ଗୁଜୁରାଟରୁ ଆସାମ… ନା ଥିଲା ଗାଡି, ନା ଥିଲା ପଇସା, ୨୫ଦିନରେ ୨୮୦୦କି.ମି. ଚାଲି ଚାଲି ପହଞ୍ଚିଲେ ଘରେ

Published By : Prameya-News7 Bureau | April 21, 2020 IST

ନୌଗାଓଁ ୨୧।୪: ଆସାମର ନୌଗାଓଁ ଜିଲ୍ଲାର ୪୬ ବର୍ଷ ବୟସ୍କ ଯାଦବ ଗୋଗୋଇ କାମ ସନ୍ଧାନରେ ଗୁଜରାଟ ଯାଇଥିଲେ । ସେଠାରେ ସେ ଗୁଜୁରାଟର ଶିଳ୍ପ ସହର ଭାପିରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ମାର୍ଚ୍ଚ ୨୪ରେ ଯେତେବେଳେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା, ସେତେବେଳେ ତାଙ୍କୁ କାମରୁ ବାହାର କରିଦିଆଯାଇଥିଲା । ତାପରେ ତାଙ୍କ ନିକଟରେ ଘରକୁ ଫେରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା ।

ମାର୍ଚ୍ଚ ୨୭ରେ ଯାଦବ ଭାପିରୁ ଚାଲିବା ଆରମ୍ଭ କରିଥିଲେ । ରାସ୍ତାରେ କୌଣସି ଜରୁରୀକାଳୀନ ଗାଡି ଦେଖିଲେ ସେ ସେଥି ବସି ସେ କିଛି ବାଟ ଯାଉଥିଲେ । ତାପରେ ପୁଣି ଚାଳୁଥିଲେ । ଏହିପରି ଭାବେ ୨୫ଦିନ ମଧ୍ୟରେ ନୌଗାଓଁ ଜିଲ୍ଲାର ରାହ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ପହଞ୍ଚିଥିଲେ । ରବିବାର ରାତିରେ ସେ ତାଙ୍କ ଘରେ ପହଞ୍ଚିଥିଲେ ।

ଯାଦବଙ୍କ କହିଥିଲେ ଯେ, ବେଙ୍ଗଲ, ବିହାର ଦେଇ ସେ ତାଙ୍କ ଗାଁର ପହଞ୍ଚିଥିଲେ । ଗୁଜରାଟରୁ ଆସାମକୁ ଫେରିବା ପାଇଁ ସେ ପୋଲିସ ଏବଂ ସରକାରୀ ବିଭାଗର ସାହାଯ୍ୟ ମାଗିଥିଲେ କିନ୍ତୁ ସେମାନେ ମନା କରିଦେଇଥିଲେ । ଫଳରେ ମାର୍ଚ୍ଚ ୨୭ ତାରିଖରୁ ସେ ଭାପିରୁ ଚାଲିବା ଆରମ୍ଭ କରିଥିଲେ । ଘରକୁ ଫେରିବା ତାଙ୍କ ପାଇଁ ବାଧ୍ୟତାମୂଳକ ଥିଲା । କାହିଁକି ନା ତାଙ୍କ ନିକଟରେ ପଇସା ନଥିଲା କି ଖାଇବାକୁ ମଧ୍ୟ କିଛି ନଥିଲା । ରାସ୍ତାରେ ଚାଲି ଚାଲି ଆସିବା ବେଳେ ସେ ଲୁଟ୍ ର ଶିକାର ମଧ୍ୟ ହୋଇଥିଲେ ।

ତେବେ ସେ ଘରେ ପହଞ୍ଚିବା ପରେ ରାହାର ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ ନୌଗାଓଁ ସିଭିଲ ହସ୍ପିଟାଲରେ ଯାଞ୍ଚ ପାଇଁ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଭଲ ଅଛି କିନ୍ତୁ ସେ ଅନ୍ୟ ରାଜ୍ୟରୁ ଆସିଛନ୍ତି । ତେଣୁ ତାଙ୍କୁ ୧୪ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ସମୟରେ ଦେଶରେ ପରିବହନ ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯଦି ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କ କାର୍ଯ୍ୟ ବନ୍ଦ ହୋଇଯାଏ, ତେବେ ସେମାନଙ୍କ ଘରକୁ ଫେରିବା ଛଡା ସେମାନଙ୍କର କୌଣସି ବିକଳ୍ପ ନାହିଁ । ଏଭଳି ପରିସ୍ଥିତିରେ ଅନେକ ଲୋକ ଶହ ଶହ କିଲୋମିଟର ଚାଲି ନିଜ ଘରେ ପହଞ୍ଚୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.