ବ୍ୟବସାୟୀଙ୍କଠାରୁ ଆମ୍ବ ଲୁଟିନେଇଥିଲେ ଲୋକ, ଏବେ ତାଙ୍କ ଆକାଉଣ୍ଟକୁ ଛୁଟିଲା ଡୋନେସନର ସୁଅ
24/05/2020 at 2:45 PM

ନୂଆଦିଲ୍ଲୀ ୨୪।୫: ଦିଲ୍ଲୀର ଫୁଲ୍ ମିଆନ୍ ଓରଫ ଛୋଟେ କିଛି ଦିନ ତଳେ ତାଙ୍କ ଦୋକାନରୁ ଲୁଟ୍ ହୋଇଥିବା ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ମାତ୍ର ଏଥର ଭଲ ଖବର ରହିଛି । ତିନି ଦିନ ପୂର୍ବେ ରାସ୍ତାରେ ଥିବା ତାଙ୍କ ଫଳ ଦୋକାନରୁ ଲୁଟ୍ ହୋଇଥିଲା । ଫଳରେ ତାଙ୍କର ୩୦,୦୦୦ ଟଙ୍କା କ୍ଷତି ହୋଇଥିଲା । କିନ୍ତୁ ଏହାପରେ ତାଙ୍କର କ୍ଷତି ପରିଶୋଧ ହୋଇଥିବା ଭଳି ଲାଗୁଛି ।
ଗଣମାଧ୍ୟମରେ ତାଙ୍କ ବିଷୟରେ ଖବର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଲୋକ ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଏକ ଗଣମାଧ୍ୟମ ତାଙ୍କ ବିଷୟରେ ଖବର ପ୍ରସାରଣ କରିବା ସହ ତାଙ୍କ ବ୍ୟାଙ୍କ ଖାତାର ବିବରଣୀ ସେୟାର କରିବାର ଗୋଟିଏ ଦିନ ପରେ ୧୦୦ରୁ ଅଧିକ ଲୋକ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । କେହି କେହି ୧୦୦-୨୦୦ ଟଙ୍କା ସହାୟତା ଦେଇଥିବା ବେଳେ କେତେକ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା କରିଛନ୍ତି ।
ଏଭଳି ସହାୟତା ପାଇବା ପରେ ସେ ସଂପୃକ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେଇଥିଲେ । ଯେଉଁମାନେ ତାଙ୍କୁ ସାହାଯ୍ୟ କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଯେଉଁମାନେ ତାଙ୍କର ଫଳ ଚୋରି କରିଛନ୍ତି ସେମାନେ ତ ଚୋରି କରିଛନ୍ତି କିନ୍ତୁ ସେ ଏତେ ଲୋକଙ୍କ ସାହାଯ୍ୟରେ ଅଭିଭୂତ ହୋଇପଡିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଜଗତପୁରୀରେ ଯେଉଁଠାରେ ଛୋଟେ ଫଳ ବିକ୍ରି କରିଥାନ୍ତି । ସେଠାରେ କାହା ସହ ଝଗଡା ହେବା ପରେ ତାଙ୍କୁ ତାଙ୍କ ଫଳ ଟ୍ରଲିକୁ ସେଠାରୁ ହଟାଇବାକୁ ପଡିଥିଲା । ସେ ଯେତେବେଳେ ଫଳ ଟ୍ରଲି ଉପରେ ଆକ୍ରମଣ କରି ତାଙ୍କର ଫଳ ଛଡାଇ ନେଇଥିଲେ । ଲୋକମାନେ ହେଲମେଟରେ ଭର୍ତ୍ତି ଆମ୍ବ ନେଇ ଯାଉଥିଲେ । ଅଟୋ-ରିକ୍ସା ମଧ୍ୟ ଅଟକି ଯାଇ ତାଙ୍କ ଆମ୍ବ ଲୁଟ୍ କରିଥିଲେ । ଲୁଟ୍ ପାଇଁ ସେଠାରେ ବହୁତ ଲୋକ ଏକାଠି ହୋଇଥିଲେ । ଫଳରେ ସେଠାରେ ଜାମ ଲାଗିଯାଇଥିଲା । ଜଣେ ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ଛାଡିଥିଲେ । ଶୁକ୍ରବାର ଦିନ ଏକ ଗଣମାଧ୍ୟମ ଏହି ଖବର ପ୍ରସାରଣ କରିବା ପରେ ଅନେକ ଲୋକ ଛୋଟେ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମାଗିଥିଲେ ।