୮ ଦିନ ପରେ ବନ୍ୟାରେ ଭାସିଯାଇଥିବା ଝିଅର ମିଲିଲା ଶବ, ପୋଷ୍ଟମର୍ଟମ ପାଇଁ ୮କି.ମି. କାନ୍ଧରେ ବୋହିଲା ବାପା : କୁଆଡେ ଗଲା ସରକାରଙ୍କ ଯୋଜନା?

Published By : Prameya-News7 Bureau | October 18, 2018 IST

ପାରଳାଖେମୁଣ୍ଡି ୧୮|୧୦: ୮ ଦିନ ପରେ ଝିଅ ଶବ ପାଇ ବାପ ବିକଳ ।  ଗଜପତି ଆତଙ୍କପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଝିଅ ଶବ କାନ୍ଧରେ ବୋହି ୮ କିମି ଚାଲିଛି ବାପା । ନା ତାକୁ ମିଳିଛି ପ୍ରଶାସନର ସହାୟତା ନା ଲୋକଙ୍କର । ବାପ କାନ୍ଧରେ କୁନି ଝିଅର ମୃତଦେହ । ମୃତଦେହ ଜରି ଅଖା ଧରି ହତଭାଗ୍ୟ  ବାପା ଚାଲିଛି ୮କିଲୋମିଟର ରାସ୍ତା। ଏ ଦୃଶ୍ୟ ଦେଖିଲେ ଛାତିରେ କୋହ ଭରିଯିବ । ହେଲେ ଏ ନେଇ ବାପା ନାଚାର । କାରଣ ତିତ୍‌ଲି ଦେଇଛି ଏମିତି ଦୁଃଖ । ଘଟଣା ଗଜପତି ରାୟଗଡ ଆତଙ୍କପୁର ଗାଁର । ତିତ୍‌ଲି ପରବର୍ତ୍ତୀ ବର୍ଷା ଲାଗିଥିବା ବେଳେ ମୁକୁନ୍ଦ ଦୋରାଙ୍କ ସ୍ତ୍ରୀ ୧୧ ତାରିଖରେ ୩ ପିଲାଙ୍କୁ ଧରି ଗାଁ ପାଖ ନାଳ ପାରି ହେଉଥିଲେ । ହେଲେ ଭାସିଯାଇଥିଲେ ମୁକୁନ୍ଦଙ୍କ ୭ ବର୍ଷୀୟ ଝିଅ ବବିତା ।ବାତ୍ୟା ଛାଡ଼ିଯାଇଥିଲା, ନାଳରୁ ବି ପାଣି ଖସିଗଲା। ଅନେକ ଖୋଜା ଖୋଜି କରିଥିଲେ ବାପାମା। କିନ୍ତୁ ମିଳିନଥିଲା ବବିତା । ଏନେଇ ନିକଟସ୍ଥ ଗାରବନ୍ଧ ଥାନାରେ ଏତଲା ବି ଦିଆଯାଇଥିଲା  । କାଲି ଗାଁ ଠାରୁ ୫ କିଲୋମିଟର ଦୂର ନାଳ ପାଖ ଏକ ବୁଦାରେ ମୃତଦେହ ଲାଗିଥିବା ଏବଂ ଦୁର୍ଗନ୍ଧ ହେଉଥିବା ନେଇ କେହି ଖବର ଦେଇଥିଲେ । ସେଠାକୁ ଦଉଡିଥିଲେ ମୁକୁନ୍ଦ । ମୃତଦେହ ବାହାର କଲାପରେ ଜଣା ପଡିଥିଲା ତାହା ତାଙ୍କ ଝିଅର ମୃତଦେହ ।ପୋଲିସକୁ ବି ଖବର ଦେଇଥିଲେ । ହେଲେ ନା ସେଠାକୁ ଆମ୍ବୁଲାନ୍ସ ପହଞ୍ଚିଥିଲା ନା ଶବ ବୁହା ଗାଡି । ବାଧ୍ୟ ହୋଇ ପୋଷ୍ଟ ମର୍ଟମ୍‌ ପାଇଁ ମୃତଦେହକୁ ଜରି ଅଖାରେ ଗୁଡାଇ କଇଁପୁର ସିଏଚ୍‌ସି ଅଭିମୁଖେ ୮ କିଲୋମିଟରରୁ ଅଧିକ ବାଟ ଚାଲିଥିଲେ ମୁକୁନ୍ଦ।   କଁଇପୁର ନିକଟରେ ଏହି ଘଟଣାକୁ ଦେଖିଥିଲେ କିଛି ଲୋକ । ପରେ ଏହାର ଭିଡିଓ ଭାଇରାଲ୍‌ ହୋଇଥିଲା । ତେବେ କାହିଁକି ମୃତଦେହ ହସ୍ପିଟାଲ୍‌ ନେବାକୁ ପୋଲିସ ବ୍ୟବସ୍ଥା କଲା ନାହିଁ ? ଏନେଇ ପ୍ରଶ୍ନ ଉଠିବା ପରେ ସଫେଇ ଦେଇଛନ୍ତି ପୋଲିସ ଅଧିକାରୀ । କହିଛନ୍ତି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାକୁ ଆମ୍ବୁଲାନ୍ସ କି ଶବ ବୁହା ଗାଡି ପହଞ୍ଚିବା ସମ୍ଭବ ନଥିଲା । ବାପା କାନ୍ଧରେ ଝିଅ ଶବ ବୁହା ହେବା ଘଟଣା ପୁଣି ଦାନ ମାଝି ଘଟଣାକୁ ମନେପକାଇ ଦେଇଛି । ମୃତଦେହକୁ ସମ୍ମାନ ଦେବାକୁ ସରକାରଙ୍କ ଥିବା ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.