୧୯ ବର୍ଷ ବୟସରେ ଜିତିଲେ ୯୯ କୋଟିର ଲଟେରୀ: ଅଏଶ୍ କରି ଉଡାଇଦେଲେ ସବୁ ଟଙ୍କା, ଏବେ କରୁଛନ୍ତି ମାମୁଲି ଚାକିରୀ

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦/୧୦ : ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ ସେ କମ୍ ସମୟ ମଧ୍ୟରେ ଅଧିକ ଟଙ୍କା ରୋଜଗାର କରିପାରିବ ଏବଂ ନିଜ ଜୀବନକୁ ଆରାମରେ ବିତାଇ ପାରିବ। କିନ୍ତୁ ଟଙ୍କା ରୋଜଗାରର ସର୍ଟକଟ୍ ଉପାୟ ବହୁତ କମ୍। ଏହି କମ୍ ସର୍ଟକଟ୍ ମଧ୍ୟରୁ ଗୋଟିଏ ହେଉଛି ଲଟେରୀ। ଲଟେରୀ ବହୁତ ବିପଦପୂର୍ଣ୍ଣ ପ୍ରମାଣ ହେଲେ ମଧ୍ୟ ଯଦି ଥରେ ଭାଗ୍ୟ ଖୋଲିଯାଏ ତାହେଲେ ଆରାମ ହିଁ ଆରାମ। କିନ୍ତୁ କୌଣସି ଜିନିଷ ପାଇବା ସହଜ କିନ୍ତୁ ତାକୁ ବଜାୟ ରଖିବା କଷ୍ଟକର। ଇଂଲଣ୍ଡର ଜଣେ ବ୍ୟକ୍ତିଙ୍କ ପାଖରେ ଏହାର ପ୍ରମାଣିତ ହୋଇଛି ଯିଏ ଲଟେରୀରେ କୋଟି କୋଟି ଟଙ୍କା ଜିତିବା ପରେ ଅଏଶ୍ ରେ ସାରିଦେଲେ ଓ ଏବେ ସାଧାରଣ ଜୀବନଯାପନ କରୁଛନ୍ତି।

ଇଂଲଣ୍ଡର ନରଫକ୍ସରେ ରହୁଥିବା ମିକି କେରଲ ୨୦୦୨ ମସିହାରେ ୯୯ କୋଟି ଟଙ୍କାରୁ ଅଧିକ ଲଟେରୀ ଜିତିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ସେତେବେଳେ ସାନ୍ଦ୍ରା ଏକନ୍ ନାମକ ଜଣେ ଯୁବତୀ ସହ ତାଙ୍କର ନିର୍ବନ୍ଧ ହୋଇଥିଲେ। ଲଟେରୀ ଜିତିବା ପରେ ମିକି ସ୍ବପ୍ନ ଜଗତରେ ବୁଡି ରହିଲେ। ମିକିଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଡ୍ରଗ୍ସ ନେବା ଆରମ୍ଭ କରି ଦେଇଥିଲେ ଓ ଜମାଇକା, ବାରବାଡୋସର ପାର୍ଟି କରୁଥିଲେ। ସେ ନିଜ ପାଇଁ ମହଙ୍ଗା ଅଳଙ୍କାର, ଯାନବାହାନ ଏବଂ ପୋଷାକ କିଣିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ଓ ସାନ୍ଦ୍ରଙ୍କର ବିବାହ ମଧ୍ୟ ହୋଇଯାଇଥିଲା। କିନ୍ତୁ ତା’ପରେ ପରିସ୍ଥିତି ହାତରୁ ବାହାରିବାକୁ ଲାଗିଲା ଯେତେବେଳେ ମିକି ତାଙ୍କ ଟଙ୍କାକୁ ଅପବ୍ୟବହାର କରି ଦେହ ବ୍ୟବସାୟୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଲାଗିଲେ। ତାଙ୍କ ପତ୍ନୀ କହିଥିଲେ ଯେ ସେ ତାଙ୍କୁ ପ୍ରତାରଣା କରିଥିଲେ ଏବଂ ବେଶ୍ୟାମାନଙ୍କ ନିକଟକୁ ଯିବା ଆରମ୍ଭ କରିଥିଲେ। ଏଥିପାଇଁ ସେ ୨୦୦୮ ରେ ସେ ମିକିଙ୍କୁ ଛାଡପତ୍ର ଦେଇଥିଲେ।

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ପତ୍ନୀ କହିଥିଲେ ଯେ ମିକି ଭାବୁଥିଲେ ଲୋକେ ତାଙ୍କୁ ପସନ୍ଦ କରନ୍ତି କିନ୍ତୁ ଲୋକେ ତାଙ୍କ ଟଙ୍କା ପଛରେ ପଡ଼ିଥିଲେ। ଟଙ୍କା ପାଇଁ ସେ ଏତେ ଅନ୍ଧ ହୋଇଯାଇଥିଲେ ଯେ ଠିକ ଭୁଲ ବିଚାର କରିପାରୁନଥିଲେ। ଫଳସ୍ୱରୂପ, ମଦ୍ୟପାନ ଏବଂ ଝଗଡା କରିବା ହେତୁ ମିକିଙ୍କୁ ଅନେକ ଥର ଜେଲ ଯିବାକୁ ପଡିଥିଲା। କିଛି ଦିନ ପରେ ମିକିଙ୍କ ପାଖରେ ଗୋଟିଏ ଟଙ୍କା ବି ନଥିଲା। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କର ୧୦ ବର୍ଷର ଜୀବନ ବହୁତ ଖାସ ଥିଲା ଯାହାକୁ ସେ ବହୁତ ଉପଭୋଗ କରିଥିଲେ। ମିକି ପ୍ରାୟ ୧୦୦ ଟଙ୍କାରେ ଲଟେରୀ କିଣିଥିଲେ ଏବଂ ସେ କୋଟିପତି ହୋଇଯାଇଥିଲେ।

ରିପୋର୍ଟ ଅନୁଯାୟୀ, ମିକି ବର୍ତ୍ତମାନ ସାଧାରଣ ଜୀବନଯାପନ କରୁଛନ୍ତି। ଭଲ କଥା ହେଲା ସେ ନିଜ ପୂର୍ବ ପତ୍ନୀଙ୍କୁ ପୁନଃ ବିବାହ କରିଛନ୍ତି ଏବଂ ଦୁହେଁ ଏକାଠି ରହୁଛନ୍ତି। ମିକି ସାକ୍ଷାତକାରରେ କହିଛନ୍ତି ଯେ ଯଦି ତାଙ୍କ ପାଖରେ ଏବେ ବି ଟଙ୍କା ଥାଆନ୍ତା ତାହେଲେ ସେ ମରି ସାରିଥାନ୍ତେ କାରଣ ସେ ଅତ୍ୟଧିକ ମଦ୍ୟପାନ କରୁଥିଲେ। ମିକି ବର୍ତ୍ତମାନ କୋଇଲା ଏବଂ କାଠ ଡେଲିଭରି କାମ କରନ୍ତି ଏବଂ ମାସକୁ ୧ ଲକ୍ଷରୁ ଅଧିକ ରୋଜଗାର କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.