ସାଧାରଣ ଜନତା ହୋଇ ହସ୍ପିଟାଲ୍‌ ନୀରିକ୍ଷଣରେ ପହଞ୍ଚିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭିୟ, ଲାଠିରେ ପିଟିଲେ ଗାର୍ଡ

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯।୦୯: କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ରବିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି କିଛି ଦିନ ପୂର୍ବେ ସେ ଜଣେ ସାଧାରଣ ନାଗରିକ ଭାବେ ସଫଦରଗଞ୍ଜ ହସ୍ପିଟାଲରେ ଅଚାନକ ନୀରିକ୍ଷଣ ପାଇଁ ପହଞ୍ଚିଥିଲି। ହେଲେ ସେଠାରେ ଜଣେ ଗାର୍ଡ ମୋତେ ଲାଠିରେ ପିଟିଥିଲେ। କେନ୍ଦ୍ର ମନ୍ତ୍ରୀ ଏହାର ଖୁଲାସା ସେହି ସଫଦରଗଞ୍ଜ ହସ୍ପିଟାଲରେ ଚାରି ସ୍ଵାସ୍ଥ୍ୟ ସମ୍ବନ୍ଧିତ ସୁବିଧାର ଉଦଘାଟନ ସମାରୋହରେ ଡାକ୍ତରଙ୍କ ସାମ୍ନାରେ କହିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡାକ୍ତରଙ୍କୁ କହିଛନ୍ତି, ନୀରିକ୍ଷଣ ସମୟରେ ହସ୍ପିଟାଲରେ  ବହୁତ ଅସୁବିଧା ଦେଖିବାକୁ ମିଳିଛି। ସେ ହସ୍ପିଟାଲ ପ୍ରଶାସନଙ୍କୁ ରୋଗୀଙ୍କ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ସହ ଏବଂ ହସ୍ପିଟାଲର ଅବ୍ୟବସ୍ଥା ଦୂର କରିବା ସହ ଏହାକୁ ଦେଶର ଏକ ମୋଡେଲ୍ ହସ୍ପିଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାରଣରୁ ଲାଠି ମାରିଲେ ଗାର୍ଡ

ଉଦଘାଟନ ସମାରୋହରେ ମାଣ୍ଡଭିୟ କହିଛନ୍ତି, ସେ ଜଣେ ରୋଗୀ ଭାବେ ହସ୍ପିଟାଲ ନୀରିକ୍ଷଣ କରିବାକୁ ପହଞ୍ଚିଥିଲେ। ସେଠାରେ ଏକ  ବେଞ୍ଚରେ ବସିବାରୁ ଜଣେ ସୁରକ୍ଷା ଗାର୍ଡ ତାଙ୍କୁ ତାଗିଦ୍ କରିଥିଲେ ଏବଂ ଲାଠିରେ ପିଟିଥିଲେ। ସେଠାରେ  ବସିବାକୁ ତାଙ୍କୁ ମନା ମଧ୍ୟ କରିଥିଲେ।

ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ହସ୍ପିଟାଲରେ ଅନେକ ରୋଗୀଙ୍କୁ ଷ୍ଟ୍ରେଚର ଓ ଅନ୍ୟ  ଚିକିତ୍ସା ସୁବିଧା ପାଇଁ ନାକେଦମ ହେବାକୁ ପଡୁଛି। ଏପରିକି ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କୁ ନିଜର ପୁଅ ପାଇଁ ଏକ  ଷ୍ଟ୍ରେଚର ପାଇଁ ଜଣେ ଗାର୍ଡଙ୍କୁ ଗୁହାରି କରୁଥିବା ସେ ଦେଖିଛନ୍ତି। ହେଲେ  ବୃଦ୍ଧାଙ୍କୁ ଷ୍ଟ୍ରେଚରଟିଏ ବି ମିଳିନଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗାର୍ଡଙ୍କ ବ୍ୟବହାର ଦେଖିବା ପରେ ପ୍ରଶ୍ନ କରିଥିଲି ଯେ, ହସ୍ପିଟାଲରେ ୧୫୦୦ରୁ ଅଧିକ ଗାର୍ଡ ଥିଲେ ମଧ୍ୟ ବୃଦ୍ଧା ମହିଳାଙ୍କୁ କାହିଁକି ସାହାଯ୍ୟ ମିଳିଲା ନାହିଁ।

ମାଣ୍ଡଭିୟ କହିଛନ୍ତି, ଏହି ପୂରା ଘଟଣାକ୍ରମ  ବିଷୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ସେ ମଧ୍ୟ ଏହା ଶୁଣି ବିଚଳିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋତେ ପ୍ରଶ୍ନ କରିଥିଲେ ଯେ, ଗାର୍ଡଙ୍କୁ ନିଲମ୍ବିତ କରାଗଲା କି ନାହିଁ। ଉତ୍ତରରେ ମାଣ୍ଡଭିୟ କହିଛନ୍ତି, ସେ ଗାର୍ଡଙ୍କୁ ଏଥିପାଇଁ ସସପେଣ୍ଡ କଲେ ନାହିଁ କାରଣ ସେ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ପୂରା ବ୍ୟବସ୍ଥାରେ ସୁଧାର ଚାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.