ପଶ୍ଚିମବଙ୍ଗ ଆଇସୋଲେସନ ଓ୍ଵାର୍ଡରେ ରୋଗୀଙ୍କ ମୃତ୍ୟୁ, କରୋନା ସଂକ୍ରମଣ ଯାଞ୍ଚ ଲାଗି ପଠାଯାଇଥିଲା ନମୂନା

Published By : Prameya-News7 Bureau | March 08, 2020 IST

କୋଲକାତା ୦୮।୦୩-  ଚୀନରୁ ଉତ୍ପନ ମାରାତ୍ମକ କରୋନା ଭୂତାଣୁ ଭାରତରେ ମଧ୍ୟ ନିଜର ପ୍ରକୋପ ବୃଦ୍ଧି କରିବାରେ ଲାଗିଛି। ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହା ମଧ୍ୟରେ ପଶ୍ଚିମବଙ୍ଗର ମୁର୍ସିବାଦବାଦରେ ରବିବାର ମଧୁମେହରେ ପୀଡିତ ଜଣେ ବ୍ୟକ୍ତି ଆଇସୋଲସନ ଓ୍ଵାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ତାଙ୍କୁ ଏହି ସ୍ଵତନ୍ତ୍ର ଓ୍ଵାର୍ଡରେ କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ନିକଟରେ ସାଉଦି ଆରବରୁ ଫେରିଥିଲେ। ମୃତକ ବ୍ୟକ୍ତିଙ୍କ ନାମ ଜନରୁଲ  ହକ।

ଡାକ୍ତରଙ୍କ ଅନୁଯାୟୀ, ବ୍ୟକ୍ତିଙ୍କୁ ଜ୍ଵର, କାଶ ଓ ବ୍ୟଥା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟ ସେବାର ନିର୍ଦ୍ଦେଶକ ଅଜୟ ଚକ୍ରବର୍ତ୍ତୀ କହିଛନ୍ତି ଯେ, ନୂତନ କରୋନା ଭୂତାଣୁର ଯାଞ୍ଚ ଲାଗି ବ୍ୟକ୍ତିଙ୍କ ରକ୍ତ ନମୂନା ଲ୍ୟାବକୁ ପଠାଯାଇଥିଲା। ଫଳାଫଳ ଆସିବା ବାକି ରହିଛି। କୁହାଯାଉଛି ଯେ, ଜନରୁଲ ହକଙ୍କ ମୃତ୍ୟୁ ମଧୁମେହ କାରଣରୁ ହୋଇଥାଇପାରେ।

ସ୍ଵାସ୍ଥ୍ୟ ସେବାର ନିର୍ଦ୍ଦେଶକ କହିଛନ୍ତି ଯେ, ଏହି ବ୍ୟକ୍ତିଙ୍କ ଶରୀରରେ ମଧୁମେହର ପରିମାଣ ଅଧିକ ଥିଲା। ସେ ସାଉଦି ଆରବରୁ ଘରକୁ ଫେରିଥିଲେ। ମଧୁମେହର ନିୟନ୍ତ୍ରଣ ଲାଗି ଚିକିତ୍ସା ହେତୁ ବ୍ୟକ୍ତିଙ୍କ ପାଖରେ ଅର୍ଥ ମଧ୍ୟ ନଥିଲା। ତାଙ୍କୁ ମୁର୍ସିଦାବାଦ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ଵତନ୍ତ୍ର ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.