ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସିଂହ : କହିଲେ ‘ବିମୁଦ୍ରାକରଣ ନିଷ୍ପତ୍ତି ଯୋଗୁଁ ଦେଶରେ ବେରୋଜଗାର ଶୀର୍ଷ ସ୍ତରରେ ପହଞ୍ଚିଛି’

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୦୨/୦୩ : ଦେଶରେ ବେରୋଜଗାରୀ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ‘୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ଦ୍ବାରା ଦେଶରେ ବେରୋଜଗାରୀ ଶୀର୍ଷ ସ୍ତରରେ ପହଞ୍ଚିଛି’ ।

ଏହା ବାଦ୍ ରାଜ୍ୟଗୁଡିକ ସହିତ ନିୟମିତ ସମନ୍ବୟ ରଖୁନଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ମନମୋହନ ସିଂହ । କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅସ୍ଥାୟୀ ଭାବେ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ ଆଗାମୀ ଦିନରେ ପୁଞ୍ଜି ଜମା ଉପରେ ସଙ୍କଟ ଦେଖାଯିବ । ଯାହା ଫଳରେ କି ଏହା ପ୍ରଭାବ ସିଧାସଳଖ ଭାବେ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗଙ୍କ ଉପରେ ପଡିବ ବୋଲି  ମନମୋହନ ସିଂହ କହିଛନ୍ତି ।

ମନମୋହନ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର, ରାଜ୍ୟମାନଙ୍କ ସହିତ ଆଦୌ ସମନ୍ବୟ ରକ୍ଷା କରୁନାହାନ୍ତି । ଯାହାର ସିଧାସଳଖ ପ୍ରଭାବ ଦେଶର ଅର୍ଥନୀତି ଏବଂ ରାଜନୈତିକ ଦୃଷ୍ଟିକୋଣ ଉପରେ ପଡୁଛି । କେରଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।   

ଅନ୍ୟ ସେକ୍ଟରମାନଙ୍କରେ ଆାଗମୀ ଦିନ​‌ରେ ହେବାକୁ ଥିବା ସମସ୍ୟା ଉପରେ କେନ୍ଦ୍ର ସରକାର ଧ୍ୟାନ ଦେବା ଉଚିତ । କାରଣ ବିଶ୍ବସ୍ତରୀୟ ବିଭିନ୍ନ ସେକ୍ଟରରେ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ସମସ୍ୟା ଦେଖିବାକୁ ମିଳିବ । ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗାମୀ ଦିନରେ ସତର୍କ ହେବାକୁ ପଡିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.