ଆଜି ଦେବୋତ୍ତର ଏକାଦଶୀ ଓ ତୁଳସୀ ବିବାହ: କାଲିଠାରୁ ଆରମ୍ଭ ହେବ ମାଙ୍ଗଳିକ କାର୍ଯ୍ୟ, ଜାଣନ୍ତୁ କେବେ ଯାଏଁ ଅଛି ଶୁଭ ମୁହୂର୍ତ୍ତ
25/11/2020 at 4:07 PM

ଭୁବନେଶ୍ୱର ୨୫/୧୧ : ହିନ୍ଦୁ ପାଞ୍ଜି ଅନୁସାରେ ନଭେମ୍ବର ୨୫ ତାରିଖ, ବୁଧବାର ଦିନ ଦେବୋତ୍ତର ଏକାଦଶୀ। ଏହାକୁ ଦେବସ୍ଥାନ ଏକାଦଶୀ ମଧ୍ୟ କୁହାଯାଏ। ୪ ମାସ ଶୟନ ପରେ ଦେବୋତ୍ତର ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଦରୁ ଉଠନ୍ତି ବୋଲି କୁହାଯାଏ। ଏହି ୪ ମାସ ସେ ପାତାଳଲୋକରେ ବିଶ୍ରାମ କରନ୍ତି। ସେଠାରୁ ଫେରି ସେ ପୁଣି ସୃଷ୍ଟିର କାର୍ଯ୍ୟଭାର ସମ୍ଭାଳନ୍ତି। ଦେବୋତ୍ତର ଏକାଦଶୀ ବ୍ରତ ସବୁ ବ୍ରତମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବୋଲି କୁହାଯାଏ।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଏହି ଏକାଦଶୀରେ ଭଗବାନ ବିଷ୍ଣୁଙ୍କର ମା’ ତୁଳସୀଙ୍କ ସହ ବିବାହ କରାଯାଏ। ଏହି ଦିନ ତୁଳସୀ ବିବାହ କରିବା ପରମ୍ପରା ମଧ୍ୟ ରହିଛି। ଦେବୋତ୍ତର ଏକାଦଶୀ ଦିନ ତୁଳସୀ ବିବାହ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଏକାଦଶୀ ବ୍ରତ ପାଳନ କଲେ ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି କୁହାଯାଏ।

ହିନ୍ଦୁ ପାଞ୍ଜି ଅନୁସାରେ, ତୁଳସୀ ବିବାହ ପରେ ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨୬ ତାରିଖରୁ ଶୁଭ କାର୍ଯ୍ୟ ଆରମ୍ଭ ହେବ। ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୧୧ ତାରିଖ ଯାଏଁ ଶୁଭ କାର୍ଯ୍ୟ ହେବ। ଡିସେମ୍ବର ୧୬ ତାରିଖରୁ ଖରମାସ ଆରମ୍ଭ ହେବ। ଖରମାସରେ ବିବାହ, ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ବାରଣ କରାଯାଇଥାଏ। ଖରମାସରେ କୌଣସି ଶୁଭ କାର୍ଯ୍ୟ ହୁଏନାହିଁ। ଏହାପରେ ବିବାହ ପାଇଁ ୨୦୨୧ରେ ଅର୍ଥାତ ଆସନ୍ତା ବର୍ଷ ଏପ୍ରିଲ ମାସରେ ଶୁଭ ମୁହୂର୍ତ୍ତ ଅଛି। ଏହି ଅବଧି ମଧ୍ୟରେ କେବଳ ବସନ୍ତ ପଞ୍ଚମୀରେ ହିଁ ବିବାହ ଭଳି ଶୁଭ କାର୍ଯ୍ୟ କରାଯାଇପାରିବ।

ପାଞ୍ଜି ଅନୁଯାୟୀ, ନଭେମ୍ବର ୨୬,୨୯, ୩୦, ଡିସେମ୍ବର ୧, ୨, ୬, ୭, ୮, ୯, ୧୦, ୧୧ ତାରିଖରେ ବିବାହ ପାଇଁ ଉତ୍ତମ ମୁହୂର୍ତ୍ତ ରହିଛି। ଏହି ମୁହୂର୍ତ୍ତରେ ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟ କରାଯାଇ ପାରିବ। ଡିସେମ୍ବର ୧୬ ତାରିଖରେ ଖରମାସ ଆରମ୍ଭ ହେବ। ଏହାପରେ ଜାନୁଆରୀ ୧୯ ରୁ ଫେବୃଆରୀ ୧୫ ଯାଏଁ ଗୁରୁ ଓ ଫେବୃଆରୀ ୧୭ ରୁ ଏପ୍ରିଲ ୧୭ ଯାଏଁ ଶୁକ୍ର ଅସ୍ତ ରହିବେ। ଏପ୍ରିଲ ୨୨ ତାରିଖରୁ ପୁନଃ ବିବାହ ମୁହୂର୍ତ୍ତ ଆରମ୍ଭ ହେବ।