ଅଙ୍ଗନଓ୍ବାଡୀ କର୍ମୀଙ୍କ ଦରମା ରାଜ୍ୟ ନୁହେଁ, କେନ୍ଦ୍ର ବଢାଇଛି କହିଲେ ମେନକା ଗାନ୍ଧି

Published By : Prameya-News7 Bureau | January 29, 2019 IST

ନୂଆଦିଲ୍ଲୀ ୨୯|୧: ନିକଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନଓ୍ବାଡୀ କର୍ମୀଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି । ତେବେ ଆଜି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ  ମେନକା ଗାନ୍ଧି କହିଛନ୍ତି ଅଙ୍ଗନଓ୍ବାଡୀ କର୍ମୀଙ୍କ ଦରମା ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି । ଏହା କରିଛନ୍ତି କେନ୍ଦ୍ର ସରକାର । ମେନକା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଅଙ୍ଗନଓ୍ବାଡୀ କର୍ମୀଙ୍କ ମାସିକ ଦରମା ୧୫ଶହ ଟଙ୍କା ବୃଦ୍ଧି ପାଇଁ ମଞ୍ଜୁର କରିଥିଲେ । ଏହାଦ୍ବାରା ଓଡିଶାର ୧.୪୫ଲକ୍ଷ ଅଙ୍ଗନଓ୍ବାଡୀ କର୍ମୀ ଉପକୃତ ହୋଇଛନ୍ତି । ନିକଟରେ ପ୍ରକାଶିତ କ୍ୟାଗ୍ ରିପୋର୍ଟରେ କୁହାଯାଇଛି ଯେ, ଆଇସିଏସ ପାଇଁ ବିଭିନ୍ନ ଯୋଜନାରେ ପାଉଥିବା ପାଣ୍ଠି ଓଡିଶାରେ ଠିକ୍ ଭାବେ ଉପଯୋଗ ହେଉନାହିଁ । ଏହାର ପରିଣାମ ମଧ୍ୟ ଅତି ସ୍ପଷ୍ଟ ବୋଲି ମେନକା ଗାନ୍ଧି କହିଛନ୍ତି । ସେ କହିଛନ୍ତି ଯେ, ପାଣ୍ଠିର ସଠିକ୍ ଉପଯୋଗ ହେଉନଥିବାରୁ ଅପପୃଷ୍ଟିର ଶାକାର ହେଉଥିବା ପିଲାଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି । ଏହା ଅତ୍ୟନ୍ତ ଉଦବେଗଜନକ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୩ତାରିଖ ଦିନ ନବୀନ ପଟ୍ଟନାୟକ ଅଙ୍ଗନଓ୍ବାଡୀ କର୍ମୀଙ୍କ ମାସିକ ଦରମା ବୃଦ୍ଧି ଘୋଷଣା କରିଥିଲେ । ୬୦୦୦ଟଙ୍କା ବଦଳରେ ଅଙ୍ଗନଓ୍ବାଡୀ କର୍ମୀଙ୍କ ଦରମା ୭୫୦୦ଟଙ୍କା କରାଯାଇଥିଲା । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ଅଙ୍ଗନଓ୍ବାଡୀ କର୍ମୀଙ୍କ ବେତନ ବୃଦ୍ଧି ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ୭୩.୩୯ କୋଟି ଟଙ୍କାର ଅଧିକ ଆର୍ଥିକ ବୋଝ ପଡିବ । ରାଜ୍ୟ ସରକାର ହିଁ ଏହି ଆର୍ଥିକ ବୋଝକୁ ସମ୍ଭାଳିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୬୨,୧୭୧ଟି ଅଙ୍ଗନଓ୍ବାଡୀ କେନ୍ଦ୍ର ରହିଛି । ସେହିପରି ୧୦,୪୧୬ଟି ମିନି ଅଙ୍ଗନଓ୍ବାଡୀ କେନ୍ଦ୍ର ରହିଛି ।

ଆଗକୁ ସାଧାରଣ ନିର୍ବାଚନ ଥିବାକୁ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ବିଜେଡିକୁ ବିଶେଷ ଫାଇଦା ଦେବ ବୋଲି ଆଲୋଚନା ହେୁଉଛି । ଏହି ସମୟରେ ମେନକା ଗାନ୍ଧିଙ୍କ ଏଭଳି ବିବୃତ୍ତି ଝଡ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.