ସମ୍ପତ୍ତି ପାଇଁ ୬ ଆତ୍ମୀୟଙ୍କୁ ହତ୍ୟା କରିଥିଲେ ବାପ-ପୁଅ : ନିଷ୍ଠୁର ଭାବେ କାଟିଥିଲେ ଦୁଇ ଶିଶୁଙ୍କ ସହ ସମସ୍ତଙ୍କ ବେକ, ଶେଷକୃତ୍ୟ କରିବା ପରେ କଲେ ଆତ୍ମସମର୍ପଣ

Published By : Prameya-News7 Bureau | May 01, 2020 IST

ଲକ୍ଷ୍ନୌ ୦୧/୦୫ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୬ ଜଣଙ୍କ ହତ୍ୟା ମାମଲାର ପର୍ଦାଫାଶ ହୋଇଛି | ବାପା ପୁଅ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲେ | ହତ୍ୟା ପଛରେ ସମ୍ପତ୍ତି ବିବାଦ ରହିଥିବା ଜଣାପଡିଛି | ଅଭିଯୁକ୍ତ ଅଜୟ ସିଂହ ଓ ତାଙ୍କ ୨୦ ବର୍ଷୀୟ ପୁଅ ଅବନିଶ ସିଂହ ମିଶି ୬ ଜଣଙ୍କ ହତ୍ୟା କରିଥିଲେ | 

ଅଜୟ ସିଂହ ପୋଲିସକୁ କହିଛନ୍ତି ଯେ, ତାଙ୍କ ପିତା ଅମର ସିଂହ ତାଙ୍କ ଭାଇଙ୍କ ପତ୍ନୀକୁ ନିଜ ପାଖରେ ରଖିଥିଲେ | ଚାଷବାସରେ ଯାହା ରୋଜଗାର ହେଉଥିଲା ତାହା ଭାଉଜଙ୍କୁ ଅର୍ଥାତ ତାଙ୍କ ଭାଇଙ୍କ ପତ୍ନୀଙ୍କୁ ଦେଇ ଦେଉଥିଲେ | ଅଭିଯୋଗ ଅଜୟ ସିଂହ କହିଛି ଯେ, ଯେଉଁ କ୍ଷେତ ବିକ୍ରି କରୁଥିଲେ ସେହି ଟଙ୍କା ମଧ୍ୟ ଭାଇ, ଭାଉଜଙ୍କୁ ଦେଇ ଦେଉଥିଲେ | ଟଙ୍କା ପାଇଁ ସବୁବେଳେ ତାଙ୍କ ପାଖରେ ହାତ ପଟେଇବାକୁ ପଡୁଥିଲା ଯେଉଁଥିପାଇଁ ସେ ସବୁବେଳେ ଡରୁଥିଲେ ଯେ, ତାଙ୍କ ପିତା ସବୁ ସମ୍ପତ୍ତି ତାଙ୍କ ଭାଇଙ୍କ ନାଁରେ କରିଦେବେ | ସେ ଯେତେବେଳେ ନିଜ ପିତାଙ୍କୁ ଟଙ୍କା ମାଗୁଥିଲେ ସେ ଦେଉନଥିଲେ | ସେଥିପାଇଁ ତାଙ୍କ ମନରେ ପ୍ରତିଶୋଧର ନିଆଁ ଜଳିବାରେ ଲାଗିଲା ଏବଂ ସେ ପୁରା ପରିବାରକୁ ହତ୍ୟା କରିବା ପାଇଁ ଯୋଜନା କଲେ |

ସୂଚନା ଅନୁଯାୟୀ, ଲକ୍ଷ୍ନୌ ବନ୍ଧରା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ପୁରା ପରିବାରକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିଲେ | ହତ୍ୟାକାରୀ ମୁଣ୍ଡରେ ଏହିଭଳି ପ୍ରତିଶୋଧର ନିଆଁ ଲାଗିଥିଲା ଯେ ସେ ଶିଶୁଙ୍କୁ ମଧ୍ୟ ଛାଡ଼ିନଥିଲା | ବଡ ନିର୍ମମ ଭାବେ ସେ ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରିଥିଲା | ସେ ନିଜ ମାତା ପିତା, ଭାଇ ଭାଉଜ ଓ ଦୁଇ ଶିଶୁଙ୍କୁ ଗଳା କାଟି ହତ୍ୟା କରିଥିଲା | ସମସ୍ତଙ୍କୁ ହତ୍ୟା କରିବା ପରେ ସେ ନିଜେ ଥାନାକୁ ଯାଇ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା | ଥାନାକୁ ଯାଇ ନିଜେ ପୋଲିସକୁ ହତ୍ୟାକାଣ୍ଡର ପୁରା କାହାଣୀ ବଖାଣିଥିଲେ | ପୋଲିସ ହତ୍ୟାକାରୀ ବାପା-ପୁଅକୁ ଗିରଫ କରି ମାମଲା ରୁଜ୍ଜୁ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.