ମାନବିକତାର ଦୁଇଟି ଦୃଶ୍ୟ : କେଉଁଠି ଚିନ୍ତାଜନକ, କେଉଁଠି ଖୁସିର ଲୁହ

Published By : Prameya-News7 Bureau | February 19, 2020 IST

ଭଦ୍ରକ ୧୯।୦୨: ମଣିଷ ପଣିଆ କେତେବେଳେ ମରିଯାଏ ଆଉ କେତେବେଳେ ଜିଇଁଉଠେ ତାହା  ଆପଣଙ୍କ ସାମ୍ନାରେ ରହିଛି ଦୁଇଟି ଘଟଣା । ଗୋଟିଏ ପଟେ ଭଦ୍ରକରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ନିଜକୁ ମଣିଷ ବୋଲି ଧିକ୍କାର କରିବାକୁ ଇଚ୍ଛା ହେବ। ସେପଟେ କିନ୍ତୁ ମାନବିକତା ଡୋରି ଏମିତି ଲମ୍ବିଛି ଯେ ବ୍ରହ୍ମପୁରରୁ ସୁଦୂର ଦିଲ୍ଲୀ ଯାଏ। 

ଅତି ହୃଦୟ ବିଦାରକ । ଜଣେ ଯୁବକ ଜଣକ କେମିତି କହୁଣୀ ଭରା ଦେଇ ରାସ୍ତା ଉପରେ ପଡ଼ି ରହିଛନ୍ତି।  ରାସ୍ତାରେ ଭାସୁଛି ରକ୍ତ । ଚାରିପଟେ ଲୋକେ ଏପଟ ସେପଟ ହେଉଛନ୍ତି । ମୋବାଇଲରେ ଭିଡିଓ ବି ସୁଟିଂ କରୁଛନ୍ତି । ଆଉ କିଏ ଫୋନ୍‌ରେ କଥା ହେଉଛି । କିଏ ସାଇକେଲରେ ଯାଉଛି କିଏ ବାଇକରେ । କେହିବି ଅଟକିନାହାନ୍ତି ।  ବିକଳରେ ଯୁବକ ଜଣକ ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରୁଛନ୍ତି । ହେଲେ କେହି ବି  ଟିକିଏ ସାହାଯ୍ୟର ହାତ ବଢ଼ାଉନାହାନ୍ତି ।ଏ ଦୃଶ୍ୟ ହେଉଛି ଭଦ୍ରକ ସାହାପୁର ଛକର ।

ଭଦ୍ରକ ଗେଲପୁର ଅଞ୍ଚଳର ଦେବେନ୍ଦ୍ର ସାହୁ  ତାଙ୍କ  ସାଙ୍ଗ ସହିତ ବାଇକ୍‌ରେ ଯାଉଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା । ବାଇକ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ।ହେଲେ ଦେବେନ୍ଦ୍ରଙ୍କ ଅଣ୍ଟା ଉପରେ ଟ୍ରକ୍‌ ମାଡ଼ିଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ଦେବେନ୍ଦ୍ର ସେମିତି ପଡ଼ି ରହିଥିଲେ ମଧ୍ୟ ତାଙ୍କୁ କେହି ଉଠାଇନଥିଲେ ।ବିକଳ ହୋଇ ସେ ଚାହିଁ ରହିଥିଲେ କାଳେ କେହି ତାଙ୍କୁ ମେଡିକାଲ ନେଇଯିବେ ଆଉ ସିଏ ବଞ୍ଚିଯିବେ । ହେଲେ ଲୋକେ ଭିଡିଓ ସୁଟିଂ କଲେ, ଦେଖି ନଦେଖିଲା ଭଳି ହେଲେ । ଶେଷରେ ଭଦ୍ରକ ଟାଉନ୍ ଥାନା ପୋଲିସ ଦେବେନ୍ଦ୍ରଙ୍କୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନା ନେଇଥିଲା । ହେଲେ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ପୀଡିତଙ୍କୁ ଉଦ୍ଧାର କଲେ ଉଦ୍ଧାରକାରୀ ଙ୍କୁ ପୁରସ୍କାର ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି।  କିନ୍ତୁ ଭଦ୍ରକ ଏହି ଘଟଣା ସଭ୍ୟ ସମାଜ ପାଇଁ ଲଜ୍ଜା ।ଭଦ୍ରକରେ ସିନା ମାନବିକତା ଏଠି ମରିଗଲା । କିନ୍ତୁ ବ୍ରହ୍ମପୁର ମେଣ୍ଡାରାଜପୁର ନିକଟରେ ବସ୍‌ରେ ୧୧ କେଭି ଲାଇନ୍‌ ଲାଗି ୧୧ ଜଣଙ୍କର ମୃତ୍ୟୁ ଘଟଣାରେ ଅନାଥ ହୋଇଥିବା ୨ ଜଣ ନାବାଳିକାଙ୍କ ପାଇଁ ମାନବିକତା ଜାଗି ଉଠିଲା ଜଣେ ବଦାନ୍ୟ ବ୍ୟକ୍ତିଙ୍କର । ସେପୁଣି ସୁଦୂର ଦିଲ୍ଲୀରୁ। ଦିଲ୍ଲୀ ବାସିନ୍ଦା ରଶ୍ମି ରଞ୍ଜନ ପଟ୍ଟନାୟକ ଏହି ୨ ଜଣଙ୍କ ଲାଳନପାଳନର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି। ସେ ଡଙ୍କଲପାଡୁ ଗାଁକୁ ଯାଇ ସେମାନଙ୍କୁ ପାଠପଢ଼ା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଭଦ୍ରକ ଓ ଗଞ୍ଜାମ ଜିଲ୍ଲାର ଏହି ଦୁଇ ଘଟଣା ମାନବିକତା ୨ଟି ଭିନ୍ନ ଦିଗକୁ ଦର୍ଶାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.