ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ସମଲିଙ୍ଗୀ ସମ୍ପର୍କ, ନିର୍ଯାତନା ଦେଇ ଲୁଟିଲେ ୪ସାଥୀ
16/09/2019 at 4:26 PM

ନୋୟେଡା : ସମଲିଙ୍ଗି ସମ୍ପର୍କ ସ୍ଥାପନା ଲାଗି ଯାଇଥିବା ଜନୈକ ମ୍ୟାନେଜରଙ୍କୁ ତାଙ୍କର ୪ ସାଥୀ ଅକଥନୀୟ ନିର୍ଯାତନା ଦେବା ସହ ତାଙ୍କ ଏଟିଏମ କାର୍ଡରୁ ସାଢେ ୪ ହଜାର ଟଙ୍କା ଲୁଟି ନେଇଛନ୍ତି। ଘଟଣା ନେଇ ମ୍ୟାନେଜର ପୋଲିସର ଦ୍ୱାରସ୍ଥ ହୋଇଥିବା ବେଳେ କୌତୱାଲୀ ଫେଜ-୨ ଥାନା ୩ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ମ୍ୟାନେଜରଙ୍କ ଅପହରଣ ଲାହି ବ୍ୟବହୃତ କାରକୁବି ଜବତ କରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।

ସିଟି ଏସପି ବିନୀତ ଜୟସ୍ୱାଲଙ୍କ ଅନୁସାରେ ଗତ ୪ ତାରିଖ ଦିନ ନୋୟେଡା ଫେଜ୍-୨ସ୍ଥିତ ଏକ କମ୍ପାନୀର ମ୍ୟାନେଜରଙ୍କୁ ୪ ଜଣ ଯୁବକ ବନ୍ଧକ ରଖିବା ସହ ୨ ଘଣ୍ଟା ଧରି ଏଣେତେଣେ ବୁଲାଇଥିଲେ। ଏହି ସମୟରେ ଦୁର୍ବୃତ୍ତ ଗାଡି ବ୍ୟାଟେରୀରୁ କରେଣ୍ଟ ଚେଙ୍କ ଦେଇ ତାଙ୍କ ଏଟିଏମରୁ ସାଢେ ୪ ହଜାର ଟଙ୍କା ଉଠାଇନେଇଥିଲେ। ମ୍ୟାନେଜରଙ୍କ ଏତଲା ଆଧାରରେ ପୋଲିସ ଡିଏସସି ରୋଡରୁ ଗୁଲାବଟୀର ବାସିନ୍ଦା ବିଶାଲ ରାବତ, ମେରଠ ପରତାପପୁର ନିବାସୀ ଶାହଜାଦ ଓ ରହୁଲ ଶର୍ମାଙ୍କୁ ଗିରଫ କରିଛି। ତେବେ ଅନ୍ୟତମ ଅଭିଯୁକ୍ତ ଅଙ୍କୁର ଶର୍ମା କେଉଁଆଡେ ଫେରାର ହୋଇଯାଇଛି।

ଏସପିଙ୍କ ସୂଚନା ଅନୁସାରେ ପ୍ରାୟ ୫ ମାସ ପୂର୍ବେ ମ୍ୟାନେଜର ଗେ ଆପ୍ ‘ଗ୍ରିଣ୍ଡର’ ଯୋଗେ ବିଶାଲ ସହ ପରିଚିତ ହୋଇଥିଲେ। ଏହାପରେ ଉଭୟ ପରସ୍ପର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନା କରିଥିଲେ। ଏଥିଲାଗି ମ୍ୟାନେଜର ବିଶାଲକୁ ଉତ୍ତମ ଭୋଜନ ସହ ମଦ ଓ କିଛି ଟଙ୍କା ବି ଦେଇଥିଲେ।

କିଛିଦିନ ପୂର୍ବରୁ ବିଶାଲ ସହ ଶାହଜାଦ୍, ରାହୁଲ ଓ ଅଙ୍କୁରଙ୍କର ପରିଚୟ ହୋଇଥିଲା। ବିଶାଲ ସେମାନଙ୍କୁ ପୁରୁଣା ସାଥୀ ନୋୟେଡାର ମ୍ୟାନେଜରଙ୍କ ସମ୍ପର୍କରେ ଜଣାଇଥିଲା। ଶାରୀରିକ ସମ୍ପର୍କ ଲାଗି ମ୍ୟାନେଜର ଖାଇବା, ପିଇବା ଓ ପଇସା ଦେଉଥିବା ସେମାନଙ୍କୁ କହିଥିଲା। ସେମାନେ ମ୍ୟାନେଜରକୁ ଡକାଇବାକୁ କହିବାରୁ ବିଶାଲ ଫୋନକରି ତାଙ୍କୁ ଡକାଇଥିଲା। ବିଶାଲ କଥାରେ ମ୍ୟାନେଜର ଆସିବାରୁ ୪ ଜଣ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ତାଙ୍କ ପାଖରେ ଟଙ୍କା ନଥିବା କହିବାରୁ ସେମାନେ ଆଣିଥିବା କାରରେ ମ୍ୟାନେଜରଙ୍କୁ ଅପହରଣ କରିନେଇଥିଲେ।