ଭ୍ୟାକ୍ସିନ ଅଭାବ ନେଇ କେନ୍ଦ୍ର ଉପରେ ବର୍ଷିଲେ ମନିଷ ସିସୋଦିଆ, କହିଲେ- ନିଜ ଛବି ଚମକାଇବା ପାଇଁ ଅନ୍ୟ ଦେଶକୁ ରପ୍ତାନୀ କଲେ ଏବଂ ନିଜ ଲୋକଙ୍କୁ ମରିବାକୁ ଛାଡି ଦେଲେ

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୦୯।୦୫: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଭ୍ୟାକ୍ସିନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଭାରତରେ ଭ୍ୟାକ୍ସିନ ଅଭାବକୁ ନେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ବୈଜ୍ଞାନିକ ଦେଶ ପାଇଁ ୨-୨ ଭ୍ୟାକ୍ସିନ ଆବିଷ୍କାର କଲେ। ଲୋକଙ୍କ ମନରେ ଆଶା ଜାଗ୍ରତ ହେଲା ଯେ, ଏବେ କରୋନାରେ ଲୋକଙ୍କ ପ୍ରାଣହାନୀ ଘଟିବ ନାହିଁ। ମାତ୍ର ଏହା ସତ୍ତ୍ଵେ ବି ଆମେ ବର୍ତ୍ତମାନ ନିଜ ଦେଶର ନାଗରିକଙ୍କୁ ବଞ୍ଚାଇ ପାରୁନାହୁଁ।

ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଆମ ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ ଭ୍ୟାକ୍ସିନ ଆମ ଲୋକଙ୍କ ପାଇଁ ଉପଲବ୍ଧ ନାହିଁ। ସେ ଗୋଟିଏ ପରେ ଗୋଟିଏ ଟ୍ଵିଟ୍ କରି ଲେଖିଛନ୍ତି, ଗତ ତିନି ମାସରେ କେନ୍ଦ୍ର ସରକାର ୯୩ ଦେଶକୁ କରୋନା ଭ୍ୟାକ୍ସିନର ୬.୫ କୋଟି ଡୋଜ୍ ରପ୍ତାନୀ କରିଛନ୍ତି। ଯେଉଁ ସମୟରେ ଦେଶର ଲୋକେ କରୋନାରେ ସଂଘର୍ଷ କରୁଥିଲେ, ସେହି ସମୟରେ କେନ୍ଦ୍ର ସରକାର ଭ୍ୟାକ୍ସିନ ବିଦେଶକୁ ରପ୍ତାନୀ କରି ନିଜ ଛବି ଚମକାଇବାରେ ଲାଗିଥିଲେ।

ସେ ଲେଖିଛନ୍ତି, କରୋନା ମହାମାରୀର ଦ୍ଵିତୀୟ ଲହର ଭାରତରେ ପ୍ରାୟ ଏକ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଯଦି ଭ୍ୟାକ୍ସିନର ରପ୍ତାନୀ କରାଯାଇ ନଥାନ୍ତା ତେବେ ସେହି ଡୋଜ୍‌ରେ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା। ଅନ୍ତର୍ଜାତୀୟ ଜଗତର ଚିନ୍ତା କରିବା ଭଲ କଥା, ମାତ୍ର ଆମେରିକା, କାନାଡା, ୟୁରୋପ ଦେଶ ପ୍ରଥମରୁ ନିଜ ଲୋକଙ୍କ ପାଇଁ ଭ୍ୟାକ୍ସିନ ଯୋଗାଡ କରିବାରେ ଲାଗିଲେ।

ଯେବେ ଏତେ ମାତ୍ରାରେ ଭ୍ୟାକ୍ସିନ ପ୍ରସ୍ତୁତ ହୋଇ ସାରିଥିଲା ତେବେ ଆମ ଦେଶର ଲୋକଙ୍କୁ ପ୍ରଥମେ ଦେଇ କରୋନା ପ୍ରବନ୍ଧନ ସଠିକ୍ ମାର୍ଗରେ ହୋଇ ପାରିଥାନ୍ତା। ମାତ୍ର କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ଛବି ଚମକାଇବା ରଖିବା ପାଇଁ ଏମିତି ପଦକ୍ଷେପ ନେଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ରାଜ୍ୟକୁ ପ୍ରତି ମାସରେ ୬୦ଲକ୍ଷ ଡୋଜ୍ ଭ୍ୟାକ୍ସିନ ଯୋଗାଇ ଦେବାକୁ ଅପିଲ୍ କରିଛନ୍ତି।

ସେ କହିଛନ୍ତି, ଏପ୍ରିଲ ୨୨ରେ ଯେବେ ଭାରତରେ ୩.୩୨ ଲକ୍ଷ କରୋନା କେସ୍ ଥିଲା, ସେହି ସମୟରେ ମଧ୍ୟ କେନ୍ଦ୍ର ସରକାର ପାରାଗୁଏକୁ ଦୁଇ ଲକ୍ଷ ଭ୍ୟାକ୍ସିନ ରପ୍ତାନୀ କରିଥିଲେ। ଯେବେ ଆମ ଦେଶରେ କରୋନା ଅନିୟନ୍ତ୍ରିତ ଥିଲା ସେହି ସମୟରେ ମଧ୍ୟ କେନ୍ଦ୍ର ସରକାର ଭ୍ୟାକ୍ସିନ ରପ୍ତାନୀରେ ଲାଗିଥିଲେ ବୋଲି ସିସୋଦିଆ ଶାଣିତ ସ୍ଵରରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.