରକାର କିଛି ସେବାକୁ ଛାଡ କରିବାକୁ ଯାଉଛନ୍ତି। ତେବେ ରାଜ୍ୟରେ ସରକାରଙ୍କର ଏହି ସେବା ରିହାତି ଜନତାଙ୍କ ଲାଗି ମହଙ୍ଗାପଡିବ ବୋଲି ଏବେଠୁ ଜଣାପଡିଲାଣି। ରାଜ୍ୟର ମନୋହର ଲାଲ ଖଟ୍ଟର ସରକାର ଲକଡାଉନ୍‌ ୩.୦ରେ ଖୋଲିବାକୁ ଯାଉଥିବା ସେବା ଲାଗି ଶୁଳ୍କ ହାର ବୃଦ୍ଧି କରିଛନ୍ତି। 

ଏଥିରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ମଦ ଲାଗି ୨ରୁ ୨୦ ପ୍ରତିଶତ ଶୁଳ୍କ ଧାର୍ଯ୍ୟ କରିଛନ୍ତି। ୩ ଦିନ ପୂର୍ବରୁ ହରିୟାଣା ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଡୱେଜ୍ ବସ୍ ଭଢା ବୃଦ୍ଧି ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳର ସ୍ୱୀକୃତି ମିଳିଥିଲା। ସେହିପରି ପରିବା ଓ ଫଳ ମଣ୍ଡିରୁ ଅଧିକ ୨ ପ୍ରତିଶତ ଶୁଳ୍କ ଲାଗୁ ପାଇଁ ମଧ୍ୟସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର ପ୍ରତି ଲିଟର ପେଟ୍ରୋଲ ମୂଲ୍ୟରେ ୧ ଟଙ୍କା ଓ ଡିଜେଲ ମୂଲ୍ୟରେ ୧ଟଙ୍କା ୧୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ମୁକାବିଲା ଲାଗି ରାଜ୍ୟରେ ଅଧିକ ସାବଧାନତା ଅବଲମ୍ବନ କରିବା ଜରୁରି ବୋଲି କହିଛନ୍ତି। ତେବେ ବିରୋଧୀ ଦଳ ସରକାରଙ୍କ ଶୁଳ୍କ ବୃଦ୍ଧି ପ୍ରସ୍ତାବର ସମାଲୋଚନା କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଆବଶ୍ୟକତା ପଡିଲେ ସରକାର ଅଧିକ କଠୋର ନିଷ୍ପତ୍ତି ନେବାକୁ ପଛେଇବେ ନାହିଁ ବୋଲି ଘୋଷଣା କରିବା ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି।

ମୁଖ୍ୟମନ୍ତ୍ରୀ ରବିବାର ହରିୟାଣା ଆଜ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟରେ ବ୍ୟବସାୟ ଓ ଉଦ୍ୟୋଗ ଗତିବିଧି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଲକଡାଉନ୍‌ ଥ୍ରୀରେ କେନ୍ଦ୍ର ସରକାର ଜାରି କରିଥିବା କଟକଣାକୁ ରାଜ୍ୟରେ କଡାକଡି ପାଳନ ଲାଗି ମଧ୍ୟ ଜିଲ୍ଲାପାଳ ଓ ଏସପିଙ୍କୁ ଆଦେସ ଦେଇଛନ୍ତି। ରାଜ୍ୟର ଗ୍ରୀନ ଜୋନରେ ଆସୁଥିବା ସମସ୍ତ ଜିଲ୍ଲା ଓ ସହରାଞ୍ଚଳରେ ଦୋକାନ, ବଜାର ସ୍ୱଭାବିକ୍ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.