ଲିଭିଗଲେ ‘ପାହାଡ଼ ପର ଲାଲଟେନ୍’: ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କବି ମଂଗଳେଶ ଡବରାଲଙ୍କ ପରଲୋକ
9/12/2020 at 11:05 PM

ନୂଆଦିଲ୍ଳୀ ୦୯/୧୨: ପ୍ରସିଦ୍ଧ ହିନ୍ଦୀ କବି ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ମଂଗଳେଶ ଡବରାଲଙ୍କ ପରଲୋକ ଘଟିଛି। ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଡବରାଲ। କରୋନା ଓ ନିମୋନିଆରେ ପୀଡ଼ିତ ଡବରାଲଙ୍କୁ ୭୨ ବର୍ଷ ବୟସ ହୋଇଥିଲା। କରୋନା ହେବା ଫଳେରେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଡବରାଲଙ୍କ ପରଲୋକ ଖବର ତାଙ୍କ ବନ୍ଧୁ ଅସଦ ଜୈଦି ଫେସ୍ବୁକ୍ ମାଧ୍ୟମରେ ଜଣାଇଛନ୍ତି।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ମଂଗଳେଶ ଡବରାଲ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ଡବରାଲ୍ଙ୍କ ନିଧନ ହିନ୍ଦୀ ସାହିତ୍ୟରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଥିବା ତ୍ରିବେନ୍ଦ୍ର ସିଂହ କହିଛନ୍ତୀ।
ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କବି ମଂଗଳେଶ ଡବରାଲ ନଭେମ୍ବର ଶେଷ ସପ୍ତାହରେ ରୋଗରେ ପଡ଼ିଥିଲେ। ପ୍ରଥମେ ଗାଜିଆବାଦର ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ହୋଇଥିଲା। ମଝିରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ହେଁ ସେ ପୁରା ସୁସ୍ଥ ହୋଇନଥିଲେ। ପରେ ତାଙ୍କର ସହମତି କ୍ରମେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ରବିବାର ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ତାଙ୍କ ଶରୀରର ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ। ତାଙ୍କୁ ଡାଏଲିସିସି ପାଇଁ ନିଆଯାଇଥିବା ବେଳେ ଦୁଇ ଥର ହାର୍ଟ ଆଟକ୍ ଆସିଥିଲା। ଡାକ୍ତରୀ ଦଳ ବହୁ ପ୍ରଚେଷ୍ଟା କରିଥିଲେ ହେଁ ବୁଧବାର ସନ୍ଧ୍ୟାରେ ଡବରାଲଙ୍କ ପରଲୋକ ଘଟିଛି।
ତାଙ୍କର ଅନବଦ୍ୟ ସୃଷ୍ଟି ସମସ୍ତଙ୍କ ମନରେ ବସା ବାନ୍ଧିଛି। ‘ପାହାଡ଼ ପର ଲାଲଟେନ୍’, ‘ଘର କା ରାସ୍ତା’, ହମ ଜୋ ଦେଖତେ ହୈ’, ଜନସତ୍ତା, ସହାରା, ଆଓ୍ବାଜ ଭି ଏକ ଜଗହା ହୈ, ଏ ଯୁଗ ମେଁ ଶତ୍ରୁ, କବି ନେ କାହା ଆଦି ତାଙ୍କର ସୁନ୍ଦର କବିତା ମଧ୍ୟରେ ସାମିଲ । ଏହା ବ୍ୟତୀତ ମଂଗଳେଶ ଡବରାଲ ‘ଲେଖକ କି ରୋଟି, ‘କବି କା ଅକେଲାପନ’ ଭଳି ଅତ୍ୟନ୍ତ ହୃଦୟସ୍ପର୍ଶୀ ଯାତ୍ରା ବୃତ୍ତାନ୍ତ ଲେଖିଛନ୍ତି।